Home Education କୃଷି ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି

କୃଷି ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି

ଭୁବନେଶ୍ୱର : କୃଷିଜାତ ସାମଗ୍ରୀ ସହିତ ଦୁଗ୍ଧ, ମାଛ, ମାଂସ ଆଦିର ଉତ୍ପାଦନ ବୃଦ୍ଧି ସହ ରାଜ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଘୋଷଣା କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମଗୁଡ଼ିକର ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବେ ଶିକ୍ଷକ ମରୁଡ଼ିଜନିତ ସମସ୍ୟାରେ ଏକ ପ୍ରକାର ଭୁଶୁଡ଼ିବା ଅବସ୍ଥାକୁ ଆସିଲାଣି । ଏହି ସମସ୍ୟା ଦୀର୍ଘ ଦଶନ୍ଧି ଧରି ଲାଗି ରହିଥିବାରୁ ବିଶ୍ୱବିଦ୍ୟାଳୟର ଗବେଷଣା, ପାଠପଢ଼ା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି ।

କୃଷି, ପଶୁ ସଂପଦ ଆଦିର ବିକାଶ ପାଇଁ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ କୃଷି ମହାବିଦ୍ୟାଳୟ ଓ ପଶୁ ପାଳନ ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଭୁବନେଶ୍ୱରଠାରେ କୃଷି ମହାବିଦ୍ୟାଳୟ, ବନ ମହାବିଦ୍ୟାଳୟ, ପଶୁ ପାଳନ ମହାବିଦ୍ୟାୟଳ, କୃଷି ଯାନ୍ତ୍ରିକ ମହାବିଦ୍ୟାଳୟ, କମ୍ୟୁନିଟି ବିଜ୍ଞାନ ମହାବିଦ୍ୟାଳୟ, ମୌଳିକ ବିଜ୍ଞାନ ମହାବିଦ୍ୟାଳୟ, ଚିପିଲିମାଠାରେ କୃଷି ମହାବିଦ୍ୟାଳୟ ଓ ଉଦ୍ୟାନ କୃଷି ମହାବିଦ୍ୟାଳୟ, ଭବାନୀପାଟଣାରେ କୃଷି ମହାବିଦ୍ୟାଳୟ ଓ ରଙ୍ଗେଲୁଣ୍ଡାରେ ମତ୍ସ ବିଜ୍ଞାନ ମହାବିଦ୍ୟାଳୟ ରହିଛି ।

କୃଷି ଓ ପଶୁ ସଂପଦ ବିକାଶ କ୍ଷେତ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅତୀତରେ ସାରା ଦେଶରେ ସୁନାମ ସହିତ ଏଠାକାର ଗବେଷଣା ମଧ୍ୟ ଦେଶ ବିଦେଶରେ ପ୍ରଶଂସିତ ହେଉଥିଲା । କିନ୍ତୁ ଏବେ ଏଠାରେ ଶିକ୍ଷକ ମରୁଡ଼ି ଯୋଗୁ ସମସ୍ୟା ଦିନକୁ ଦିନ ବଢ଼ିବଢ଼ି ଚାଲୁଛି । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୦ଟି ଯାକ ମହାବିଦ୍ୟାଳୟ ପାଇଁ ୭୩ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀରୁ ୬୩ଟି, ୧୨୦ଟି ସହଯୋଗୀ ପ୍ରଫେସର ପଦରୁ ୮୦ଟି ଓ ୩୧୫ଟି ସହକାରୀ ପ୍ରଫେସର ପଦବୀରୁ ୧୩୩ଟି ଖାଲି ପଡିଛି । ଏହାଛଡ଼ା ଏହି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ପାଇଁ ଥିବା ୧୦ଟି ମଞ୍ଜୁରୀପ୍ରାପ୍ତ ‘କ’ ବର୍ଗର ପଦବୀରୁ ୫ଟି, ୨୪୦ଟି ‘ଖ’ ବର୍ଗର ପଦବୀରୁ ୧୪୨ଟି ଓ ୨୭୦ଟି ‘ଗ’ ବର୍ଗର ପଦବୀରୁ ୨୧୮ଟି ଖାଲି ପଡିଥିବା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଦେଇଥିବା ତଥ୍ୟରୁ ଜଣାପଡିଛି ।

