ଭୁବନେଶ୍ୱର : ବିଦେଶକୁ କୃଷିଜାତ ସାମଗ୍ରୀ ରପ୍ତାନି କରିବାରେ ଓଡିଶା ପଡୋଶୀ ରାଜ୍ୟମାନଙ୍କ ଠାରୁ ଢେର ପଛରେ ପଡିଛି । ଏପରିକି ଏ କ୍ଷେତ୍ରରେ ଛତିଶଗଡ ଆମ ରାଜ୍ୟ ଠାରୁ ଆଗରେ ରହିଛି ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ସୂଚନା ଅନୁଯାୟୀ ୨୦୨୧-୨୨ ବର୍ଷରେ ଭାରତରୁ ମୋଟ୍ ୫୦,୨୦୮ନିୟୁତ ଆମେରିକୀୟ ଡଲାର ମୂଲ୍ୟର କୃଷିଜାତ ସାମଗୀ ବିଦେଶକୁ ରପ୍ତାନି ହୋଇଥିବାବେଳେ ଏହିବର୍ଷ ଓଡିଶାରୁ ରପ୍ତାନି ହୋଇଥିବା ଏହି ଜାତୀୟ ସାମଗ୍ରୀର ପରିମାଣ ଥିଲା ୭୧୫.୬୬ ନିୟୁତ ଡଲାର । ତେବେ ସେହିବର୍ଷ ଛତିଶଗଡ ବିଦେଶକୁ ୧୨୦୨ ନିୟୁତ ଡଲାରରୁ ଅଧିକ ମୂଲ୍ୟର କୃଷିଜାତ ସାମଗ୍ରୀ ରପ୍ତାନି କରିଥିବାବେଳେ ପଶ୍ଚିମବଙ୍ଗ ପ୍ରାୟ ୩୨୦୦ ନିୟୁତ ଡଲାର ଓ ଆନ୍ଧ୍ରପ୍ରଦେଶ ୬୪୩୯ ନିୟୁତ ଡଲାର ମୂଲ୍ୟର କୃଷିଜାତ ସାମଗ୍ରୀ ରପ୍ତାନି କରିଥିଲେ ।
ବିଦେଶକୁ କୃଷିଜାତ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଗୁଜୁରାଟ ସବୁଠାରୁ ଆଗରେ ରହିଛି । ୨୦୨୧-୨୨ ବର୍ଷରେ ଗୁଜୁରାଟ ବିଦେଶକୁ ୯୨୨୮ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିବାବେଳେ ଏହା ପଛକୁ ମହାରାଷ୍ଟ୍ର ରହିଛି । ସେହଭଳି କର୍ଣ୍ଣାଟକ, କେରଳ ମଧ୍ୟପ୍ରଦେଶ, ହରିଆନା, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା ଆଦି ରାଜ୍ୟ ଓଡିଶା ଠାରୁ ଢେର ଆଗରେ ରହିଛନ୍ତି ।
୨୦୧୭-୧୮ ବର୍ଷରେ ଓଡିଶାରୁ ବିଦେଶକୁ ପାଖପାଖି ୫୦୬ ନିୟୁତ ଡଲାର ମୂଲ୍ୟର କୃଷିଜାତ ସାମଗ୍ରୀ ରପ୍ତାନି ହୋଇଥିବାବେଳେ ଏହା ପରବର୍ତ୍ତୀ ତିନି ବର୍ଷ ଧରି ରପ୍ତାନି ପରିମାଣ ହ୍ରାସ ପାଇଥିଲା । ତେବେ ୨୦୨୧-୨୨ବର୍ଷରେ ଏହା ୭୦୦ ନିୟୁତ ଡଲାରକୁ ଟପି ଯାଇଥିଲା । ବିହାର ଭଳି ରାଜ୍ୟ ୨୦୧୭-୧୮ ବର୍ଷରେ ମାତ୍ର ୨୯୨ ନିୟୁତ ଡଲାରର କୃଷିଜାତ ସାମଗ୍ରୀ ରପ୍ତାନି କରିଥିବାବେଳେ ୨୦୨୧-୨୨ ବର୍ଷରେ ଏହି ରାଜ୍ୟର ରପ୍ତାନି ପରିମାଣ ୮୦୨ ନିୟୁତ ଡଲାରକୁ ଅତିକ୍ରମ କରିଯାଇଥିଲା ।
ଆମ ଦେଶରୁ ବିଦେଶକୁ ରପ୍ତାନି ହେଉଥିବା ସାମଗ୍ରୀ ମଧ୍ୟରେ ଅଣବାସୁମତି ଚାଉଳ, ଚିନି, ମସଲା, ବାସୁମତି ଚାଉଳ, ସାମୁଦ୍ରିକ ଉତ୍ପାଦ, ଗହମ, କଫି, ଚା’, ଚିନାବାଦାମ, କାଜୁ, ଡାଲି, ଫଳ ଓ ପନିପରିବା, ଦୁଗ୍ଧଜାତ ସାମଗ୍ରୀ, ତଟକା ପରିବା ଆଦି ରହିଛି । ଏହାର ଉତ୍ପାଦନ ପାଇଁ ଓଡିଶାରେ ମଧ୍ୟ ଅନକୂଳ ଜଳବାୟୁ ରହିଛି । ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ଅଞ୍ଚଳରେ ସାମୁଦ୍ରିକ ଉତ୍ପାଦର ସୁଯୋଗ ରହିଛି ।
ସେହିଭଳି ରାଜ୍ୟରୁ ବିପୁଳ ପରିମାଣରେ ଅଣବାସୁମତି ଚାଉଳ, କାଜୁ ଓ କଫି ଉତ୍ପାଦନ ହେଉଛି । ଏଭଳି ସ୍ଥିତିରେ ବିଦେଶକୁ କୃଷିଜାତି ସାମଗ୍ରୀ ରପ୍ତାନି କ୍ଷେତ୍ରରେ ପଡୋଶୀ ରାଜ୍ୟ ଛତିଶଗଡ ଏପରିକି ବିହାର ଠାରୁ ଆମେ ପଛରେ ପଡିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ପଡୋଶୀ ରାଜ୍ୟମାନେ କୃଷିଜାତ ସାମଗ୍ରୀ ବିଦେଶକୁ ପଠାଇ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଆୟ କରୁଥିବାବେଳେ ଆମେ ଏ କ୍ଷେତ୍ରରେ ଏବେ ବି ପଛରେ ରହିଛୁ । (ତଥ୍ୟ)