Home Agriculture କୃଷିଭବନରେ ପି କେ ମିଶ୍ର

କୃଷିଭବନରେ ପି କେ ମିଶ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଆଜି ପୂର୍ବାହ୍ନରେ କୃଷିଭବନ ପରିଦର୍ଶନ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଡ. ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ଡ. ମିଶ୍ର କୃଷି ଭବନ ପରିଦର୍ଶନ ଅବସରରେ କୃଷି ସମୀକ୍ଷା କେନ୍ଦ୍ର ବୁଲି ଦେଖିବା ସହିତ ଏହାର କାର୍ଯ୍ୟକାରିତା ସଂପର୍କରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏବଂ ଡିଜିଟାଇଜେସନ୍‌ ମାଧ୍ୟମରେ କୃଷିରେ ରୂପାନ୍ତରଣ ଆଣିବା ନିମନ୍ତେ କୃଷି ବିଭାଗ ପକ୍ଷରୁ ଏକ କୃଷି ସମୀକ୍ଷା କେନ୍ଦ୍ର ନାମକ ଏକ ଅତ୍ୟାଧୁନିକ ଡିଜିଟାଲ ପ୍ଲାଟ୍‌ଫର୍ମ ସ୍ଥାପନ କରାଯାଇଛି ।

ଏହା ଦ୍ୱାରା ପ୍ରକୃତ କ୍ଷେତ୍ରସ୍ତରୀୟ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଇପାରୁଛି । କୃଷି ସମୀକ୍ଷା କେନ୍ଦ୍ରରେ ଏକ କେନ୍ଦ୍ରୀଭୂତ କମାଣ୍ଡ ଓ କଣ୍ଟ୍ରୋଲ ସନ୍ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ଡିଜିଟାଲ୍‌ ପ୍ଲାଟଫର୍ମର ଉପଯୋଗ ଦ୍ୱାରା କୃଷି ବିଭାଗର ବିଭିନ୍ନ ଯୋଜନାର ବାସ୍ତବ ରୂପାୟନ, ବିଭାଗୀୟ ନିର୍ଦ୍ଦେଶ ଏବଂ କାର୍ଯ୍ୟର ସମୀକ୍ଷା ଓ ପର୍ଯ୍ୟବେକ୍ଷଣ ନିମନ୍ତେ ଏକ ସମନ୍ୱିତ ନିଷ୍ପତ୍ତି ଗ୍ରହଣର ବ୍ୟବସ୍ଥା ରହିଛି ।

କୃଷି ସମୀକ୍ଷା କେନ୍ଦ୍ର ମାଧ୍ୟମରେ ବିଭାଗର ଅଧିକାରୀମାନେ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ଡିଜାଇନ୍‌ର ଅନୁମାନ ଦିଗରେ ପରିକଳ୍ପନା ଆଧାରିତ ସର୍ବେକ୍ଷଣ କରିପାରୁଛନ୍ତି । ବାସ୍ତବ ସମୟର ତଥ୍ୟ ଏବଂ ଏହାର ଅପ୍‌ଡେଟ୍‌ ଆଧାରରେ କ୍ଷେତ୍ରର ସମସ୍ୟାକୁ ତୁରନ୍ତ ଚିହ୍ନଟ କରି ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇପାରୁଛି । ଏହା ଦ୍ୱାରା କୀଟପତଙ୍ଗର ପ୍ରାଦୁର୍ଭାବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆଦି ସମୟରେ ଫସଲହାନୀକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି ।

ଏହା ପରେ ଡ. ମିଶ୍ର କଷି ଭବନ ପରିସରରେ ଥିବା ମିଲେଟସ୍‌ କାଫେ ପରିଦର୍ଶନ କରି ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସଂପର୍କରେ ପଚାରି ବୁଝିଥିଲେ । ଡ. ମିଶ୍ରଙ୍କ ପରିଦର୍ଶନ ସମୟରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଓସେପାର ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହାଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।