ଭୁବନେଶ୍ୱର : ପାଣ୍ଠି ଯୋଗାଡ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁ ନାହିଁ । ବିଶେଷକରି ସ୍ମାର୍ଟସିଟିର ବିଭିନ୍ନ ପ୍ରକଳ୍ପରେ ବିଜ୍ଞାପନ ଲଗାଇବା ଅନୁମତି ଦେଇ ପାଣ୍ଠି ଯୋଗାଡର ଯୋଜନା ଏକ ପ୍ରକାର ଶୀତଳଭଣ୍ଡାରରେ ରହିଗଲାଣି ।
କେନ୍ଦ୍ର ସରକାର ସ୍ମାର୍ଟସିଟି ଯୋଜନାକୁ ବନ୍ଦ କରିଦେବାପରେ ଭୁବନେଶ୍ୱର ସ୍ମାର୍ଟସିଟି ପ୍ରକଳ୍ପ ଚଳାଇବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଓ ବିଏମ୍ସି ଅଧିକାରୀମାନେ ଯୋଗ ଦେଇ ପାଣ୍ଠି କେଉଁଠାରୁ ଆସିବ ତାହା ଉପରେ ତନଘନା ଆଲୋଚନା କରିଥିଲେ ।
ନିଷ୍ପତ୍ତି ହୋଇଥିଲା ଯେ ଅଚଳ ହୋଇପଡିଥିବା ସ୍ମାର୍ଟ କିଓସ୍କ ସମେତ ବହୁତଳୀୟ ପାର୍କିଂ ସ୍ଥଳୀରେ ବିଜ୍ଞାପନ ଲଗାଯିବାକୁ ଅନୁମତି ଦିଆଯିବ । ଏଥିରୁ ମୋଟା ଅଙ୍କର ଆୟ ପାଇଁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିଲେ । ଏଥି ସହିତ ବିଏମସି ସ୍ମାର୍ଟଜନପଥରୁ ଯେଉଁ ଟିକସ ଆଦାୟ କରୁଛି ସେଥିରୁ ମଧ୍ୟ ସ୍ମାର୍ଟସିଟି କର୍ତ୍ତୃପକ୍ଷ ତାଙ୍କର ଅଂଶ ପାଇବାପାଇଁ ସ୍ଥିର ହୋଇଥିଲା ।
ହେଲେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ୟ କରାଯାଉନାହିଁ । ଲକ୍ଷାଧିକ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ସ୍ମାର୍ଟ କିଓସ୍କଗୁଡିକ ଏବେ ଅଚଳ ହୋଇ ପଡିଛି । ଏହା ଜରିଆରେ ରାଜଧାନୀବାସୀ ସମସ୍ତ ପ୍ରକାର ଟିକସ ପଇଠ କରିବାକୁ ଯେଉଁ ଲକ୍ଷ୍ୟଥିଲା ତାହା ଦିନକ ପାଇଁ ବି କାର୍ଯ୍ୟକାରୀ ହେଲାନାହିଁ । ଏହାଏବେ ଭାଙ୍ଗିରୁଜି ଯିବା ସହିତ ରାସ୍ତାକଡରେ ଛିଡାହୋଇ ରହିଛି । ଏହାକୁ ବିଜ୍ଞାପନ ବୋର୍ଡ ଭାବେ ବ୍ୟବହାର କରାଗଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ବିପୁଳ ଅର୍ଥ ପାଇପାରନ୍ତେ । ସେହିଭଳି ସ୍ମାର୍ଟ ଜନପଥରେ ଲାଗିଥିବା ହୋର୍ଡିଂ ଠାରୁ ଆରମ୍ଭ କରି ସ୍ମାର୍ଟ କିଓସ୍କ ରହିଛି । ଏଠାରୁ ମିଳୁଥିବା ବିଜ୍ଞାପନ ଅର୍ଥରୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଅର୍ଥ ପାଇପାରୁ ନାହାନ୍ତି ।
ସେହିଭଳି ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କର ସହର ଭିତରେ ଦୁଇଟି ବହୁତଳୀୟ ପାର୍କିଂସ୍ଥଳ ରହିଛି । ଏଥିରୁ କିଛି ଅଂଶ ଭଡାଦେଇ ସେଥିରୁ ଅର୍ଥ ପାଉଥିବାବେଳେ ଏଠାରେ ବି ବିଜ୍ଞାପନ ହୋର୍ଡିଂ ଲଗାଇ ଅର୍ଥ ଆଦାୟ କରିବାର ଯୋଜନା ଥିଲା । ତାହା ବି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରି ନାହିଁ । ସେହିଭଳି ଭୁବନେଶ୍ୱରରେ ସ୍ମାର୍ଟ ଟ୍ରାଫିକ ପରିଚାଳନା ଠାରୁ ଆରମ୍ଭ କରି ୨୩ରୁ ଅଧିକ ପ୍ରକଳ୍ପ ସ୍ମାର୍ଟସିଟି ଅଧିନରେ ରହିଛି । ଏହାକୁ ଏବେ କିଭଳି ପରିଚାଳନା କରାଯିବ ତାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
କ୍ରୁଟ୍ କର୍ତ୍ତୃପକ୍ଷ ଆମ ବସ୍ରେ ରଙ୍ଗ ବେରଙ୍ଗର ବିଜ୍ଞାପନ ହୋର୍ଡିଂ ମାରି ଟଙ୍କା ରୋଜଗାର କରୁଥିବାବେଳେ ସ୍ମାର୍ଟସିଟି କର୍ତ୍ତୃପକ୍ଷ କ’ଣ ପାଇଁ ଏ କ୍ଷେତ୍ରରେ ପଛୁଆ ରହୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ କେଉଁଠି ଅସୁବିଧା ରହୁଛି ତାହାକୁ କିଛି ବରିଷ୍ଠ ଅଧିକାରୀ ବି ଜାଣିପାରୁ ନାହାନ୍ତି । (ତଥ୍ୟ)

