Home Agriculture କୃଷି ଯନ୍ତ୍ରପାତି ବିକି ଛୁ ମାରୁଛନ୍ତି କମ୍ପାନୀ

କୃଷି ଯନ୍ତ୍ରପାତି ବିକି ଛୁ ମାରୁଛନ୍ତି କମ୍ପାନୀ

ଭୁବନେଶ୍ୱର : କୃଷି ଯନ୍ତ୍ରପାତି ଉପରେ ରାଜ୍ୟ ସରକାରଙ୍କ ମନୋଲଭା ସବ୍‍ସିଡ୍‍ରେ ଆକର୍ଷିତ ହୋଇ ଓଡିଶା ବଜାରରେ ପ୍ରବେଶ କରୁଥିବା ଅନେକ କମ୍ପାନୀ ଭଲ ମୁନାଫା ଉଠାଇବା ପରେ ଛୁ ମାରୁଛନ୍ତି । କିଏ ଡିଲର ବଦଳାଇ ଦେଉଛି ତ ଆଉ କିଏ ଓଡିଶାରୁ ପୂରା ଉଭାନ ହୋଇ ଯାଉଛି । ଏହା ଫଳରେ ସମ୍ପୃକ୍ତ କମ୍ପାନୀ ଠାରୁ ବିଭନ୍ନ କୃଷି ଯନ୍ତ୍ରପାତି ଖରିଦ କରିଥିବା ଚାଷୀ ବିକ୍ରି ପରବର୍ତ୍ତୀ ସେବା ନପାଇ ମୁଣ୍ଡରେ ହାତଦେଇ ବସିଗଲେଣି ।

ଏଭଳି ଏକାଧିକ ଅଭିଯୋଗ ଆସିଛି ପୁରୀ ଜିଲ୍ଲାରୁ । କୃଷି ପ୍ରଧାନ ଏହି ଜିଲ୍ଲାର ଚାଷୀମାନେ ସରକାରୀ ସବସିଡ୍‍ ଯୋଜନାରେ ଟ୍ରାକ୍ଟର, ପାୱାରଟିଲର, ଥ୍ରେସର, କମ୍ବାଇନ୍‍ ହାର୍ଭେଷ୍ଟର ଆଦି ଖରିଦ କରିଥିଲେ । ଏହାକୁ କିଣିବାର କିଛିଦିନ ଯାଏ ଚାଷବାସ ବି ସୁରୁଖୁରୁରେ ଚାଲିଥିଲା । ହେଲେ ଯେତେବେଳେ ଏହିସବୁ ଯନ୍ତ୍ରପାତି ମରାମତି ଆବଶ୍ୟକ କଲା ସେତେବେଳକୁ ଚାଷୀଟି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଖୋଜିଲା ବେଳକୁ ସେମାନେ ଆଉ ନାହାନ୍ତି । ଯେଉଁ ଡିଲର ପାଖରୁ କୃଷି ଯନ୍ତ୍ରପାତି ଓ ଗାଡି ଆଦି କିଣିଥିଲେ ସିଏ କମ୍ପାନୀ ବଦଳାଇ ଅନ୍ୟ କମ୍ପାନୀର ସାମଗ୍ରୀ ବିକ୍ରି କରିବାରେ ଲାଗିଛି । ଫଳରେ ଉକ୍ତ ଡିଲର ପାଖରେ ଆଉ ଚାଷୀ ଆବଶ୍ୟକ କରୁଥିବା ଯନ୍ତ୍ରପାତି ଉପଲବ୍ଧ ହେଉନାହିଁ ।

ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଯାନ୍ତ୍ରିକ କୃଷି ଉପରେ ଗୁରୁତ୍ୱ ଦେବା ସହିତ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ଉପରେ ବିପୁଳ ପରିମାଣର ସବସିଡ୍‍ ପ୍ରଦାନ କରୁଛନ୍ତି । ଟ୍ରାକ୍ଟର ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ୍‍ ଦେଉଥିବାବେଳେ ଧାନରୁଆ ଯନ୍ତ୍ର ଉପରେ ଦେଢ ଲକ୍ଷ, ପାୱାରଟିଲର ଉପରେ ଲକ୍ଷେ ରୁ ଦେଢ ଲକ୍ଷ, ଧାନ ଅମଳ ଯନ୍ତ୍ର ଉପରେ ଏକ ଲକ୍ଷ ଓ କମ୍ବାଇନ୍‍ ହାର୍ଭେଷ୍ଟର ଉପରେ ୩ରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ୍‍ ଦେଉଛନ୍ତି ।

ରାଜ୍ୟ ସରକାର କୃଷି ଯନ୍ତ୍ରପାତି ଉପରେ ଏତେ ବିପୁଳ ପରିମାଣର ସବସିଡ୍‍ ଦେଉଥିବାରୁ ଏଠାରେ ଭଲ ବ୍ୟବସାୟ ଆଶାରେ ରାଜ୍ୟ ବାହାର ଏପରିକି ଦେଶ ବାହାରର ଏକାଧିକ କମ୍ପାନୀ ରାତାରାତି କାରବାର ଆରମ୍ଭ କରୁଛନ୍ତି । ହେଲେ ଥରେ ଯନ୍ତ୍ରପାତି ବିକ୍ରି କରି ବିପୁଳ ମୁନାଫା ଉଠାଇବା ପରେ ଆଉ ସେମାନଙ୍କ ଦେଖାଦର୍ଶନ ମିଳୁନାହିଁ । ଏମାନଙ୍କ ଉପରେ ରାଜ୍ୟ ସରକାରଙ୍କର ସେଭଳି କୌଣସି କର୍ତ୍ତୃତ୍ୱ ନଥିବା ଏବଂ ବିକ୍ରି ପରବର୍ତ୍ତୀ ସେବା ଯୋଗାଣ ପାଇଁ କୌଣସି ଚୁକ୍ତିନାମା ହେଉନଥିବାରୁ ଏଭଳି ଅବସ୍ଥା ଉପୁଜୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଇତି ମଧ୍ୟରେ ଓଡିଶାରେ କାଗଜପତ୍ରରେ କୃଷି ଯନ୍ତ୍ରପାତି ବିକ୍ରି କରି କୋଟି କୋଟି ଟଙ୍କା ଚଳୁ କରିଥିବା କିଛି ଡିଲର ଓ କମ୍ପାନୀ କର୍ତ୍ତୃପକ୍ଷ ବନ୍ଧାହୋଇ ଜେଲ୍‍ରେ ଅଛନ୍ତି । ତେବେ ଏମାନଙ୍କ ବ୍ୟତିତ ଯେଉଁସବୁ କମ୍ପାନୀ ଚାଷୀଙ୍କୁ ହଇରାଣ ହରକତ କରୁଛନ୍ତି ସେମାନଙ୍କ ବ୍ୟବସାୟିକ ମନୋଭାବ ଯୋଗୁଁ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ଅଚଳ ହୋଇଯାଉଛି ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇଛି । ଏହା ନହେଲେ ଯାନ୍ତ୍ରିକ କୃଷିକୁ ଯେତେ ପ୍ରୋତ୍ସାହନ ଯୋଗାଇଲେ ମଧ୍ୟ ତାହା ଆଗକୁ ବଢିପାରିବ ନାହିଁ ବୋଲି ଚାଷୀମାନେ ଖୋଲାଖୋଲି ଭାବେ ମତ ଦେଉଛନ୍ତି । (ତଥ୍ୟ)