ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ସମେତ ଅର୍ଥ କମିଶନଙ୍କ ଅନୁଦାନ ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଅର୍ଥ ଅନୁଦାନ ବାବଦରେ ବଜେଟରେ ଯାହା ଅଟକଳ କରାଯାଇଛି ତାହା ତୁଳନାରେ ବିଭିନ୍ନ ବର୍ଷରେ ଢେର କମ୍ ଅର୍ଥ ମିଳୁଛି । ଏମିତିକି ଯେତେ ଅର୍ଥ ମିଳୁଛି କେତେକ କାର୍ଯ୍ୟକ୍ରମରେ ତାହା ମଧ୍ୟ ସମ୍ପୃକ୍ତ ଆର୍ଥିକ ବର୍ଷରେ ସମ୍ପୂର୍ଣର୍ ଭାବେ ଖର୍ଚ୍ଚ କରାଯାଇ ପାରୁନାହିଁ ।
୨୦୨୩-୨୪ ଆର୍ଥକ ବର୍ଷ ପାଇଁ ବିଭିନ୍ନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ୨୦,୬୬୩ କୋଟି ୩୨ ଲକ୍ଷ ଟଙ୍କାର ବଜେଟ୍ ଅଟକଳ ଥିବାବେଳେ ଉକ୍ତ ବର୍ଷରେ ଏ ବାବଦରେ ଓଡିଶା ସରକାର ପାଇଥିଲେ ୧୫,୬୮୫ କୋଟି ୯ ଲକ୍ଷ ଟଙ୍କା । ସେହିଭଳି ଉକ୍ତ ବର୍ଷ ଲାଗି ଅର୍ଥ କମିଶନଙ୍କ ଅନୁଦାନ ବାବଦରେ ଓଡିଶା ୬୨୫୦ କୋଟି ୮୪ଲକ୍ଷ ଟଙ୍କା ପାଇବ ବୋଲି ବଜେଟ୍ ଅଟକଳ ଥିବାବେଳେ ମିଳିଥିଲା ୪୮୬୭ କୋଟି ୨୨ଲକ୍ଷ ଟଙ୍କା । ଅନ୍ୟାନ୍ୟ ଅର୍ଥ ଅନୁଦାନ ଆକାରରେ କେନ୍ଦ୍ର ସରକାରଙ୍କ ଠାରୁ ଓଡିଶା ଏହି ବର୍ଷ ୫୮୩୪ କୋଟି ୬୬ଲକ୍ଷ ଟଙ୍କା ପାଇବାପାଇଁ ବଜେଟ୍ରେ ଅଟକଳ ଥିବାବେଳେ ମିଳିଥିଲା ମାତ୍ର ୪୫୯ କୋଟି ୧୯ଲକ୍ଷ ଟଙ୍କା ।
ସେହିପରି ୨୦୨୪-୨୫ ବର୍ଷ ଲାଗି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଓଡିଶା ୨୫,୫୬୪ କୋଟି ୩୯ଲକ୍ଷ ଟଙ୍କା ପାଇବାପାଇଁ ବଜେଟ୍ ଅଟକଳ ଥିବାବେଳେ ମିଳିଥିଲା ୧୧,୩୮୪ କୋଟି ୬୦ଲକ୍ଷ ଟଙ୍କା । ଅର୍ଥ କମିଶନଙ୍କ ଅନୁଦାନ ବାବଦରେ ଉକ୍ତ ବର୍ଷରେ ଓଡିଶା ୭୦୧୧ କୋଟି ୯୪ଲକ୍ଷ ଟଙ୍କା ପାଇବ ବୋଲି ବଜେଟ୍ ଅଟକଳ କରିଥିବାବେଳେ ମିଳିଥିଲା ୫୪୫୦ କୋଟି ୬ଲକ୍ଷ ଟଙ୍କା । ଅନ୍ୟ ପକ୍ଷରେ ବିଭିନ୍ନ ଅର୍ଥ ଅନୁଦାନ ଆଦି ବାବଦରେ କେନ୍ଦ୍ର ଠାରୁ ଓଡିଶା ଉକ୍ତ ବର୍ଷରେ ୫୧୯୧କୋଟି ୯୧ଲକ୍ଷ ଟଙ୍କା ପାଇବାପାଇଁ ବଜେଟ୍ ଅଟକଳ ରହିଥିବାବେଳେ ଓଡିଶାକୁ ମିଳିଥିଲା ୧୧୨୦କୋଟି ୮୫ଲକ୍ଷ ଟଙ୍କା ।
୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡିଶା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରୁ ୨୯,୧୦୧କୋଟି ୪୪ଲକ୍ଷ ଟଙ୍କା ପାଇବାର ବଜେଟ୍ ଅଟକଳ ରହିଥିବାବେଳେ ୨୦୨୫ ଅକ୍ଟୋବର ଶେଷ ସୁଦ୍ଧା ଓଡିଶାକୁ ମିଳିଥିଲା ମାତ୍ର ୪୬୭୬କୋଟି ୯ଲକ୍ଷ ଟଙ୍କା । ସେହିପରି ଅର୍ଥ କମିଶନଙ୍କ ଅନୁଦାନ ବାବଦରେ ଚଳିତ ଆର୍ଥିକ ବର୍ଷରେ ଓଡିଶା କେନ୍ଦ୍ରରୁ ୬୬୧୧ କୋଟି ୨୭ଲକ୍ଷ ଟଙ୍କା ପାଇବବୋଲି ବଜେଟ୍ ଅଟକଳ ରହିଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ପ୍ରାପ୍ତ ହୋଇଛି ୨୫୬୮ କୋଟି ୬୨ଲକ୍ଷ ଟଙ୍କା । ଅନ୍ୟାନ୍ୟ ଅର୍ଥ ଅନୁଦାନ ବାବଦରେ ଉକ୍ତ ଆର୍ଥିକ ବର୍ଷରେ ଓଡିଶା କେନ୍ଦ୍ରରୁ ୫୮୭୯ କୋଟି ୩ଲକ୍ଷ ଟଙ୍କା ପାଇବ ବୋଲି ବଜେଟ୍ ଅଟକଳ ରହିଥିବାସ୍ଥଳେ ଏହି ଆର୍ଥିକ ବର୍ଷର ପ୍ରଥମ ସାତମାସ ଭିତରେ ଓଡିଶାକୁ ମିଳିଛି ୩୬୮ କୋଟି ୬୪ଲକ୍ଷ ଟଙ୍କା ।
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାର ତାଙ୍କ ଅଧିନରେ ଥିବା ବିଭିନ୍ନ ବିଭାଗମାନଙ୍କ ପାଇଁ ଯୋଜନାୱାରୀ ବଜେଟ୍ ଅଟକଳ କରିଥାନ୍ତି । କେନ୍ଦ୍ର ବଜେଟ୍ରେ ବିଭିନ୍ନ ଯୋଜନାରେ ରାଜ୍ୟୱାରୀ ପ୍ରଦାନ ରାଶିର ବିବରଣୀ ଉପଲବ୍ଧ ନଥାଏ । ତେଣୁ ରାଜ୍ୟ ସରକାର ବିଗତ ବର୍ଷମାନଙ୍କରେ ମିଳିଥିବା କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ର ସରକାରଙ୍କ ବଜେଟ୍ ଅଟକଳର ଏକ ଆନୁପାତିକ ଆକଳନ କରି ବିଭିନ୍ନ ଯୋଜନାରେ ପ୍ରାପ୍ତି ହେବାକୁ ଥିବା ରାଶିର ଆନୁମାନିକ ବଜେଟ୍ ଆକଳନ କରିଥାନ୍ତି । (ତଥ୍ୟ)

