ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସଂକ୍ରାନ୍ତରେ ବିଜେପିର ପ୍ରାଦେଶିକ ସଭାପତି ମନମୋହନ ସାମଲ ସୂଚନା ଦେବା ପରେ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ବିଧାୟକମାନଙ୍କ ଲବି ବଢ଼ିଯାଇଛି । ଏହାଛଡ଼ା ମନ୍ତ୍ରିମଣ୍ଡଳରୁ କିଛି ସଦସ୍ୟ ବାଦ୍ ପଡ଼ିବା ଘେନି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିବାବେଳେ କୌଣସି ପ୍ରକାରେ ନିଜ ପଦବୀ ବଜାୟ ରଖିବା ପାଇଁ କିଛି ମନ୍ତ୍ରୀ ଗୋଟିଚାଳନା କରିବା ସ୍ୱାଭାବିକ ।
ଏଠାରେ ଉଲ୍ଳେଖନୀୟ ଯେ ପ୍ରଚଳିତ ପରମ୍ପରା ଅନୁଯାୟୀ ମୋଟ ବିଧାୟକ ସଂଖ୍ୟାର ୧୫ ପ୍ରତିଶତ ପର୍ଯ୍ୟନ୍ତ ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ରଖାଯାଇପାରିବ । ଓଡ଼ିଶା ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ ଥିବା ଦୃଷ୍ଟିରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ଜଣ ପର୍ଯ୍ୟନ୍ତ ମନ୍ତ୍ରୀ ରହିବା କଥା । ତେବେ ଗତବର୍ଷ ଜୁନ୍ ୧୨ ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳ ଗଢ଼ାଯିବା ବେଳେ ଏହି ସଂଖ୍ୟା ୧୬ରେ ସୀମିତ ରଖାଯାଇ ଆଶାୟୀମାନଙ୍କୁ ଝୁଲାଇ ରଖାଯାଇଥିଲା ।
ବିଭିନ୍ନ ସମୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ଗଣମାଧ୍ୟମରେ ଆକଳନ କରାଯାଉଥିଲେ ମଧ୍ୟ ତାହା ଏଯାବତ୍ ଭୁଲ ପ୍ରମାଣିତ ହୋଇଛି । ଅବଶ୍ୟ ରାଜ୍ୟ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବରେ ଯୋଗ ଦେବାକୁ ଆସିଥିବା ପରିପ୍ରେକ୍ଷୀରେ ଖୁବ୍ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ସୂଚାଇଥିବା ବେଳେ ଏବେ ସଭାପତି ମନମୋହନଙ୍କ ଘୋଷଣା ଏହାକୁ ଦୃଢ଼ କରିଛି ।
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ରିପୋର୍ଟ କାର୍ଡ ଦେଇଛନ୍ତି । ଏହି ଆଧାରରେ ସରକାର ବିଜେପି ସଂକଳ୍ପ ପତ୍ରର ୧୧ଟି ଦଫା ପୂରଣ କରିଥିବା ବେଳେ ଅବଶିଷ୍ଟ ସଂକଳ୍ପ ପୂରଣ କରିବା ଲାଗି କାର୍ଯ୍ୟକ୍ରମ ଜାରି ରଖିଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ବାରମ୍ବାର ସୂଚନା ଦେଉଛନ୍ତି । କେତେକ ବିଭାଗର ମନ୍ତ୍ରୀମାନଙ୍କ କାର୍ଯ୍ୟକଳାପ ଓ ବୟାନବାଜି ଦୃଷ୍ଟିରୁ ସେମାନଙ୍କୁ ବଦଳାଯାଇପାରେ ବୋଲି ଏବେ ଦଳୀୟ ସ୍ତରରେ ବ୍ୟାପକ ଚର୍ଚ୍ଚା ଚାଲିଛି । ଏମିତିକି କେତେକ ମନ୍ତ୍ରୀଙ୍କ ବିଭାଗର ମଧ୍ୟ ପରିବର୍ତ୍ତନ ଆସିପାରେ । ତେଣୁ ମନ୍ତ୍ରୀ ପଦକୁ ବଜାୟ ରଖିବା ସହିତ ଭଲ ବିଭାଗ ହାତେଇବା ଲାଗି ଅନେକଙ୍କ ଆଶା ରହିବା ସ୍ୱାଭାବିକ ।
ଭିନ୍ନ ଦଳରୁ ଆସି ବିଜେପି ବିଧାୟକ ହେବା ସହିତ ରାଜ୍ୟରେ ସରକାର ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଧାୟକ ଓ ସାଂସଦମାନଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ । ଏଥିଯୋଗୁ ଅନ୍ୟ ଦଳରୁ ଆସିଥିବା ବହୁ ନେତାଙ୍କ ମନରେ କ୍ଷୋଭ ରହିବା ସ୍ୱାଭାବିକ । ଏହି ସମସ୍ୟାକୁ ଆଖି ଆଗରେ ରଖି କିଛି ଦଳଡିଆଁ ନେତାଙ୍କୁ ମନ୍ତ୍ରୀ କରାଯାଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଥିବା ବେଳେ ମୂଳ ବିଜେପି ନେତାମାନେ କିନ୍ତୁ ଏଥିରେ ସହମତ ଥିବାଭଳି ମନେ ହେଉନାହିଁ ।
ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ପ୍ରତି ସମବେଦନାର ଶୀତଳ ହାୱା ଧୀରେ ଧୀରେ ପ୍ରବାହିତ ହେଉଥିବା ବେଳେ ଅନ୍ୟପକ୍ଷରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତରୁ କଂଗ୍ରେସ ତାହାର ହାତକୁ ଶକ୍ତ କରିବ ବୋଲି ଆଶା ବାନ୍ଧିଛି । ଆଗକୁ ଛାତ୍ର ସଂସଦ, ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ପରିପ୍ରେକ୍ଷୀରେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ପୁନର୍ଗଠନ ବିଶେଷ ଗୁରୁତ୍ୱ ବହନ କରେ । ଏହାଛଡ଼ା ଦଳୀୟ ପଦପଦବୀ ଏବଂ ସରକାରର ବିଭିନ୍ନ କମିଶନ, ନିଗମ, ବୋର୍ଡ ଆଦିରେ କେଉଁମାନେ ସ୍ଥାନ ପାଇବେ ଓ କେଉଁମାନଙ୍କୁ ଉପେକ୍ଷା କରାଯିବ ତାହା ଉପରେ ବି ସମସ୍ତଙ୍କର ନଜର ରହିଛି । ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ କେନ୍ଦ୍ର ନେତୃତ୍ୱଙ୍କ ପରାମର୍ଶକ୍ରମେ ଏ କ୍ଷେତ୍ରରେ ଯାହାକିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । କିନ୍ତୁ କେତେଦିନ ଭିତରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ରାଜନୈତିକ ନେତାମାନଙ୍କୁ ସରକାରୀ ପଦପଦବୀରେ ନିଯୁକ୍ତି ମିଳିବ ତାହାର ସମୟସୀମା ନିର୍ଦ୍ଦିଷ୍ଟ ଭାବେ କେହି ଦେଇପାରୁ ନାହାନ୍ତି । (ତଥ୍ୟ)