ଭୁବନେଶ୍ୱର : କେନ୍ଦୁପତ୍ର କାରବାରରୁ ଓଡିଶା ବନ ଉନ୍ନୟନ ନିଗମର ଆୟ ହ୍ରାସ ପାଉଛି । ଅନ୍ୟ ପକ୍ଷରେ ବାଉଁଶ ଓ ମହୁ କାରବାରରୁ ନିଗମର ଆୟ ବଢିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଓଡିଶାର ଜଙ୍ଗଲରୁ ଉତ୍ପାଦନ ହେଉଥିବା ଲଘୁ ବନ ଜାତ ସାମଗ୍ରୀ ମଧ୍ୟରୁ କେନ୍ଦୁପତ୍ର, ବାଉଁଶ ଏବଂମହୁର ଉତ୍ପାଦନ ଓ ବ୍ୟବସାୟ ବିଭାଗ କରିଥାଏ । ୨୦୦୬ ମସିହାରେ ଏକ ବିଜ୍ଞପ୍ତି ଜରିଆରେ ଅଣକାଠ ଜଙ୍ଗଲଜାତ ଦ୍ରବ୍ୟଗୁଡିକର କ୍ରୟ, ବିକ୍ରୟ ଓ ମାଲିକାନା ଉପରେ ଏକ ନୀତି ପ୍ରସ୍ତୁତ କରାଯାଇ ୬୯ଟି ଲଘୁ ବନଜାତ ଦ୍ରବ୍ୟକୁ ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି । ଏଗୁଡିକର ସଂଗ୍ରହ, କିଣା, ବିକ୍ରି ଓ ମୂଲ୍ୟ ନିର୍ଦ୍ଧାରଣ ପଞ୍ଚାୟତିରାଜ ବିଭାଗ ଅଧିନରେ ରହିଛି ।
ମନ୍ତ୍ରୀ କହିଛନ୍ତି ଯେ କେନ୍ଦୁପତ୍ର ଓଡିଶାର ୨୨ଟି ଜିଲ୍ଲାରେ ଉତ୍ପାଦନ ହେଉଥିବାବେଳେ ଏହାର ବିକ୍ରି ଦାୟିତ୍ୱ ବନ ଉନ୍ନୟନ ନିଗମକୁ ଦିଆଯାଇଛି । ୨୦୨୨-୨୩ ମସିହାରେ ନିଗମ ୫୯୨ କୋଟି ଟଙ୍କାରୁ ଅଧିକ କେନ୍ଦୁପତ୍ର ବିକ୍ରି କରିଥିବାବେଳେ ୨୦୨୩-୨୪ ରେ ତାହା ପ୍ରାୟ ୫୨୭ କୋଟି ଟଙ୍କାକୁ ହ୍ରାସ ପାଇଛି ।
ସେହିଭଳି ୧୨ଟି ଜଙ୍ଗଲ ଡିଭିଜନରେ ବାଉଁଶ ସଂଗ୍ରହ ହୋଇଥାଏ । ୨୦୨୨-୨୩ ବର୍ଷରେ ନିଗମ ୪କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଉଁଶ ବିକ୍ରି କରିଥିବାବେଳେ ୨୦୨୩-୨୪ ରେ ତାହା ୨୨କୋଟି ଟଙ୍କାକୁ ଟପିଯାଇଛି । ନିଗମ ମୟୁରଭଞ୍ଜର କରଞ୍ଜିଆ ଓ ବାରିପଦା ଡିଭିଜନରୁ ମହୁ ସଂଗ୍ରହ କରିଥାଏ । ୨୦୨୨-୨୩ ବର୍ଷରେ ନିଗମ ପ୍ରାୟ ୫୦ଲକ୍ଷ ଟଙ୍କାର ମହୁ କାରବାର କରିଥିବାବେଳେ ୨୦୨୩-୨୪ ବର୍ଷରେ ତାହା ୫୨ଲକ୍ଷ ଟଙ୍କାକୁ ଟପିଯାଇଛି ।