ଭୁବନେଶ୍ୱରସ୍ଥିତ କୃଷି ମହାବିଦ୍ୟାଳୟର ୧୭ଟି ଯାକ ପ୍ରଫେସର ପଦବୀ ଖାଲି ପଡିଥିବା ବେଳେ ୨୬ଟି ସହଯୋଗୀ ପ୍ରଫେସରରୁ ୧୪ଟି ଓ ୫୩ଟି ସହକାରୀ ପ୍ରଫେସରରୁ ୨୨ଟି ଖାଲି ପଡିଛି । ଚିପିଲିମା କୃଷି ମହାବିଦ୍ୟାଳୟ ମାତ୍ର ୧୨ଜଣ ସହକାରୀ ପ୍ରଫେସରଙ୍କୁ ନେଇ ଚାଲିଛି । ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟରେ ତିନୋଟିଯାକ ପ୍ରଫେସର ପଦବୀ ଖାଲି ପଡିଥିବା ବେଳେ ୮ଟି ସହଯୋଗୀ ପ୍ରଫେସରରୁ ୩ଟି ଓ ୩୪ଟି ସହକାରୀ ପ୍ରଫେସରରୁ ୧୭ଟି ପଦବୀ ଖାଲି । ଚିପିଲିମାର ଉଦ୍ୟାନ କୃଷି ମହବିଦ୍ୟାଳୟର ୮ଟିଯାକ ପ୍ରଫେସର ପଦବୀ ଖାଲି ପଡିଥିବା ବେଳେ ୧୧ଟି ସହଯୋଗୀ ପ୍ରଫେସରରୁ ୮ଟି ଓ ୩୧ଟି ସହକାରୀ ପ୍ରଫେସରରୁ ୧୮ଟି ପଦବୀ ଖାଲି । ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଲାଗିଥିବା ୯ଟି ଯାକ ପ୍ରଫେସର ପଦବୀ ଖାଲି ପଡିଥିବା ବେଳେ ୧୪ଟି ସହଯୋଗୀ ପ୍ରଫେସରରୁ ୧୧ଟି ଓ ୨୦ଟି ସହକାରୀ ପ୍ରଫେସରରୁ ୧୩ଟି ପଦବୀ ଖାଲି ।


ଭୁବନେଶ୍ୱରରେ ଥିବା ବନ ମହାବିଦ୍ୟାଳୟର ୫ଟିଯାକ ପ୍ରଫେସର ପଦବୀ ଖାଲି ପଡିଥିବା ବେଳେ ଅନ୍ୟ ୫ଟି ସହଯୋଗୀ ପ୍ରଫେସର ପଦବୀରୁ ବି ୪ଟି ଖାଲି । ଏଠାରେ ଥିବା ପଶୁପାଳନ ମହାବିଦ୍ୟାଳୟର ୨୦ଟି ପ୍ରଫେସର ପଦବୀରୁ ୧୩ଟି ଖାଲି ପଡିଥିବା ବେଳେ ୩୦ଟି ସହଯୋଗୀ ପ୍ରଫେସର ପଦବୀରୁ ୧୯ଟି ଏବଂ ୭୨ଟି ସହକାରୀ ପ୍ରଫେସର ପଦବୀରୁ ୨୦ଟି ଖାଲି ପଡିଥିବା ସରକାରୀ ତଥ୍ୟରୁ ଜଣାପଡିଛି । ଏହାଛଡ଼ା କୃଷି ଯାନ୍ତ୍ରିକ ମହାବିଦ୍ୟାଳୟର ୫ଟି ପ୍ରଫେସରରୁ ୨ଟି, ୧୦ଟି ସହଯୋଗୀ ପ୍ରଫେସରରୁ ୬ଟି ଏବଂ ୧୮ଟି ସହକାରୀ ପ୍ରଫେସରରୁ ୧୧ଟି ପଦବୀ ଖାଲି । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଖୋଲାଯାଇଥିବା କମ୍ୟୁନିଟି ବିଜ୍ଞାନ ମହାବିଦ୍ୟାଳୟର ୫ଟିଯାକ ପ୍ରଫେସର ଓ ୧୦ଟିଯାକ ସହଯୋଗୀ ପ୍ରଫେସର ପଦବୀ ଖାଲି ପଡିଥିବା ବେଳେ ୨୦ଟି ସହକାରୀ ପ୍ରଫେସରରୁ ମଧ୍ୟ ୧୭ଟି ପଦବୀ ଖାଲି ପଡିଛି । (ତଥ୍ୟ)