Home Agriculture କୃଷିରେ ବିଜୁଳି ବ୍ୟବହାର ଢେର କମ୍‍

କୃଷିରେ ବିଜୁଳି ବ୍ୟବହାର ଢେର କମ୍‍

ଭୁବନେଶ୍ୱର : ବିଗତ ୩୦ବର୍ଷ ମଧ୍ୟରେ ଓଡିଶାରେ ବିଦ୍ୟୁତ୍‍ ଶକ୍ତି ଉତ୍ପାଦନ ପ୍ରାୟ ଚାରିଗୁଣ ବୃଦ୍ଧି ପାଇଥିବାବେଳେ କୃଷି କାର୍ଯ୍ୟରେ ବିଦ୍ୟୁତ୍‍ ବ୍ୟବହାର ପରିମାଣ ବି ବଢିଛି । ତେବେ ଘରୋଇ, ବ୍ୟବସାୟିକ ଓ ଶିଳ୍ପ କ୍ଷେତ୍ରରେ ବିଦ୍ୟୁତ୍‍ ବ୍ୟବହାର ହାର ଯେଉଁ ଭାବରେ ବୃଦ୍ଧି ପାଇଛି ସେ ତୁଳନାରେ କୃଷି କାର୍ଯ୍ୟ ପାଇଁ ବୃଦ୍ଧି ପାଇଥିବା ବିଦ୍ୟୁତ୍‍ ବ୍ୟବହାରର ହାର ଅତି କମ୍‍ ।

୧୯୯୦-୯୧ ବର୍ଷ ବେଳକୁ ଓଡିଶାରେ ୪୯୦୧ ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ ବ୍ୟବହୃତ ହେଉଥିବାବେଳେ ୧୯୯୯-୨୦୦୦ବେଳକୁ ଏହାର ପରିମାଣ ୫୬୦୩ ନିୟୁତ ୟୁନିଟ୍‍ରେ ପହଞ୍ଚିଥିଲା । ୨୦୦୯-୧୦ ବର୍ଷରେ ଓଡିଶାରେ ୧୨,୨୮୨ ନିୟୁତ ୟୁନିଟ୍‍ ବ୍ୟବହୃତ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହି ପରିମାଣ ୧୯,୭୨୮ ନିୟୁତ ୟୁନିଟ୍‍କୁ ବୃଦ୍ଧି ପାଇଥିଲା । ଏବେ ବର୍ଷକୁ ଓଡିଶାରେ ପ୍ରାୟ ୨୧,୦୦୦ ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ ବ୍ୟବହୃତ ହେଉଛି ।

କୃଷି ବିଭାଗର ତଥ୍ୟ ମୁତାବକ ୧୯୯୦-୯୧ ବର୍ଷରେ କୃଷି ପାଇଁ ୨୨୯ ନିୟୁତ ୟୁନିଟ୍‍ ବ୍ୟବହୃତ ହେଉଥିଲା ଯାହା ମୋଟ୍‍ ବିଦ୍ୟୁତ୍‍ ବ୍ୟବହାରର ଥିଲା ୪.୭ ପ୍ରତିଶତ । ୨୦୦୦-୦୧ ବର୍ଷରେ ୧୮୬ ନିୟୁତ୍‍ ୟୁନିଟ୍‍ ବିଦ୍ୟୁତ୍‍ କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିଲା । ଯାହା କି ରାଜ୍ୟରେ ମୋଟ ବ୍ୟବହୃତ ବିଦ୍ୟୁତ୍‍ର ୩.୧ ପ୍ରତିଶତ ଥିଲା । ୨୦୦୯-୧୦ ବର୍ଷରେ ଓଡିଶାରେ କୃଷି ପାଇଁ ୧୬୦ ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ ବ୍ୟବହୃତ ହୋଇଥିଲା, ଯାହାକି ସେ ବର୍ଷର ମୋଟ ବିଦ୍ୟୁତ୍‍ ବ୍ୟବହାରର ମାତ୍ର ୧.୩ ପ୍ରତିଶତ ଥିଲା ।

