ଭୁବନେଶ୍ୱର : କଟକରେ ଆପାର୍ଟମେଣ୍ଟର ବାଲକୋନି ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କେତେ ବେଆଇନ୍ ଆପାର୍ଟମେଣ୍ଟ ରହିଛି ଓ ଆଉ କେତେ ଘର ବିପଦସଂକୁଳ ଅବସ୍ଥାରେ ଅଛି ସେଥିଘେନି ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଯାଇଛି ।
ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ପୁୂରୀ ଭଳି ସହରାଞ୍ଚଳରେ ଉନ୍ନୟନ କର୍ତ୍ତୃପକ୍ଷ ଓ ପୌର ସଂସ୍ଥାଙ୍କ ବିନା ପ୍ଲାନ୍ ଅନୁମୋଦନରେ ଆପାର୍ଟମେଣ୍ଟ ତ ଦୂରର କଥା ଘରେ ଖଣ୍ଡେ ବି ନିର୍ମାଣ ହୋଇପାରିବ ନାହିଁ । ଯେଉଁମାନେ ବେଆଇନ୍ ନିର୍ମାଣ କରିବେ ସେମାନଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ସହିତ ସଂପୃକ୍ତ ଆପାର୍ଟମେଣ୍ଟ ଆଦିକୁ ଭାଙ୍ଗିଦେବା ପାଇଁ ବିଧିବ୍ୟବସ୍ଥା ରହିଛି । ତେବେ ବେଆଇନ୍ ଆପାର୍ଟମେଣ୍ଟ ସଂଖ୍ୟା ଗଣି ଏ ସଂକ୍ରାନ୍ତୀୟ ତଥ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରମ୍ବାର ବିଧାନସଭାରେ ଦିଆଯିବା ସହିତ ବେଆଇନ୍ ଆପାର୍ଟମେଣ୍ଟ ଭାଙ୍ଗିବା ପାଇଁ ମଧ୍ୟ କୁହାଯାଉଛି । କିନ୍ତୁ ଏ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ କଟକ ଭଳି ରାଜ୍ୟର ଅନ୍ୟ ଅଞ୍ଚଳରେ ଯେ ଅଘଟଣମାନ ନଘଟିବ ସେଥିଘେନି କେହି ଗ୍ୟାରେଣ୍ଟି ଦେଇପାରୁ ନାହାନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ କଟକ ସହରର କେନ୍ଦ୍ରସ୍ଥଳୀ ମଣିସାହୁ ଛକ ନିକଟରେ ଏକ ଦୁଇମହଲା ଘର ନିର୍ମାଣ ପାଇଁ କର୍ତ୍ତୃପକ୍ଷ ଅନୁମତି ଦେଇଥିବାବେଳେ ସେଠାରେ ୫ମହଲା ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି ଏବଂ ଏହି ଆପାର୍ଟମେଣ୍ଟର ଏକ ବାଲ୍କୋନି ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କ ନିକଟରେ ତଥ୍ୟ ଥିବାବେଳେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଗଲା ନାହିଁ ସେ ସଂପର୍କରେ ଖୋଳତାଡ଼ କରିବା ଲାଗି ଏବେ ଜିଲ୍ଲା ପ୍ରଶାସନ ଏକ କମିଟି ଗଠନ କରିଛି ।
ପ୍ରାୟ ବର୍ଷକ ତଳେ ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ୭୧୯ଟି ବେଆଇନ୍ ଆପାର୍ଟମେଣ୍ଟ ରହିଛି, ଯେଉଁଥିରୁ କେବଳ ଭୁବନେଶ୍ୱରରେ ଏଭଳି ୬୮୯ଟି ଆପାର୍ଟମେଣ୍ଟ ଅଛି । ଗତ ସରକାର ସମୟରେ ଦିଆଯାଇଥିବା ତଥ୍ୟ ମୁତାବକ ଭୁବନେଶ୍ୱରରେ ୧୯୧ଟି ବେଆଇନ୍ ସୌଧକୁ ଭାଙ୍ଗିବା ପାଇଁ ଆଦେଶନାମା ବିଡିଏ ପକ୍ଷରୁ ଜାରି ହୋଇଥିଲା । ବିଏମ୍ସି ମଧ୍ୟ ଆଉ କେତେକ ସ୍ଥଳରେ ବେଆଇନ୍ ନିର୍ମାଣ ହଟାଇବା ଲାଗି ନୋଟିସ ଦେଇଥିଲା । କଟକରେ ବି ବିପଜ୍ଜନକ ଓ ବେଆଇନ୍ ସୌଧଗୁଡ଼ିଏ ଚିହ୍ନଟ କରାଯାଇଥିଲା । କିନ୍ତୁ ଏ କ୍ଷେତ୍ରରେ ଧିମା କାର୍ଯ୍ୟାନୁଷ୍ଠାନ ଯୋଗୁ ବେଆଇନ୍ ଆପାର୍ଟମେଣ୍ଟଗୁଡ଼ିକ ଏବେ ବି ମୁଣ୍ଡ ଟେକି ଛିଡ଼ା ହୋଇଛି ।
ବହୁ ଆପାର୍ଟମେଣ୍ଟ ବିଡିଏ ଓ ବିଏମ୍ସି ପ୍ଲାନ୍ ବହିର୍ଭୂତ କାର୍ଯ୍ୟ କରିଛନ୍ତି । ଅନେକ ଆପାର୍ଟମେଣ୍ଟର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ । ଏମିତିକି ନିଆଁ ଲାଗିଲେ କେତେକ ଆପାର୍ଟମେଣ୍ଟ ପରିସରକୁ ଦମକଳ ଗାଡ଼ି ମଧ୍ୟ ପ୍ରବେଶ କରିପାରିବ ନାହିଁ । କମ ଜାଗାରେ ବ୍ୟବସାୟିକ ଭିତ୍ତିରେ ଅଧିକ ଘର ନିର୍ମାଣ ଫଳରେ ବାୟୁ ଚଳାଚଳ ବାଧାପ୍ରାପ୍ତ ହେବା ସହ ସୂର୍ଯ୍ୟ କିରଣ ମଧ୍ୟ ଠିକ୍ ଭାବରେ ପଡୁନାହିଁ । ଏଥିଯୋଗୁ ଡ୍ରେନେଜ୍, ସ୍ୱରେଜ ବ୍ୟବସ୍ଥା ବି ବିଗୁଡ଼ୁଛି । ବିଶେଷକରି ହାଉସିଂବୋର୍ଡ, ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଆଦି ବାସଘର ପାଇଁ ରିହାତି ଦରରେ ଯେଉଁ ଜମି ଓ ଘର ଯୋଗାଇଥିଲେ ସେଥିରୁ ଅନେକ ବି ବିଲଡରମାନଙ୍କ କବ୍ଜାରେ । ଏ ପରିପ୍ରେକ୍ଷୀରେ ବର୍ଷବର୍ଷ ଧରି ବେଆଇନ ଆପାର୍ଟମେଣ୍ଟ ନିର୍ମାଣକାରୀମାନେ ଫାଇଦା ଉଠାଉଥିବାବେଳେ ଉପଭୋକ୍ତା ଓ ପଡ଼ୋଶୀମାନଙ୍କ ଜୀବନ ପ୍ରତି ବିପଦ ରହୁଥିବା କୁହାଯାଉଛି । (ତଥ୍ୟ)

