Home News in Odia କେତେ ସହାୟକ ହେବେ ଛତିଶିଗଡି ନେତା ?

କେତେ ସହାୟକ ହେବେ ଛତିଶିଗଡି ନେତା ?

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ ସହ ଓଡିଶାର ବିବାଦ ଲାଗି ରହିଥିବାବେଳେ ହୀରାକୁଦର ତଳମୁଣ୍ଡରେ ମହାନଦୀର ଶଯ୍ୟା ଅଧିକାଂଶ ସ୍ଥାନରେ ଶୁଖିଲା ପଡିଛି । ଅଥଚ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏବେ ଛତିଶଗଡ ନେତାଙ୍କ ଉପରେ ବିଭିନ୍ନ ପ୍ରାର୍ଥୀ ଓ ଦଳ ଭରସା କରୁଛନ୍ତି ।

ବ୍ରଜରାଜନଗରରେ ହେଉଥିବା ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଯେଉଁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ସେଥିରେ ୫ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ରମଣ ସିଂହଙ୍କ ନାମ ରହିଛି । ରମଣ ସିଂହ ଛତିଶଗଡର ମୁଖ୍ୟମନ୍ତ୍ରୀ ଥିବାବେଳେ ହୀରାକୁଦର ଉପରମୁଣ୍ଡରେ ଗୁଡିଏ ନଦୀବନ୍ଧ ଯୋଜନା ମହାନଦୀ ଓ ତାହାର ଉପନଦୀଗୁଡିକ ଉପରେ କରିବା ଫଳରେ ହୀରାକୁଦ ତଳମୁଣ୍ଡରେ ମହାନଦୀର ଜଳ ପ୍ରବାହ ଉଦ୍‍ବେଗଜନକ ଭାବେ ହ୍ରାସ ପାଇଛି ।

ଏଥିଘେନି ଓଡିଶାରେ ଛତିଶଗଡ ସରକାରଙ୍କ ଏକପାଖିଆ ତଥା ମାନବିକତା ବିହୀନ କାର୍ଯ୍ୟକଳାପକୁ ବ୍ୟାପକ ବିରୋଧ କରାଯିବା ସହ ଆନ୍ଦୋଳନ ମଧ୍ୟ ହୋଇଥିଲା । ରମଣ ସିଂହ ସେତେବେଳେ ଯେଉଁ ଜଳ ବିବାଦର ମଞ୍ଜି ପୋତିଥିଲେ ତାହା ଏବେ ଟ୍ରିବ୍ୟୁନାଲରେ ବିଚାର ପାଇଁ ଘୁଷୁଡୁଛି । ଏ ପରିପ୍ରେକ୍ଷୀରେ ରମଣ ସିଂହଙ୍କ ପ୍ରଚାର ତାଙ୍କ ଦଳ ପ୍ରାର୍ଥୀଙ୍କ ପାଇଁ ଓଡିଶାରେ ଲାଭଜନକ ହେବ କି କ୍ଷତି ପହଞ୍ଚାଇବ ସେଥିଘେନି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ରମଣ ସିଂହଙ୍କ ସରକାର ସମୟରେ ଏହି ବିବାଦ ଉଗ୍ରରୂପ ନେଇଥିବାବେଳେ ଓଡିଶାରେ ଶାସକ ବିଜେଡି ଓ ବିରୋଧି କଂଗ୍ରେସ ତାହାର କଡା ସମଲୋଚନା କରୁଥିଲେ । ସେ ସମୟରେ ଛତିଶଗଡ କଂଗ୍ରେସର ବରିଷ୍ଠ ନେତା ଟି.ଏସ୍‍.ସିଂହଦେଓ ବାରମ୍ବାର ଓଡିଶା ଗସ୍ତରେ ଆସି ତାଙ୍କ ଦଳ କ୍ଷମତାକୁ ଆସିଲେ ଆପୋଷ ବୁଝାମଣା ଭିତ୍ତିରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଖୋଲା ମତବ୍ୟକ୍ତ କରିଥିଲେ ।

ଏବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାଲାଗି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ତାଙ୍କ ସରକାରର ବରିଷ୍ଠ ମନ୍ତ୍ରୀ ଥିବା ଟି.ଏସ୍‍.ସିଂହଦେଓ ଆସିବେ ବୋଲି କୁହାଯାଉଛି । ରମଣ ସିଂହଙ୍କ ସରକାର ସେତେବେଳେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଯେଉଁ ଯୁକ୍ତି ବାଢୁଥିଲେ ଏବେ କଂଗ୍ରେସ ସରକାର ସେଠାରେ ଅନୁରୂପ ଯୁକ୍ତି ବାଢୁଛନ୍ତି । ଏ ପରିପ୍ରେକ୍ଷୀରେ ଛତିଶିଗଡି ନେତାଙ୍କ ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କେତେ ଲାଭଦାୟକ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି ।

ଦୁଇଟି ଯାକ ଜାତୀୟ ରାଜନୈତିକଦଳ ଓଡିଶାରେ ସେମାନଙ୍କ ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଚତିଶିଗଡି ନେତାଙ୍କୁ ଉତ୍ତାରୁ ଥିବା ଘଟଣାକୁ ସହଜରେ ମହାନଦୀପ୍ରେମୀମାନେ ହଜମ କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଆଞ୍ଚଳିକ ଦଳ ବିଜେଡିର ନିର୍ବାଚନ ଦାୟିତ୍ୱରେ ଥିବା ରାଜ୍ୟ ନେତାମାନେ କହୁଛନ୍ତି ଯେ ବିଜେଡି ତାହାର ପ୍ରଚାର କାର୍ଯ୍ୟପାଇଁ ଅନ୍ୟ ରାଜ୍ୟରୁ କୌଣସି ରାଜନେତାଙ୍କୁ ଆଣିବାର ନାହିଁ ।

ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି କେଉଁ ନେତାଙ୍କୁ କେଉଁ ରାଜ୍ୟରୁ ଆଣିବେ କି ନଆଣିବେ ତାହା ସେମାନଙ୍କ ଉପରେ ନିର୍ଭର କରେ । ତେବେ ନବୀନ ପଟ୍ଟନାୟକଙ୍କ ସରକାରର କାର୍ଯ୍ୟଦକ୍ଷତା ଓ ଦଳର ସାଂଗଠନିକ ସ୍ଥିତି ତଥା ନିରନ୍ତର ଜନସମ୍ପର୍କ ଅଭିଯାନକୁ ପୁଞ୍ଜିକରି ବିଜେଡି ନିର୍ବାଚନ ଲଢୁଛି । (ତଥ୍ୟ)