ଭୁବନେଶ୍ୱର : ଓଡିଶାରେ ହୋଇଥିବା ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନର ସାତ ବର୍ଷ ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ଖୋରଧା ନିକଟବର୍ତ୍ତୀ ବରୁଣେଇ ଠାରେ ପାଇକ ବିଦ୍ରୋହର ସ୍ମାରକୀ ଏଯାବତ୍ ନିର୍ମିତ ହୋଇପାରି ନାହିଁ । କେବେ ସୁଦ୍ଧା ଏହି କାର୍ଯ୍ୟ ସରିବ ସେ ସଂକ୍ରାନ୍ତରେ ବି କେହି ନିର୍ଦ୍ଦିଷ୍ଟ ଭାବେ କିଛି ତଥ୍ୟ ଦେଇପାରୁ ନାହାନ୍ତି ।
ପାଇକ ବିଦ୍ରୋହର ଭବ୍ୟ ସ୍ମାରକୀ ନିର୍ମାଣ ପାଇଁ ଭାରତ ସରକାରଙ୍କ ଏକ ତୈଳ କମ୍ପାନୀ ୧୦୦ କୋଟି ଟଙ୍କା ଦେଇଥିବାବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବି ଏଥିଲାଗି ଆର୍ଥିକ ଅନୁଦାନ ଦେବ ବୋଲି ଘୋଷଣା କରିଥିଲା । ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାଦ ଦେଶରେ ଏହି ସ୍ମାରକୀପାଇଁ ଶିଳାନ୍ୟାସ କରିଥିଲେ । ଓଡିଶାର ବିଭିନ୍ନ ଅଞ୍ଚଳରେ ଏବଂ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ୨୦୧୭ ମସିହାରେ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଥିଲା । ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଓ ରାଜ୍ୟର ବହୁ ମନ୍ତ୍ରୀଙ୍କ ସମେତ ରାଜନେତା, ଐତିହାସିକ ଆଦି ଅଂଶଗ୍ରହଣ କରିଥିଲେ । ଏହି ସ୍ମାରକୀ ନିର୍ମାଣ ଲାଗି ବରୁଣେଇ ପାଦଦେଶରେ ରାଜ୍ୟ ସରକାର ୧୦ଏକର ଜମି ଯୋଗାଇ ଦେଇଥିବାବେଳେ ସ୍ମାରକୀପାଇଁ କିନ୍ତୁ ଅଧିକ ଜମି ଆବଶ୍ୟକ ଥିବା କୁହାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାପାଇଁ ସେତେବେଳେ ଘୋଷଣା କରାଯାଇଥିଲା । ଏହି ଅବସରରେ ପାଇକ ବିଦ୍ରୋହର ଇତିହାସକୁ ଆଧାର କରି ଅନେକ ପୁସ୍ତକ ବି ରଚନା ହୋଇଥିଲା ।
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନର ପ୍ରାୟ ୧୫ବର୍ଷ ପୂର୍ବରୁ ଦିଲ୍ଲୀର ସଂସଦ ଭବନ ପରିସରରେ ବକ୍ସି ଜଗବନ୍ଧୁଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ସଂସଦଭବନ ପରିସରରେ ଛତ୍ରପତି ଶିବାଜୀ, ମହାରାଣା ପ୍ରତାପ, କିଟ୍ଟୁର ରାଣୀ ଚେନ୍ନାମା ଆଦିଙ୍କ ଭବ୍ୟ ପ୍ରତିମୂର୍ତ୍ତି ରହିଥିବାବେଳେ ବକ୍ସି ଜଗବନ୍ଧୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ କିନ୍ତୁ ଏଯାବତ୍ ସେଠାରେ ୩୦୦ ବର୍ଗଫୁଟର ଜାଗା ଖଣ୍ଡେ ମିଳିପାରୁ ନାହିଁ ।
ସଂସଦ ଭବନ ପରିସରରେ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତି ରହିଥିଲେ ମଧ୍ୟ ଏଯାବତ୍ କୌଣସି ଓଡିଆଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପିତ ହୋଇନାହିଁ । ଏ ସଂକ୍ରାନ୍ତରେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ପ୍ରାୟ ୪୦ବର୍ଷ ଧରି ଅବଗତ କରାଯାଉଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଉନଥିବା ସଂସ୍କୃତି ପ୍ରେମୀମାନେ କହୁଛନ୍ତି ।
ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, କୃତୀବାସ ପାଟ୍ଟଶାଣୀ, ଭାଗୁ ହରିଚନ୍ଦନ, ବ୍ରଜାନନ୍ଦ ସିଂହ, ପିଣ୍ଡିକି ବାହୁବଳେନ୍ଦ୍ର, ପଦ୍ମନାଭ ଛୋଟରାୟ, ଧରମୁ ହରିଚନ୍ଦନଙ୍କ ଭଳି ଅଗ୍ରଗଣ୍ୟ ପାଇକ ନେତାମାନଙ୍କର ସେଭଳି ସୁଦୃଶ୍ୟ ସ୍ମାରକୀ ନିର୍ମିତ ହୋଇନାହିଁ । ଏହାଛଡା ପାଇକ ବିଦ୍ରୋହ କାଳରେ ପିପିଲି, ପଟ୍ଟାମୁଣ୍ଡାଇ, କୋଠଦେଶ, କୁଜଙ୍ଗ, ହରିଶପୁର, ମରିଚପୁର, ଅସୁରେଶ୍ୱର, ପ୍ରହରାଜପୁର, ଗୋପ, ଖୋରଧା, ବାଣପୁର, କନିକା, ଘୁମୁଷର ଆଦିର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯେଭଳି ସଶସ୍ତ୍ର ସଂଗ୍ରାମ ହୋଇଥିଲା ତାହାର ମଧ୍ୟ ଉପଯୁକ୍ତ ମୂଲ୍ୟାୟନ କରାଯାଇନାହିଁ । ଏହାଛଡା ଡୋରା ବିଶୋୟୀ, ଚକରା ବିଶୋୟୀ, କମଳଲୋଚନଙ୍କ ଭଳି ଆଦିବାସୀ ନେତାମାନେ ଯେଭଳି ଜୀବନଦାନ କରିଥିଲେ ସେସବୁର ସ୍ମାରକୀ ବରୁଣେଇରେ ରଖିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)