Home General କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ସର୍ବାଧିକ ସମୟ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ସର୍ବାଧିକ ସମୟ

ଭୁବନେଶ୍ୱର : ୭୮ବର୍ଷ ଭିତରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଓଡ଼ିଶାରୁ ପାଖାପାଖି ୩ ଡଜନ ନେତା ସ୍ଥାନ ପାଇଥିବା ବେଳେ କ୍ୟାବିନେଟ୍‍ ମନ୍ତ୍ରୀଭାବେ ସର୍ବାଧିକ ସମୟ ବିତାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଦେଶ ସ୍ୱାଧୀନ ହେବା ବେଳେ ଗଢ଼ାଯାଇଥିବା କେନ୍ଦ୍ର ସରକାରରେ ଓଡ଼ିଶାରୁ କେହି ପ୍ରତିନିଧି ନଥିଲେ । ତେବେ ସମ୍ବିଧାନ ଲାଗୁ ହେବା ପରେ ହରେକୃଷ୍ଣ ମହତାବଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରୁ ନେଇ କେନ୍ଦ୍ର କ୍ୟାବିନେଟ୍‍ରେ ଶିଳ୍ପ ଓ ଯୋଗାଣ ବିଭାଗ ଦାୟିତ୍ୱ ଦିଆଯାଇଥିଲା । ଏଠାରେ ଉଲ୍ଲେଖନୀୟ ଯେ ପଣ୍ଡିତ ଜବାହରଲାଲ ନେହରୁଙ୍କ କ୍ୟାବିନେଟ୍‍ରେ ଏହି ବିଭାଗର ମନ୍ତ୍ରୀ ଥିବା ଡ. ଭାରତୀୟ ଜନସଂଘର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ମହତାବଙ୍କୁ ନିଆଯାଇଥିଲା ।

୧୯୫୫ରୁ ୧୯୬୬ ମଧ୍ୟରେ ନିତ୍ୟାନନ୍ଦ କାନୁନ୍‍ଗୋ ଅନ୍ୟୁନ ୪ଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରହିଥିବା ବେଳେ ବିଭୁଧେନ୍ଦ୍ର ମିଶ୍ର ବି ଦୁଇଥର ମନ୍ତ୍ରୀ ରହିଥିଲେ । ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ଏକାଧିକ ବାର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବାବେଳେ ସମରେନ୍ଦ୍ର କୁଣ୍ଡୁ, ରବି ରାୟ, ଚୈତନ୍ୟ ପ୍ରସାଦ ମାଝୀ, ଜଗନ୍ନାଥ ରାଓ ଆଦି ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ଏମାନଙ୍କ ଛଡ଼ା କାମାକ୍ଷା ପ୍ରସାଦ ସିିଂହଦେଓ, ଗିରିଧର ଗମାଙ୍ଗ, ବ୍ରଜମୋହନ ମହାନ୍ତି, ରାମଚନ୍ଦ୍ର ରଥ, ଚିନ୍ତାମଣି ପାଣିଗ୍ରାହୀ ଆଦି ମଧ୍ୟ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ ।

ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାରରେ ଓଡ଼ିଶାରୁ ସର୍ବାଧିକ ୫ଜଣ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ଥିଲେ । ଏମାନେ ହେଲେ ନୀଳମଣି ରାଉତରାୟ, ଭାଗେ ଗୋବର୍ଦ୍ଧନ, ଶ୍ରୀକାନ୍ତ ଜେନା, ଭଜମନ ବେହେରା ଓ ଭକ୍ତଚରଣ ଦାସ । ଚନ୍ଦ୍ରଶେଖରଙ୍କ ସରକାରରେ ଭକ୍ତ ଓ ଭାଗେ ବି ମନ୍ତ୍ରୀ ରହିଥିଲେ । ୧୯୯୧ରେ ପି.ଭି. ନରସିଂହ ରାଓଙ୍କ ସରକାରରେ ଗିରିଧର ଗମାଙ୍ଗ, କେ.ପି. ସିଂହଦେଓ ଓ କାହ୍ନୁଚରଣ ଲେଙ୍କା ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୯୬ର ଦେବେଗୌଡ଼ା ସରକାରରେ ଶ୍ରୀକାନ୍ତ ଜେନା, ଦିଲ୍ଲୀପ ରାୟ ଏବଂ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କର୍ଣ୍ଣାଟକର ଏସଆର ବୋମାଇ ମନ୍ତ୍ରୀ ହୋଇଥିଲେ । ଗୁଜରାଲ ସରକାରରେ ମଧ୍ୟ ଏମାନେ ରହିଥିଲେ ।

