Home Education କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୮୫% ପଦବୀ ଖାଲି

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୮୫% ପଦବୀ ଖାଲି

ଭୁବନେଶ୍ୱର : ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ୮୫ ପ୍ରତିଶତରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡିଛି । ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିବା ଫଳରେ ଅଧ୍ୟାପନା ଓ ଗବେଷଣା ଗୁରୁତର ଭାବେ ବ୍ୟାହତ ହେଉଥିବାରୁ କର୍ତ୍ତୃପକ୍ଷ କାମ ଚଳାଇବା ପାଇଁ ଠିକା ଶିକ୍ଷକଙ୍କ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି ।

କୋରାପୁଟ ଜିଲ୍ଲାରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଲାଗି ୧୫୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଥିବାବେଳେ ଏଥିରେ ମାତ୍ର ୧୯ଜଣ ଶିକ୍ଷକ କାମ କରୁଥିବାବେଳେ ୧୩୫ଟି ପଦବୀ ଖାଲି ପଡିଛି । ଦେଶର ଅନ୍ୟାନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତୁଳନାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ଶିକ୍ଷକ ପଦବୀ ଖାଲି ରହିଛି । ତେବେ ଏଥିରୁ ପାଖାପାଖି ଅଧା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୦୦୯ ମସିହାରେ ୟୁପିଏ ସରକାର ସମୟରେ ପ୍ରତିଷ୍ଠା କରାଯାଇଥିଲା । ଇତିମଧ୍ୟରେ ୧୪ବର୍ଷ ଅତିକ୍ରାନ୍ତ କରିଥିବାବେଳେ ଏହି ବିଶ୍ୱବିଦ୍ୟାଳୟରେ ମାତ୍ର ୧୮ଟି ବିଭାଗରେ ଶିକ୍ଷାଦାନର ବ୍ୟବସ୍ଥା ଅଛି । ଆଦିବାସୀମାନଙ୍କ ବିକାଶ ପାଇଁ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଥିବାବେଳେ ଏଠାରେ ଏଯାବତ୍‍ ଆଦିବାସୀମାନଙ୍କ ଉପରେ ପଢିବା ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲା ଯାଇପାରିନାହିଁ । ବାୟୋଟେକ୍ନୋଲୋଜି, ପରିବେଶ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଯୁବ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ଓ ଇତିହାସ ଓ ଭୂଗୋଳ ଆଦି ବିଷୟ ଏଯାବତ୍‍ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖୋଲାହୋଇନାହିଁ । ଫଳରେ ଏହିସବୁ ବିଷୟରେ ପାଠ ପଢିବା ପାଇଁ ଆଦିବାସୀ ଅଧ୍ୟ୍ୟୁଷିତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏବେ ୧୮ଟି ବିଷୟ ରହିଥିବାବେଳେ ଅଧିକାଂଶ ବିଭାଗରେ ପ୍ରଫେସର ନାହାନ୍ତି । କେତେକ ବିଭାଗରେ ଜଣେ ହେଲେ ନିୟମିତ ଶିକ୍ଷକ ମଧ୍ୟ ନାହାନ୍ତି । ଫଳରେ କାମ ଚଳାଇବା ପାଇଁ ଅତିଥି ଅଧ୍ୟାପକଙ୍କ ଉପରେ ଭରସା କରିବାକୁ ପଢୁଛି । ଅତିଥି ଅଧ୍ୟାପକମାନଙ୍କୁ ନିୟମିତ ଅଧ୍ୟାପକଙ୍କ ତୁଳନାରେ ଢେର କମ୍‍ ଦରମା ମିଳୁଥିବାରୁ ଦୂର ଦୂରାନ୍ତରୁ ଅଧିକ ଯୋଗ ପ୍ରାର୍ଥୀମାନେ ଏଠାକୁ ଆସିବାକୁ ପସନ୍ଦ କରୁନାହାନ୍ତି । ୮୫ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ସହିତ ଏଠି ପାଖାପାଖି ୭୫ ପ୍ରତିଶତ ଅଣଶିକ୍ଷକ ପଦବୀ ବି ଖାଲି ପଡିଛି । କେନ୍ଦ୍ର ସରକାର ରୋଜଗାର ମେଳା କରି ନିଯୁକ୍ତିପତ୍ର ବାଣ୍ଟୁଥିବାବେଳେ ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କିନ୍ତୁ ଉଭୟ ଶିକ୍ଷକ ଓ ଅଣଣିକ୍ଷକ ପଦବୀରେ ମରୁଡି ଅବସ୍ଥା ଅତି ଉତ୍କଟତର ଅବସ୍ଥାରେ ରହିଛି ।

ରାଜ୍ୟର ଛାତ୍ର ଓ ଶିକ୍ଷକ ସଂଗଠନମାନେ ଏ ପ୍ରସଙ୍ଗରେ ନିରବ ରହୁଥିବାବେଳେ ରାଜନୈତିକ ଦଳମାନେ ବି ପାଟି ଫିଟାଉ ନାହାନ୍ତି । ଫଳରେ ଓଡ଼ିଶାର ଏହି ଯୁକ୍ତିଯୁକ୍ତ ସମସ୍ୟା ଘେନି ସ୍ୱର ଉଠିପାରୁନାହିଁ କିମ୍ବା ତାହା କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ମଧ୍ୟ ଆକର୍ଷିତ କରିବା ଭଳି ମନେ ହେଉନାହିଁ ।

ରାଜ୍ୟ ସରକାରଙ୍କ ନିୟନ୍ତ୍ରିତ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୫୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଅଦାଲତି ଲଢେଇ ଯୋଗୁ ଖାଲି ପଡି ଶିକ୍ଷା ଓ ଗବେଷଣା ବ୍ୟାହାତ ହେଉଥିବାବେଳେ ଯୋଗ୍ୟ ଶିକ୍ଷକମାନେ ବି ପ୍ରଫେସର ପଦବୀକୁ ପଦୋନ୍ନତି ନପାଇ ଅବସର ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । ମୋଟାମୋଟି ଭାବେ ଓଡ଼ିଶାରେ ଥିବା ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ଏହି ସମସ୍ୟା ଦିନକୁ ଦିନ ଉତ୍କଟତର ହେବାରେ ଲାଗିଛି । (ତଥ୍ୟ)