୧୯୯୦-୯୧ ତୁଳନାରେ ୨୦୦୯-୧୦ ବିଦ୍ୟୁତ୍‍ ଉତ୍ପାଦନ ଓ ବ୍ୟବହାର ଢେର ବୃଦ୍ଧି ପାଇଥିଲେ ମଧ୍ୟ କୃଷି କାର୍ଯ୍ୟ ପାଇଁ କିନ୍ତୁ ବିଦ୍ୟୁତ୍‍ ବ୍ୟବହାର ବଢିବା ପରିବେର୍ତ୍ତ ଢେର କମିଥିଲା । ତେବେ ପରବର୍ତ୍ତୀ ବର୍ଷ ମାନଙ୍କରେ କୃଷି କାମ ପାଇଁ ବିଦ୍ୟୁତ୍‍ ବ୍ୟବହାର ବୃଦ୍ଧି ପାଥିବା ଲକ୍ଷ୍ୟ କରାଯାଉଛି ।

ସରକାରୀ ପରିସଂଖ୍ୟାନ ମୁତାବକ ୨୦୧୯-୨୦ ବର୍ଷରେ କୃଷି ପାଇଁ ଓଡିଶାରେ ୬୫୯ ନିୟୁତ ୟୁନିଟ୍‍ ବିଦ୍ୟୁତ୍‍ ବ୍ୟବହାର ହୋଇଥିଲା, ଯାହାକି ଉକ୍ତ ବର୍ଷରେ ମୋଟ ବିଦ୍ୟୁତ୍‍ ଶକ୍ତିର ୩.୩ ପ୍ରତିଶତ ଥିଲା । ଏବେ ଆମ ରାଜ୍ୟରେ କୃଷି ପାଇ ୭୦୦ ନିୟୁନିଟ୍‍ରୁ ଅଧିକ ବିଜୁଳି ବ୍ୟବହାରା କରାଯାଇଛି । ୧୯୯୪-୯୫ ବେଳକ ହେକ୍ଟର ପିଛା ୦.୫୪ କିଲୋୱାଟ ବିଦ୍ୟୁତ୍‍ ଆମ ରାଜ୍ୟରେ ଉପଲବ୍ଧ ହେଉଥିବାବେଳେ ୨୦୧୯-୨୦ବର୍ଷ ବେଳକୁ ଏହି ପରିମାଣ ହେକ୍ଟର ପିଛା ୧,୮୬ କିଲୋୱାଟରେ ପହଞ୍ଚିଛି ।

କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ଏବଂ ରାଜ୍ୟର ଅର୍ଥନୀତି କୃଷି ଭିତ୍ତିକ ହୋଇଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ମାଗଣାରେ କୃଷି ଭିତ୍ତିକ କାର୍ଯ୍ୟ ପାଇଁ ବିଜୁଳି ଶକ୍ତି ଯୋଗାଇ ଦିଆଯିବା ଆବଶ୍ୟକ । କୃଷି, କୃଷି ଶିଳ୍ପ ଓ ଅନ୍ୟାନ୍ୟ କୃଷିଭିତ୍ତିକ କାର୍ଯ୍ୟ ପାଇଁ ଅତି କମ୍‍ରେ ମୋଟ ବ୍ୟବହାରର ୧୦ରୁ ୧୫ ପ୍ରତିଶତ ବିଜୁଳି ଶକ୍ତି ଉପଲବ୍ଧ କରାଯାଇ ପାରିଲେ ଚାଷୀମାନଙ୍କ ଆୟ ବଢିବା ସହ କୃଷି ଉତ୍ପାଦନ ଓ ରାଜ୍ୟର ଘରୋଇ ଉତ୍ପାଦ ମଧ୍ୟ ଢେର ବୃଦ୍ଧି ପାଇପାରିବ ବୋଲି କୁହାଯାଉଛି । (ତଥ୍ୟ)