ଭୁବନେଶ୍ୱର : ରାଜ୍ୟରେ ଦୈନିକ ୫ଲକ୍ଷ ଲିଟରରୁ ଅଧିକ କ୍ଷୀର ଉତ୍ପାଦନ ହେଉଥିବାବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନରେ କ୍ଷୀର ଯୋଗାଣ ପାଇଁ ଥିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରୁ ନାହିଁ । ବର୍ତ୍ତମାନ ଏହି ବ୍ୟବସ୍ଥାଟି କେବଳ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକରେ ସୀମିତ ରହିଛି ।
ରାଇରଙ୍ଗପୁର ବ୍ଲକର ୧୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନରେ ଦୈନିକ କ୍ଷୀର ଯୋଗାଯାଉଛି । ବିଦ୍ୟାଳୟର ପ୍ରତି ପିଲାଙ୍କୁ ଦୈନିକ ୨୦୦ ଗ୍ରାମ କ୍ଷୀର ଯୋଗାଣ ହେଉଥିବାବେଳେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ଫାଉଣ୍ଡେସନ ଫର୍ ନ୍ୟୁଟ୍ରେସନର ‘ଗିଫ୍ଟ ମିଲ୍କ’ ଯୋଜନାରେ ଏହା ମିଳୁଛି । ଏ ବାବଦରେ ସମସ୍ତ ବ୍ୟୟ ଏନଡିଡିବି ପକ୍ଷରୁ ବହନ କରାଯାଉଛି ।
ଏନଡିଡିବି ଏହି ଯୋଜନା ଅନୁରୂପ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅଣ୍ଡା ବଦଳରେ ଦୁଗ୍ଧ ଯୋଗାଇ ଦେବାକୁ ଦାବି ହୋଇ ଆସୁଛି । ଓଡିଶା ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା ଏ ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦେଇ ଆସୁଛନ୍ତି । ନିକଟରେ ରାଜ୍ୟ ସରକାର ମଧ୍ୟ ଏ ନେଇ ସକରାତ୍ମକ ମନୋଭାବ ପୋଷଣ କରିଥିଲେ । କିନ୍ତୁ କୌଣସି କାରଣରୁ ଏହି ଯୋଜନାଟି ଆଗେଇ ପାରୁନାହିଁ ।
ବର୍ତ୍ତମାନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନଭୋଜନରେ ସପ୍ତାହକୁ ଦୁଇ ଦିନ ଗୋଟିଏ କରି ଅଣ୍ଡା ଦିଆଯାଉଛି । ବଜାରରେ ଅଣ୍ଡା ଗୋଟାପ୍ରତି ଅତି କମ୍ରେ ୮ ଟଙ୍କା ହୋଇଥିବାରୁ ଏହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ୟାରେ ପଡୁଛନ୍ତି । ତେବେ ଏତିକି ଅର୍ଥରେ ପିଲାଙ୍କୁ ୨୦୦ ଗ୍ରାମର ଭଲ ଦୁଗ୍ଧ ଯୋଗାଯାଇ ପାରିବ । ମଧ୍ୟାହ୍ନଭୋଜନରେ ଥିବା ବ୍ୟବସ୍ଥା ଅନୁଯାୟୀ ଯେଉଁ ପିଲାମାନେ ନିରାମିଷାସି ବା ଅଣ୍ଡା ନଖାଇବେ ସେମାନଙ୍କୁ ଋତୁକାଳୀନ ଫଳ ଯୋଗାଇ ଦିଆଯିବ । ତେବେ ଏହା ପ୍ରାୟତଃ ପିଲାଙ୍କୁ ମିଳେ ନାହିଁ । ତେଣୁ ସବୁ ପିଲାଙ୍କୁ କ୍ଷୀର ଯୋଗାଇ ଦିଆଗଲେ ରାଜ୍ୟରେ କ୍ଷୀର ବ୍ୟବହାର ବଢିବା ସହିତ ଦୁଗ୍ଧଚାଷୀମାନେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଅଧିକ ସକ୍ଷମ ହୋଇପାରିବେ । କାରଣ ମଧ୍ୟାହ୍ନଭୋଜନ ଅଣ୍ଡା ବାବଦରେ ଓଡିଶାର ମୋଟା ଅଙ୍କର ଅର୍ଥ ଅନ୍ୟ ରାଜ୍ୟକୁ ଚାଲିଯାଉଛି ।
ଓଡିଶାର ଲାଭଜନକ ସରକାରୀ ସଂସ୍ଥା ଓମଫେଡ୍ ଏହି ଦୁଗ୍ଧ ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଥିବାବେଳେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଶ୍ରୀ ବେହେରା କହିଛନ୍ତି । ଉଲ୍ଲେଖନୀୟ ଯେ ରାଜ୍ୟରେ ଓମ୍ଫେଡ୍ ଏବେ ଦୈନିକ ଏକ ଲକ୍ଷ ୧୮ହଜାରରୁ ଅଧିକ ଚାଷୀଙ୍କ ଠାରୁ ୫ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ଉତ୍ପାଦନ ହେଉଥିବାବେଳେ ଏହାର ପରିମାଣ ବଢିବାରେ ଲାଗିଛି । ଓଡିଶା ଏବେ ଅନ୍ୟ ରାଜ୍ୟକୁ ଦୁଗ୍ଧଗୁଣ୍ଡ ଓ ଦୁଗ୍ଧ ଉତ୍ପାଦନ ସାମଗ୍ରୀ ରପ୍ତାନି କରୁଥିବାବେଳେ ବଳକା ଦୁଗ୍ଧକୁ ଅନ୍ୟ ଦୁଗ୍ଧ କମ୍ପାନୀଗୁଡିକୁ ବିକ୍ରି କରାଯାଉଛି ।
ଏଭଳି ସ୍ଥିତିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକରଯୁକ୍ତ ଖାଦ୍ୟ ଭାବରେ ଦୁଗ୍ଧ ଯୋଗାଇ ଦିଆଗଲେ କେବଳ ରାଜ୍ୟର ପିଲାମାନେ ଉପକୃତ ହେବେନାହିଁ, ଓମ୍ଫେଡ୍ ଏବଂ ଏହା ସହିତ ଅନୁବନ୍ଧିତ ଦୁଗ୍ଧଚାଷୀମାନେ ମଧ୍ୟ ଲାଭବାନ୍ ହେବାକୁ ଥିବାରୁ ସରକାର ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । (ତଥ୍ୟ)