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ପାଳିର ୧୩ଦିନିଆ ସରକାରରେ ଓଡ଼ିଶାର କେହି ମନ୍ତ୍ରୀ ନଥିଲେ । ତେବେ ୧୯୯୮ରେ ତାଙ୍କ ଦ୍ୱିତୀୟ ପାଳିର ସରକାରରେ ନବୀନ ପଟ୍ଟନାୟକ, ଦିଲ୍ଲୀପ ରାୟ ଓ ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଥବାବେଳେ ୧୯୯୯ର ତୃତୀୟ ପାଳି ସରକାରରେ ନବୀନ ପଟ୍ଟନାୟକ, ଅର୍ଜୁନ ଚରଣ ସେଠୀ, ଜୁଏଲ ଓରାମ, ଦିଲ୍ଲୀପ ରାୟ, ବ୍ରଜ ତ୍ରିପାଠୀ ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ ମନ୍ତ୍ରୀ ହୋଇଥିଲେ । ୨୦୦୪ ଓ ୨୦୦୯ରେ ମନମୋହନ ସିଂହଙ୍କ ସରକାରରେ ଓଡ଼ିଶାରୁ ଜଣେ ଲେଖାଏଁ ରାଷ୍ଟ୍ରମନ୍ତ୍ରୀ ଥିଲେ ଏମାନେ ହେଲେ ଚନ୍ଦ୍ରଶେଖର ସାହୁ ଓ ଶ୍ରୀକାନ୍ତ ଜେନା ।

୨୦୧୪ ନରେନ୍ଦ୍ର ମୋଦି ସରକାରରେ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହୋଇଥିବାବେଳେ ୨୦୧୯ରେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍‍ ପାହ୍ୟା ମଧ୍ୟ ଏହି ସମୟରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଶେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ୨୦୨୪ ମୋଦିଙ୍କ ତୃତୀୟ ପାଳି ସରକାରରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ପୁଣି କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି । ବିଭିନ୍ନ ସମୟରେ କେନ୍ଦ୍ର ସରକାରରେ ଓଡ଼ିଶାକୁ ଶିଳ୍ପ, ବାଣିଜ୍ୟ, ସାଂସ୍କୃତିକ ବ୍ୟାପାର, ପେଟ୍ରୋଲିୟମ୍‍, ଖଣି, ସୂଚନା ଓ ପ୍ରସାରଣ, ପ୍ରତିରକ୍ଷା, ରେଳ, ବୈଦେଶିକ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବେସାମରିକ ବିମାନ ଚଳାଚଳ, କୃଷି, ସ୍ୱରାଷ୍ଟ୍ର, ଟେଲି କମ୍ୟୁନିକେଶନ, ଯୁବ ବ୍ୟାପାର, ଖାଦ୍ୟ ପ୍ରକ୍ରିୟା କରଣ, କୋଇଲା, ଆଦିବାସୀ ବ୍ୟାପାର, ଗ୍ରାମ ଉନ୍ନୟନ, ରାସାୟନିକ ସାର, ଶିକ୍ଷା, ଜଳଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗମାନ ମିଳିଛି । (ତଥ୍ୟ)