ଭୁବନେଶ୍ୱର : ଚାଷୀଙ୍କ ଆୟ ଦୁଇଗୁଣାରୁ ଅଧିକ କରିବାପାଇଁ ଅଣ୍ଟା ଭିଡିଥିବା କୃଷି ବିଭାଗରେ ଏବେ କର୍ମଚାରୀ ସଙ୍କଟ । ଏପରିକି ବିଭାଗ ଅଧିନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟରେ ଗତ ୨୦ବର୍ଷ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟାରେ ଢେର ହ୍ରାସ କରାଯାଇଛି ।
ଚାଷୀଙ୍କ ଆୟ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟରେ ଏବେ ଅଧାରୁ ଅଧିକ ପଦବୀ ଖାଲି ପଡିଛି । ଯଦିଓ ଦୁଇ ଦଶନ୍ଧି ମଧ୍ୟରେ ଏହି ନିର୍ଦ୍ଦେଶାଳୟ କର୍ମଚାରୀ ସଂଖ୍ୟା ହ୍ରାସ କରିନାହିଁ କିନ୍ତୁ ଏଠାରେ ଅଧାରୁ ଅଧିକ ପଦବୀ ଖାଲି ପଡିଛି । ମୋଟ୍ ୩୧୬୩ ପଦବୀ ମଧ୍ୟରୁ ୧୮୧୬ଟି ପଦବୀ ଖାଲି ପଡିଛି । ଗ୍ରୁପ୍ ସି ଓ ଗ୍ରୁପ୍ ଡି ସ୍ତରରେ ସର୍ବାଧିକ ପଦବୀ ଖାଲି ପଡିଥିବା ଦେଖିବାକୁ ମିଳିଛି ।
ସେହିଭଳି କୃଷି ନିର୍ଦ୍ଦେଶାଳୟରେ ପ୍ରାୟ ସାଢେ ୪ହଜାର ପଦବୀ ଖାଲି ପଡିଛି । ଏଠାରେ ମୋଟ୍ ୯୬୮୯ଟି ପଦବୀ ଥିବାବେଳେ ଅଛନ୍ତି ମାତ୍ର ୫୨୧୭ କର୍ମଚାରୀ । ଗ୍ରୁପ୍ ସି ପାହ୍ୟାୋର ୨୪୬୩ ପଦବୀ ଖାଲି ପଡିଥିବାବେଳେ ଗ୍ରୁପ୍ ବି ପାହ୍ୟାରେ ୧୦୯୩ ପଦବୀ ଖାଲି ପଡିଛି ।
ମୃତ୍ତିକା ସଂରକ୍ଷଣ ଏବଂ ଜଳାଶୟ ବିକାଶ ନିର୍ଦ୍ଦେଶାଳୟରେ ଗତ ୨୦ବର୍ଷ ମଧ୍ୟରେ ୧୩୦୦ରୁ ଅଧିକ ପଦବୀ ଉଚ୍ଛେଦ ହୋଇଛି । ୨୦୦୧ମସିହାରେ ଏହି ନିର୍ଦ୍ଦେଶାଳୟରେ ୩୭୯୨ଟି ପଦବୀ ଥିବାବେଳେ ବର୍ତ୍ତମାନ ରହିଛି ୨୪୧୩ଟି । ତେବେ ସବୁଠାରୁ ବଡ କଥା ହେଉଛି ୨୪୧୩ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୧୪୧୭ଟି ଖାଲି ପଡିଛି । ଏଗୁଡିକ ପୂରଣ ନେଇ ସେଭଳି କୌଣସି ସୂଚନା ନାହିଁ ।
ତେବେ କୃଷି ବିଭାଗରେ ଖାଲି ପଡିଥିବା କେତେକ ପଦବୀ ଅନ୍ୟ ବିଭାଗ ଦ୍ୱାରା ପୂରଣ ହେବାକୁ ଥିବାରୁ କର୍ମଚାରୀ ନିଯୁକ୍ତିରେ ବିଳମ୍ବ ହେବାରେ ଲାଗିଛି । କୃଷି ବିଭାଗରେ ଏଭଳି କିଛି ପଦବୀ ରହିଛି ଯାହା ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର ଓ ଅର୍ଥ ବିଭାଗ ପୂରଣ କରିଥାଏ । ଏହିସବୁ ବିଭାଗ ପଦବୀ ପୂରଣ ଉପରେ ତ୍ୱରିତ ପଦକ୍ଷେପ ନେଉନଥିବାରୁ କୃଷି ବିଭାଗରେ ଖାଲି ପଡୁଥିବା ପୂରଣ ହୋଇପାରୁ ନାହିଁ ।
ଏଣେ କୃଷି ବିଭାଗ କ୍ୟାଡର ଅଧିନରେ ଥିବା ଜିଲ୍ଲା କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ ଭଳି ପାହ୍ୟାରେ ୧୬୫ଟି ପଦବୀ ଖାଲି ପଡିଥିାବବେଳେ ସହକାରୀ କୃଷି ଅଧିକାରୀ ପାହ୍ୟାରେ ୧୫୫ ପଦବୀ ଖାଲି ପଡିଛି । ଏହିସବୁ ପଦବୀ ଖାଲି ପଡିବା ଯୋଗୁଁ ଜିଲ୍ଲା ସ୍ତରରେ କୃଷି ବିଭାଗର କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି ।
କେବଳ ଏହି ଦୁଇ ପାହ୍ୟାର ଅଧିକାରୀ ନୁହନ୍ତି ଉଦ୍ୟାନ ନିର୍ଦ୍ଦେଶାଳୟ ଠାରୁ ଆରମ୍ଭ କରି ମୃତ୍ତିକା ସଂରକ୍ଷଣ ପର୍ଯ୍ୟନ୍ତ ବିଭିନ୍ନ ନିର୍ଦ୍ଦେଶାଳୟରେ ଯେଭଳି ମାଳ ମାଳ ପଦବୀ ଖାଲି ପଡିଛି ତାହା ପୂରଣ କରାନଗଲେ ଚାଷୀଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ଏତେ ସହଜ ହେବନାହିଁ । କାରଣ ଦିନକୁ ଦିନ କୃଷି ବିଭାଗରେ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ତଳସ୍ତରରେ ଏହାକୁ ରୂପାୟନ କରିବାପାଇଁ ଅଧିକ ସଂଖ୍ୟାରେ କର୍ମଚାରୀ ଆବଶ୍ୟକ । ଏଭଳି ସ୍ଥଳେ ପଦବୀ ଖାଲି ପଡିବା ରାଜ୍ୟର ଚାଷବାସ ପ୍ରତି ଆଦୌ ଶୁଭଙ୍କର ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)