Home Assembly କେବେ ହେବ ସ୍ୱାଭାବିକ ?

କେବେ ହେବ ସ୍ୱାଭାବିକ ?

ଭୁବନେଶ୍ୱର : ଓଡିଆ ଅସ୍ମିତା ପ୍ରସଙ୍ଗ ନେଇ ଦୁଇ ଦିନ ଧରି ଓଡିଶା ବିଧାନସଭା ହୁଲୁସ୍ତୁଲୁ ହେଉଥିବାବେଳେ ସ୍ୱାଭାବିକ ଅବସ୍ଥା କେବେ ଫେରିବ ସେଥିଘେନି କାହା ପାଖରେ କିଛି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ ।

ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ତାଙ୍କ ବକ୍ତବ୍ୟ ପ୍ରଦାନ କରିବାକୁ ଆରମ୍ଭ କରିବା ସମୟରୁ ବିରୋଧିଦଳମାନେ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇବା ସହ ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରିଥିଲେ । ବିରୋଧିଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ଅଭିଯୋଗ ଆଣିଥିଲେ ଯେ ରାଜ୍ୟପାଳଙ୍କ ପୁଅ ପୁରୀ ରାଜଭବନରେ ଜଣେ ଓଡିଆ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ଘଟଣାରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଇନ୍‍ଶୃଙ୍ଖଳା ପ୍ରସଙ୍ଗ ଘେନି ତାଙ୍କର ସନ୍ଦେହ ରହିଛି । ସେ ପୁଣି ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ କୌଣସି ଆଇନ୍‍ ଉଲ୍ଲଙ୍ଘନକାରୀଙ୍କୁ ଛଡାଯାଉନଥିଲା ।

ବିରୋଧିଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ବିଭିନ୍ନ ଫୋରମରେ ଏହି ପ୍ରସଙ୍ଗ ଉଠାଇ ଆଇନ୍‍ଶୃଙ୍ଖଳା ସ୍ଥିତି ସଂକ୍ରାନ୍ତରେ ସରକାରଙ୍କୁ ଘେରିଛନ୍ତି । ଅବଶ୍ୟ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ମୁହଁତୋଡ୍‍ ଜବାବ ଦେଇଥିବାବେଳେ ପ୍ରମିଳା ବି ତାହାର ଉତ୍ତର ରଖିଛନ୍ତି ।

ବିଧାନସଭା ବାହାରେ ଆଇନ୍‍ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି ଯେ ପୁରୀ ରାଜଭବନ ଘଟଣା ସଂକ୍ରାନ୍ତରେ ସରକାର ସମ୍ପୂର୍ଣ୍ଣ ଅବହିତ ଅଛନ୍ତି ଏବଂ ଏହି ଘଟଣାର ତଦନ୍ତକରି ୧୫ଦିନ ଭିତରେ ରିପୋର୍ଟ ଦେବାକୁ ପୁରୀ ଜିଲ୍ଲାପାଳଙ୍କୁ କୁହାଯାଇଛି । ରିପୋର୍ଟ ମିଳିବାପରେ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯଦି କେହି ଦୋଷୀ ଥାଆନ୍ତି ତେବେ କାହାକୁ ବି ଛଡାଯିବ ନାହିଁ । ଅନ୍ୟ ପକ୍ଷରେ ଆଇନ୍‍ମନ୍ତ୍ରୀଙ୍କ ବକ୍ତବ୍ୟକୁ ବିରୋଧିଦଳ ପକ୍ଷରୁ କଡା ସମାଲୋଚନା କରାଯାଇ ଏହା ଏକ ଅପରାଧିକ ମାମଲା ହୋଇଥିବାବେଳେ ପୁଲିସ୍‍ ତଦନ୍ତ ପରିବର୍ତ୍ତେ ଜିଲ୍ଲାପାଳ କାହିଁକି ତଦନ୍ତ କରୁଛନ୍ତି ବୋଲି ପାଲଟା ପ୍ରଶ୍ନ କରାଯାଇଛି ।

ବିଧାନସଭା ଅଧିବେଶନର ଦ୍ୱିତୀୟ ଦିବସରେ ବି ଏହି ପ୍ରସଙ୍ଗ ତାଜା ରହିଛି । ପ୍ରଥମାର୍ଦ୍ଧରେ ଏହି ପ୍ରସଙ୍ଗକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିବାରୁ ଗୃହର କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରହିଥିଲା । ପୁଣି ଗୃହର କାର୍ଯ୍ୟ ଆରମ୍ଭ ହେବାପରେ ବିରୋଧିଦଳ ପକ୍ଷରୁ ପୁରୀ ରାଜଭବନ ଓ ଓଡିଆ ଅସ୍ମିତା ପ୍ରସଙ୍ଗ ଆଉଥରେ ଉଠାଯାଇଥିଲା ଏବଂ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡିଆସି ହଟ୍ଟଗୋଳ କରିଥିଲେ । ଏମିତିକି ବିଜେଡି ସଦସ୍ୟ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠି ତାଙ୍କ ମାଇକ ଭାଙ୍ଗି ଦେଇଥିବା ଘେନି ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଆଜି ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚିତ ହୋଇପାରି ନାହିଁ ।

ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପୁରୀ ରାଜଭବନ ଘଟଣା ଘେନି ଗଭୀର ଉଦବେଗ ପ୍ରକାଶ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାର ଓଡିଆ ଅସ୍ମିତାର ପରିଚୟ ଦେବାକୁ ଆହ୍ୱାନ ଦେଇଛନ୍ତି । ବିଜେଡି-ବିଜେପି ପରସ୍ପର ମଧ୍ୟରେ ସମ୍‍ଝୋତା କରି ବିଧାନସଭା ଚଳାଇ ଦେଉନାହାନ୍ତି ବୋଳି ସେ ଗଣମାଧ୍ୟମରେ ବିବୃତ୍ତି ରଖିଛନ୍ତି ।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଏ ପରିପ୍ରେକ୍ଷୀରେ ଆଗେଇ ପାରୁନାହିଁ । ଏହାଛଡା ମୁଲତବି ପ୍ରସ୍ତାବ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଆଲୋଚନାର ପରିସରକୁ ଆସିପାରୁନାହିଁ । ପୁରୀ ରାଜଭବନ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ବିଜେଡି ଓ କଂଗ୍ରେସ ସରକାରଙ୍କ ଉପରେ ସେମାନଙ୍କ ଆକ୍ରମଣ ଜାରି ରଖିବେ ବୋଲି କହୁଥିବାବେଳେ ଶାସକଦଳର ବିଧାୟକମାନେ ଗଣମାଧ୍ୟମରେ ବିବୃତ୍ତି ରଖି ଗତ ସରକାର ସମୟରେ କିଭଳି କିଛି ମନ୍ତ୍ରୀଙ୍କ ବିରୁଦ୍ଧରେ ଅପରାଧିକ ଅଭିଯୋଗ ଆସିଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି କରାଯାଇ ନଥିଲା ବୋଲି ଓଲଟା ପ୍ରଶ୍ନ କରୁଛନ୍ତି । (ତଥ୍ୟ)