ଭୁବନେଶ୍ୱର : ଧାନ ଉତ୍ପାଦନରେ ଏକାଧିକ ରେକର୍ଡ କରିଥିବା ଓଡିଶା କିନ୍ତୁ କୃଷିଜାତ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ପଡୋଶୀ ରାଜ୍ୟମାନଙ୍କ ଠାରୁ ପଛରେ । ଝାଡଖଣ୍ଡକୁ ବାଦ୍ ଦେଲେ ଅନ୍ୟ ତିନି ପଡୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ ଏ କ୍ଷେତ୍ରରେ ଓଡିଶା ଠାରୁ ଢେର ଆଗରେ ରହିଛନ୍ତି ।
ଭାରତରୁ ଏବେ ବର୍ଷକୁ ୫୦ହଜାର ନିୟୁତ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର କୃଷିଜାତୀୟ ସାମଗ୍ରୀ ବିଦେଶକୁ ରପ୍ତାନି ହେଉଛି । ବର୍ଷକୁ ବର୍ଷ ଏହା ବୃଦ୍ଧି ପାଇବାରେ ଲାଗିଛନ୍ତି । ବିଭିନ୍ନ କୃଷିଜାତ ସାମଗ୍ରୀ ମଧ୍ୟରେ ବାସୁମତି ଚାଉଳ ଠାରୁ ଆରମ୍ଭକରି ଚା’, କଫି, କାଜୁ, ଚିନି, ଗହମ, ତାଜା ଫଳ, ପନିପରିବା, ପ୍ରକ୍ରିୟାକୃତ ଫଳ ଏବଂ ପାନୀୟ, ଚିନାବାଦାମ, ଆଲକୋଲ ଯୁକ୍ତ ପାନୀୟ, ତମାଖୁ ଓ ଡାଲି ଆଦି ରହିଛି ।
ଦେଶର ବିଭିନ୍ନ ରାଜ୍ୟ ଏବେ ନିଜ ନିଜର କୃଷିଜାତ ସାମଗ୍ରୀ ବିଦେଶକୁ ରପ୍ତାନି କରି ବୈଦେଶିକ ମୁଦ୍ରା ଆୟ ଲାଗି ଏକ ପ୍ରକାର ପ୍ରତିଯୋଗିତା ଚଳାଇଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟ ବି ରହିଛନ୍ତି । ତେବେ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଓଡିଶାର ରପ୍ତାନି ପରିମାଣ ୨୦୨୧-୨୨ ସୁଦ୍ଧା ୮୦୦ ନିୟୁତ ଆମେରିକୀୟ ଡଲାରକୁ ଅତିକ୍ରମ କରିପାରି ନାହିଁ । ଯେତେବେଳେ କି ଏହି ସମୟରେ ଆନ୍ଧ୍ରପ୍ରଦେଶ ୬୪୩୧ ନିୟୁତ ଆମେରିକୀୟ ଡଲାର ମୂଲ୍ୟର କୃଷିଜାତ ସାମଗ୍ରୀ ରପ୍ତାନିରେ ସଫଳ ହୋଇଛି ।
ସେହିଭଳି ଅନ୍ୟତମ ପଡୋଶୀ ତଥା ଓଡିଶା ଠାରୁ ଢେର ଛୋଟ ରାଜ୍ୟ ଛତିଶଗଡ ୨୦୨୧-୨୨ ବର୍ଷରେ ୧୨୦୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର କୃଷିଜାତ ସାମଗ୍ରୀ ରପ୍ତାନି କରିଥିବାବେଳେ ପଶ୍ଚିମବଙ୍ଗରୁ ପ୍ରାୟ ୩୨୦୦ ନିୟୁତ ଡଲାର ମୂଲ୍ୟର କୃଷିଜାତ ସାମଗ୍ରୀ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ରପ୍ତାନି କରାଯାଇଛି ।
ତେବେ ବିଦେଶକୁ କୃଷିଜାତୀୟ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଗୁଜୁରାଟ ଦେଶରେ ପ୍ରଥମ ସ୍ଥାନରେ ରହିଛି । ଏହି ରାଜ୍ୟରୁ ୨୦୨୧-୨୨ ବର୍ଷରେ ବିଦେଶକୁ ୯୨୨୮ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ କୃଷିଜାତ ସାମଗ୍ରୀ ରପ୍ତାନି ହୋଇଥିବାବେଳେ ମହରାଷ୍ଟ୍ରରୁ ୮୩୭୦ ନିୟୁତ, ଆନ୍ଧ୍ରପ୍ରଦେଶରୁ ୬୪୪୦ ନିୟୁତ, ଉତ୍ତରପ୍ରଦେଶରୁ ୪୦୭୪ ନିୟୁତ ଡଲାର ମୂଲ୍ୟର କୃଷିଜାତ ସାମଗ୍ରୀ ବିଦେଶକୁ ଯାଉଛି ।
ଭାରତରୁ ବାର୍ଷିକ ୫୦ହଜାର ନିୟୁତ ଆମେରିକୀୟ ମୂଲ୍ୟର କୃଷିଜାତ ସାମଗ୍ରୀ ବିଦେଶକୁ ରପ୍ତାନି ହେଉଥିବାବେଳେ ୩୨ହଜାର ନିୟୁତ ଡଲାରରୁ ଅଧିକ ମୂଲ୍ୟର କୃଷିଜାତ ସାମଗ୍ରୀ ଆମଦାନୀ ବି ହେଉଛି । ରପ୍ତାନି ଭଳି ଆମଦାନୀ ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି । ବିଦେଶରୁ ଆମଦାନୀ ହେଉଥିବା କୃଷିଜାତ ସାମଗ୍ରୀ ମଧ୍ୟରେ ବିଶେଷକରି ଖାଇବାତେଲ, ଡାଲି, କାଜୁ, ଆଲୋକହଲଯୁକ୍ତ ପାନୀୟ, କୋକା, ତୁଳା, ଚିନି, କଫି, ଦୁଗ୍ଧଜାତ ସାମଗ୍ରୀ ସହିତ ତମାଖୁ ଭଳି ସାମଗ୍ରୀ ରହିଛି ।
ତେବେ କୃଷି ପ୍ରଧାନ ରାଜ୍ୟ କୁହାଯାଉଥିବା ଓଡିଶାରେ ବିଭିନ୍ନ ଚାଷପାଇଁ ଅନୁକୂଳ ପରିବେଶ ସହିତ ସୁଦୀର୍ଘ ସାମୁଦ୍ରିକ ଉପକୂଳ ରହିଥିବାବେଳେ କୃଷିଜାତ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ପଡୋଶୀ ରାଜ୍ୟମାନଙ୍କୁ ଠାରୁ ଏତେ ପଛରେ ପଡିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)