Home Cooperation କେନ୍ଦ୍ରରୁ ମିଳିନପାରେ ସମବାୟ ଲାଭ

କେନ୍ଦ୍ରରୁ ମିଳିନପାରେ ସମବାୟ ଲାଭ

ଭୁବନେଶ୍ୱର : କେନ୍ଦ୍ର ସରକାର ସମବାୟ ସଂସ୍ଥାକୁ ସଶକ୍ତ କରିବା ସହିତ ଏହା ଜରିଆରେ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟରେ ଶହ ଶହ ସମବାୟ ସଂସ୍ଥା ଅଚଳ ଥିବାରୁ କେନ୍ଦ୍ରୀୟ ଯୋଜନାରୁ ଲାଭ ମିଳିବା ନେଇ ପ୍ରଶ୍ନ ଉଠିଲାଣି । ଅଚଳ ହୋଇପଡିଥିବା ସମବାୟ ସଂସ୍ଥାଗୁଡିକୁ ସଚଳ କରାନଗଲେ କେନ୍ଦ୍ରୀୟ ଯୋଜନାରୁ ରାଜ୍ୟ ଫାଇଦା ପାଇପାରିବ ନାହିଁ ବୋଲି କୁହାଯାଉଛି ।

ସମବାୟ ସମିତିଗୁଡିକୁ ସଶକ୍ତ କରାଯିବା ସହିତ ଏହା ଜରିଆରେ ଧାନ ସଂଗ୍ରହ, ଜନଔଷଧିକେନ୍ଦ୍ର ପରିଚାଳନା, ଶୀତଳଭଣ୍ଡାର ସ୍ଥାପନ, କ୍ୟାବ୍‍ ପରିଚାଳନା ଭଳି ନୂଆ ନୂଆ ଯୋଜନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି । ଏହାଦ୍ୱାରା ମହିଳାମାନେ ଅଧିକ ସଂଖ୍ୟାରେ କର୍ମନିଯୁକ୍ତି ପାଇପାରିବେ । ଯୋଜନା କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅଧିକ ପରିମାଣରେ ଆର୍ଥିକ ସହାୟତା ଯୋଗାଇଦେବେ ।

ତେବେ ରାଜ୍ୟରେ ଏବେ ୭ଶହରୁ ଅଧିକ ସମବାୟ ସମିତି ଅଚଳ ହୋଇପଡିଥିବାରୁ କେନ୍ଦ୍ର ସରକାରଙ୍କ ଯୋଜନାରୁ କିଭଳି ଲାଭ ମିଳିବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲାରେ ଅଚଳ ସମବାୟ ସମିତି ରହିଥିବାବେଳେ କଟକ ଓ ଖୋରଧା ଜିଲ୍ଲା ଏ କ୍ଷେତ୍ରରେ ଏକ ପ୍ରକାର ରେକର୍ଡ କରିଛନ୍ତି । କଟକରେ ୧୪୧ଟି ଅଚଳ ସମବାୟ ସମିତି ରହିଥିବାବେଳେ ଖୋରଧା ଜିଲ୍ଲାରେ ଏହି ସଂଖ୍ୟା ୧୧୦ ରହିଛି । ପୁରୀରେ ଅଚଳ ସମବାୟ ସମିତି ସଂଖ୍ୟା ୭୨ ଥିବାବେଳେ ଢେଙ୍କାନାଳରେ ୫୧ ଅଛି । ଗଜପତି ଜିଲ୍ଲାରେ ମାତ୍ର ଗୋଟିଏ ସମବାୟ ସଂସ୍ଥା ଅଚଳ ଥିବାବେଳେ ନବରଙ୍ଗପୁର ଓ ଜଗତ୍‍ସିଂହପୁରରେ ଏହି ସଂଖ୍ୟା ୨ କରି ରହିଛି ।

ତେବେ ଅଚଳ ହୋଇ ପଡିଥିବା ସମବାୟ ସମିତିଗୁଡିକ ମଧ୍ୟରୁ ସର୍ବାଧିକ ୧୭୨ଟି ହେଉଛି ଋଣ ପ୍ରଦାନ କରୁଥିବା ବିଭିନ୍ନ କିସମର ସମବାୟ ସଂସ୍ଥା । ଚାଷୀମାନଙ୍କୁ ଏହି ସଂଖ୍ୟା ଅଗ୍ରାଧିକାର ଭାବେ ଋଣପ୍ରଦାନ କରିଥାଏ । ତେବେ ଋଣ ଦେଇ ଅର୍ଥ ଆଦାୟ କରିନପାରିବାରୁ ବହୁ ସମବାୟ ସଂସ୍ଥା ଅଚଳ ହୋଇ ପଡି ରହିଛନ୍ତି । ଋଣ ନେଇଥିବା ଲୋକେ ବି ଆଉ ଋଣ ପରିଶୋଧ କରିବା ମତଲବରେ ନାହାନ୍ତି । ବିଭିନ୍ନ ସମବାୟ ସଂସ୍ଥାର କୋଟି କୋଟି ଟଙ୍କା ପାଣିରେ ପଡିଛି ।

ସେହିଭଳି ଅଚଳ ସମବାୟ ସଂସ୍ଥା ତାଲିମାରେ ୧୬୧ଟି ରହିଛି ବହୁମୁଖୀ ସମବାୟ ସମିତି । ଶୀତଳଭଣ୍ଡାର ପରିଚାଳନା କରୁଥିବା ୧୧ଟି ସମବାୟ ସମିତି ବି ଅଚଳ । ଦୀର୍ଘଦିନ ଧରି ଶୀତଳଭଣ୍ଡାର ଚାଲୁନଥିବାରୁ ଏହା ଅଚଳ ହୋଇପଡିଛି । ତେବେ ରାଜ୍ୟ ସରକାର ପ୍ରତି ବ୍ଲକରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଘୋଷଣା କରିଥିବାବେଳେ ସମବାୟ ସମିତିଗୁଡିକର ପୁନରୁଦ୍ଧାର ସହିତ ଏହା ଜରିଆରେ ଶୀତଳଭଣ୍ଡାର ସ୍ଥାପନ ପାଇଁ ମତପ୍ରକାଶ ପାଉଛି ।

ସେହଭଳି ଗୃହ ନିର୍ମାଣ ପାଇଁ ଗଠନ ହୋଇଥିବା ୫୧ଟି ସମବାୟ ସମିତି ବି ଅଚଳ । ଏମାନେ ସମିତି ଗଢି ସରକାରଙ୍କ ଠାରୁ ଜମି ନେବାପରେ ଆଉ ଠିକଣା ଭାବେ କାର୍ଯ୍ୟ କରୁନାହାନ୍ତି । ଏପରିକି ସମବାୟ ସମିତି ଅଧିନରେ ଥିବା ଘରଗୁଡିକର ରକ୍ଷଣାବେକ୍ଷଣ ଓ ଭଡା ଆଦାୟ ପାଇଁ ମଧ୍ୟ ଆଗଭର ହେଉନାହାନ୍ତି । ଫଳରେ ଏହି କ୍ଷେତ୍ରରେ ଲାଭ କରୁଥିବା ସମବାୟ ସମିତିଗୁଡିକ ମଧ୍ୟ ଅଚଳ ତାଲିକାରେ ନିଜକୁ ସାମିଲ କରିଦେଇଛନ୍ତି । (ତଥ୍ୟ)