Home News in Odia କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶାରୁ ତିନି

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶାରୁ ତିନି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନ୍‍ଡିଏ ସରକାର ଶପଥଗ୍ରହଣ କରିଥିବାବେଳେ ସେଥିରେ ଓଡିଶାରୁ ତିନି ଜଣ ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଥିବାବେଳେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରହିଛନ୍ତି । ତିନିଜଣଯାକ ମନ୍ତ୍ରୀ କ୍ୟାବିନେଟ୍‍ ପାହ୍ୟା ପାଇଛନ୍ତି ।

ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବାବେଳେ ଚଳିତ ନିର୍ବାଚନରେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି । ଏହା ତାଙ୍କର ଲୋକସଭାକୁ ଦ୍ୱିତୀୟ ବାର ବିଜୟ । ସେହିଭଳି ସାଂସଦ ଜୁଏଲ ଓରାମ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ପାଞ୍ଚ ଥରର ସାଂସଦ ଜୁଏଲ ପୂର୍ବରୁ ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ ।

ଅଳ୍ପଦିନ ତଳେ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀଭାବେ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ ଏବେ କେନ୍ଦ୍ର ସରକାରରେ ରେଳ ଓ ଆଇଟି ମନ୍ତ୍ରୀ ରହିଛନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ତାଙ୍କୁ କେଉଁ ପାହ୍ୟା ମିଳୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଶ୍ରୀ ବୈଷ୍ଣବ ମଧ୍ୟ ବିଜେଡି ସମର୍ଥନରେ ଲଗାତାର ଭାବେ ଓଡିଶାରୁ ଦୁଇ ଦୁଇଥର ରାଜ୍ୟସଭାକୁ ଯାଇଛନ୍ତି ।

ଚଳିତ ର୍ନିବାଚନରେ ବିଜେପି ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୨୦ଟି ବିଜୟୀ ହୋଇ ରେକର୍ଡ କରିଥିବାରୁ ଆଗାମୀ ଦିନରେ ଓଡିଶାରୁ ଆଉ କିଛି ସାଂସଦ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ସେହିଭଳି କଟକ ଲୋକସଭା ଆସନରୁ ବିଜୟୀ ହୋଇଥିବା ସାଂସଦ ଭର୍ତ୍ତୃହରି ମହାତବ ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ବାଚସ୍ପତି ପଦ ପାଇଁ ଦାବିଦାରଙ୍କ ମଧ୍ୟରେ ଆଗରେ ରହିଛନ୍ତି ।