ଭୁବନେଶ୍ୱର : ପାଖାପାଖି ୩୦ ବର୍ଷ ଧରି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ପ୍ରକଳ୍ପ ଶେଷ ହେବାପାଇଁ ଆଉ କେତେବର୍ଷ ଲାଗିବ ସେ ସଂକ୍ରାନ୍ତରେ କାହାର ପାଖରେ କିଛି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ । ସମୟ ଗଡିଚାଲିବା ସହ ଏହି ରେଳପଥ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଥିବାରୁ ପ୍ରକଳ୍ପ ବ୍ୟୟ ମଧ୍ୟ ଢେର ବଢି ଚାଲୁଛି ।
ଓଡିଶାବାସୀଙ୍କର ପ୍ରାୟ ଶହେ ବର୍ଷର ଦାବିକୁ ଗ୍ରହଣ କରି କେନ୍ଦ୍ର ସରକାର ୧୯୯୪-୯୫ ବର୍ଷରେ ୨୮୯ କିଲୋମିଟର ଦୈର୍ଘ୍ୟର ଖୋରଧା-ବଲାଙ୍ଗିର ରେଳପଥ ପାଇଁ ଅନୁମୋଦନ ମିଳିଥିଲା । ତେବେ ଏଯାବତ୍ ଏହି ରେଳପଥର ନିର୍ମାଣ କାର୍ଯ୍ୟ ଗୋଟିଏ ପଟେ ଅବିଭକ୍ତ ପୁରୀ ଓ ଅନ୍ୟ ପଟେ ଅବିଭକ୍ତ ବଲାଙ୍ଗିର ଜିଲ୍ଲା ମଧ୍ୟରେ ସୀମିତ ଥିବାବେଳେ ଅନ୍ୟ ଜିଲ୍ଲାଗୁଡିକରେ କାମ ଆରମ୍ଭ ହୋଇନାହିଁ । ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ମଧ୍ୟରେ ସମନ୍ୱୟ ଅଭାବ କାରଣରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି ।
ଇତି ମଧ୍ୟରେ ଏହି ପ୍ରକଳ୍ପ ପାଇଁ ବାଧକ ଥିବା ପରିବେଶ ଅନୁମୋଦନ ମିଳି ସାରିଥିବା ଏବଂ କେନ୍ଦ୍ରରେ ଏବେ ଓଡିଶାର ଜଣେ ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଥିବା ଦୃଷ୍ଟିରୁ ଖୁବ୍ଶୀଘ୍ର ଏହି ରେଳପଥ କାର୍ଯ୍ୟକ୍ଷମ ହେବବୋଲି ଆଶା କରାଯାଉଛି ।
୧୯୯୪-୯୫ରୁ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରୋଡ୍ ପଟୁ ନୟାଗଡ ଜିଲ୍ଲାର ମହୀପୁର ପର୍ଯ୍ୟନ୍ତ ୭୭ କିଲୋମିଟର ଏବଂ ବଲାଙ୍ଗିର ପଟୁ ବିଚ୍ଛୁପାଲ୍ଲୀ ପର୍ଯ୍ୟନ୍ତ ମାତ୍ର ୧୬ କିଲୋମିଟର ରେଳପଥ କାର୍ଯ୍ୟକ୍ଷମ ହୋଇ ଏହା ଉପରେ ରେଳ ଚଳାଚଳ କରୁଛି । ମହୀପୁର ଠାରୁ ଦଶପଲ୍ଲାର ନୂଆଗାଁ ପର୍ଯ୍ୟନ୍ତ ଆଉ ୯୧ କିଲୋମିଟର ରେଳପଥ ନିର୍ମାଣ ଚାଲିଛି । ଖୋର୍ଦ୍ଧାରୋଡ୍ ଠାରୁ ନୂଆଗାଁ ପର୍ଯ୍ୟନ୍ତ ରେଳ ଚଳାଚଳ ୨୦୨୩ ବର୍ଷରେ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।
ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ଆଉ ୧୦୫ କିଲୋମିଟରରେ କାମ ଆରମ୍ଭ ହୋଇନାହିଁ । ୨୮୯ କିଲୋମିଟର ମଧ୍ୟରୁ ୧୮୪ କିଲୋମିଟରର ରେଳପଥ କାମ ପାଇଁ ପାଖାପାଖି ୩୦ ବର୍ଷ ସମୟ ଲାଗିଥିବାବେଳେ ଅବଶିଷ୍ଟ ୧୦୫ କିଲୋମିଟର ଏହି ହାରରେ କେତେ ବର୍ଷରେ ସରିବ ତାହା ଏବେ ପ୍ରଶ୍ନବାଚୀ ।
ଏଠାରେ ଉଲ୍ଲେଖନୀୟ ଯେ ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥ ଖୋର୍ଦ୍ଧା, ନୟାଗଡ, ଫୁଲବାଣୀ, ବୌଦ ଓ ସୋନପୁର ଜିଲ୍ଲା ଦେଇ ଯାଉଛି । ଏଥିରୁ ଫୁଲବାଣୀ, ବୌଦ ଓ ସୋନପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଯାବତ୍ କିଛି ନିର୍ମାଣ କାର୍ଯ୍ୟ ହୋଇନାହିଁ । ବଲାଙ୍ଗିର ଓ ନୟାଗଡ ଜିଲ୍ଲାରେ ବି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ।
ଏହି ରେଳପଥ ଦ୍ୱାରା ପଶ୍ଚିମ ଓ ଉପକୂଳ ଓଡିଶା ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇବ ଏବଂ ଏହାର ପ୍ରଭାବରେ ଆର୍ଥିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ବାରମ୍ବାର କୁହାଯାଉଛି । କିନ୍ତୁ କେବେ ସୁଦ୍ଧା ଏହି ରେଳପ୍ରକଳ୍ପ କାର୍ଯ୍ୟ ସରିବ ସେଥିଘେନି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖାଯାଇ ନାହିଁ ।
ଇତି ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୮୦ ପ୍ରତିଶତ ଜମି ଅଧିଗ୍ରହଣ କରି ରେଳ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ସହ ନିଜ ଆଡୁ ୪୮୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଏକ ଚୁକ୍ତିନାମା କରି ଏହି ରେଳପଥ ପାଇଁ ମାଗଣାରେ ଜମି ଓ ନିର୍ମାଣ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବାକୁ ଘୋଷଣା କରିଥିଲେ । ପରିବହନ ବିଭାଗର ଅଧିକାରୀମାନେ କହୁଛନ୍ତି ଯେ ରାଜ୍ୟ ସରକାର ଚୁକ୍ତି ମୁତାବକ ଜମି ଓ ଟଙ୍କା ଯୋଗାଉଥିଲେ ମଧ୍ୟ କାମ ଦ୍ରୁତଗତିରେ ଆଗେଇ ପାରୁନାହିଁ । (ତଥ୍ୟ)