Home Cooperation କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପୁରସ୍କୃତ

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପୁରସ୍କୃତ

ଭୁବନେଶ୍ୱର : ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଆୟୋଜିତ ରାଜ୍ୟ ମହୋତ୍ସବରେ ଅର୍ବାନ୍‌ କୋଅପରେଟିଭ୍‌ ବ୍ୟାଙ୍କ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କେନ୍ଦ୍ରାପଡ଼ା ଅର୍ବାନ୍‌ କୋଅପରେଟିଭ୍‌ ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ପୁରସ୍କାର ଗ୍ରହଣ କରିଛନ୍ତି ।

ଆୟୋଜିତ ରାଜ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓଡ଼ିଶାର ସମବାୟ ସଂସ୍ଥାଗୁଡ଼ିକ ଅଧିକ ପ୍ରେରଣାଦାୟୀ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଅମଳ ଆକଳନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଓ ବ୍ୟକ୍ତିଗତ ହସ୍ତକ୍ଷେପକୁ ଦୂର କରିବା ପାଇଁ ପାରମ୍ପରିକ ଫସଲ କାଟିବା ପରୀକ୍ଷଣ ସହିତ ଦୂରସମ୍ବେଦୀ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଉଛି । ସେ ଆହୁରି କହିଛନ୍ତି ଯେ ଆର୍ଥିକ ଅନଗ୍ରସରତା ଦୂର କରିବାରେ ସମବାୟର ଭୂମିକା ଅପରିହାର୍ଯ୍ୟ ଓ ଏଥିରେ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ ନିର୍ବିଶେଷରେ ସମସ୍ତେ ସାମିଲ ହୋଇପାରିବେ ।

ରାଜ୍ୟ ସମବାୟ ବିଭାଗ ଓ ରାଜ୍ୟ ସମବାୟ ୟୁନିୟନ୍‌ର ମିଳିତ ଉଦ୍ୟମରେ ଆୟୋଜିତ ଏହି ରାଜ୍ୟ ମହୋତ୍ସବରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ରାଜ୍ୟର ସମବାୟ ଅନୁଷ୍ଠାନଗୁଡ଼ିକର ଅଭିବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା କରାଯାଉଛି ।

ରାଜ୍ୟର କୃଷକ, ବୁଣାକାର, କ୍ଷୁଦ୍ର ବ୍ୟବସାୟୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସମବାୟ ବିଭାଗ କାର୍ଯ୍ୟକରୁଛି । ନିଜସ୍ୱ ଜମି ଥିବା ପାକ୍ସ ଓ ଲାମ୍ପସ୍‌ଗୁଡ଼ିକୁ ଭିତ୍ତିଭୂମି ଉନ୍ନତି ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି । ଓଡ଼ିଶାର ସମବାୟର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଟି. ପ୍ରସାଦରାଓ ଦୋରା, ରାଜ୍ୟ ସମବାୟ ୟୁନିୟନ୍‌ର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଓଡ଼ିଶା ରାଜ୍ୟ କୋଅପରେଟିଭ୍‌ ବ୍ୟାଙ୍କ, ଓମ୍‌ଫେଡ୍‌ ସମେତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଅର୍ବାନ୍‌ ସମବାୟ ବ୍ୟାଙ୍କ, କର୍ମଚାରୀ କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି, ପ୍ୟାକ୍ସ, ଲ୍ୟାମ୍ପସ୍‌, ଶିଳ୍ପ ସମବାୟ ସମିତି, ଗୃହନିର୍ମାଣ ସମବାୟ ସମିତି, ଟସର ସମବାୟ ସମିତି, ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି, ମତ୍ସ୍ୟ ସମବାୟ ସମିତିକୁ ମିଶାଇ ବିଭିନ୍ନ ଛାତ୍ରଛାତ୍ରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପୁରସ୍କୃତ କରାଯାଇଥିଲା । ସର୍ବଭାରତୀୟ ସମବାୟ ସଂଗଠନକୁ ନିର୍ବାଚିତ ହୋଇଥିବାରୁ ଅମ୍ବିକା ପ୍ରସାଦ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।