Home Agriculture କୁହୁଳୁଛି ଚାଷୀଙ୍କ ଅସନ୍ତୋଷ

କୁହୁଳୁଛି ଚାଷୀଙ୍କ ଅସନ୍ତୋଷ

ଭୁବନେଶ୍ୱର : ଧାନ ସଂଗ୍ରହ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କାରୁ ୩୧୦୦ ଟଙ୍କାକୁ ରାଜ୍ୟ ସରକାର ବଢାଇଥିବାବେଳେ ମିଲରମାନଙ୍କ ମନମାନି ଯୋଗୁଁ ଅନେକ ସ୍ଥାନରେ ଟୋକନ ଥାଇ ବି ଚାଷୀ ଧାନ ବିକି ପାରୁନାହାନ୍ତି । ଏ ପରିପ୍ରେକ୍ଷୀରେ ଚାଷୀମାନଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।

ସରକାର ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଧାନ ଦର ବଢାଇବା ଫଳରେ ଚାଷୀମାନଙ୍କ ଭିତରେ ଆନ୍ଦର ଲହରୀ ଖେଳି ଯାଇଥିଲା । ତେବେ ଗତ ସରକାର ସମୟରେ ଚାଲିଥିବା କଟ୍‍ନି ଛଟ୍‍ନି ବ୍ୟବସ୍ଥାର ସମାପ୍ତି ଘଟିବ ବୋଲି ଯେଉଁ ସଙ୍କଳ୍ପ ଜାରି କରାଯାଇଥିଲା ତାହା କିନ୍ତୁ ବହୁ ସ୍ଥାନରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏବେ ଅଧିକାଂଶ ସ୍ଥାନରେ ମଣ୍ଡିରେ ମାସ ମାସ ଧରି ଚାଷୀଙ୍କ ଧାନ ଗଦାହୋଇ ରହିଛି । ବର୍ଷାପାଣିରେ ଭିଜି ବହୁ ଧାନ ଗଜାହୋଇ ଯାଉଥିଲେ ବି ସେଥିପ୍ରତି କାହାର ନିଘା ନାହିଁ । ଏହାଛଡା କୁଇଣ୍ଟାଲ ପିଛା ୧୦ ରୁ ୨୦ କିଲୋ ପର୍ଯ୍ୟନ୍ତ କଟ୍‍ନି ଛଟ୍‍ନି ଚାଲୁଥିବାରୁ ଚାଷୀମାନେ ବି ବିପୁଳ କ୍ଷତିର ସମ୍ମୁଖୀନ ହେଉଥିବା ଘେନି ଗୁରୁତର ଅଭିଯୋଗମାନ ଆସୁଛି ।

ଅନେକ ଯେଉଁଠ ସବୁ ଚାଷୀଙ୍କ ଠାରୁ ମିଲରମାନେ ଧାନ ଉଠାଇଛନ୍ତି ସେଠାରେ ବହୁ ଚାଷୀଙ୍କୁ ଧାନ ବାବଦ ଟଙ୍କା ଦିଆଯାଇନାହିଁ । ରବି ଋତୁ ସରି ଖରିଫଋତୁ ଆସିଯାଇଥିବାବେଳେ ରବି ଋତୁର ଧାନବିକା ପଇସା ଚାଷୀଙ୍କୁ ମିଲରମାନେ ଦେବାରେ କୁନ୍ଥୁ କୁନ୍ଥୁ ହେଉଥିବାରୁ ଖରିଫ ଚାଷପାଇଁ ଚାଷୀମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ସଂକ୍ରାନ୍ତରେ ବାରମ୍ବାର ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଉଥିବାବେଳେ ବିଭିନ୍ନ ଚାଷୀ ସଂଗଠନମାନେ ବି ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରି ନିରାଶ ହେବାରୁ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ।

କୋରାପୁଟ, ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ସଡକ ଅବରୋଧ କରିଛନ୍ତି । ସେମାନେ ଟୋକନ ପାଇ ମଣ୍ଡିରୁ ଆଣିଥିବା ଧାନ ତୁରନ୍ତ ସରକାରୀ ବ୍ୟବସ୍ଥାରେ ଖରିଦ କରିବା, ଗଜା ହୋଇଥିବା ଧାନକୁ ବି କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବା, ଚାଷୀମାନଙ୍କୁ ବକେୟା ଟଙ୍କା ତୁରନ୍ତ ପ୍ରଦାନ କରିବା ଆଦି ଦାବିରେ ରାସ୍ତା ଅବରୋଧ ଜାରି ରହିଛି । ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳରେ ବି ଅନୁରୂପ ସମସ୍ୟା ଦେଖାଦେଇଛି । ସମ୍ବଲପୁର, ଦେବଗଡ, ବରଗଡ, କଳାହାଣ୍ଡି, ନୂଆପଡା ଆଦି ଜିଲ୍ଲାରୁ ଧାନ ସଂଗ୍ରହରେ ଅବ୍ୟବସ୍ଥା ଘେନି ଅଭିଯୋଗମାନ ଆସୁଛି ।

ରାଜ୍ୟର ଉପକୂଳବର୍ତ୍ତୀ ଓ ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡିକରେ ବି ଅନୁରୂପ ସମସ୍ୟା ଲାଗି ରହିଛି । ମିଲରମାନେ ଧାନ ଉଠାଇବା ଓ ଉଠାଉଥିବା ଧାନର ଦାମ୍‍ ତୁରନ୍ତ ପ୍ରଦାନ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବାବେଳେ ଖାଦ୍ୟ ଓ ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ବହୁ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ବିଭି୍‍ନ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କର।।ଯାଉଛି । ଏମିତିକି ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କ ସମସ୍ୟା ଘେନି ଧାରଣା ଦେବାକୁ ନୋଟିସ୍‍ ଦିଅଯାଇଥିବାବେଳେ ଚାଷୀ ନେତାମାନଙ୍କୁ ଧାରଣା ଦେବାପାଇଁ ପ୍ରଶାସନ ଅନୁମତି ଦେଇନଥିବା ଜଣାପଡିଛି ।

ଚାଷୀମାନେ ହନ୍ତସନ୍ତ ହେଉଥିବା ପରିସ୍ଥିତିରୁ ଫାଇଦା ଉଠାଇ ପଡୋଶୀ ରାଜ୍ୟର ବ୍ୟବସାୟୀମାନେ ଢେର କମ୍‍ ଦରରେ ଟ୍ରକ ଟ୍ରକ ଧାନ ବୁହାଇ ନେଉଛନ୍ତି । ପରିବାରର ଖର୍ଚ୍ଚ ଓ ଚାଷପାଇଁ ବାଧ୍ୟହୋଇ ଚାଷୀମାନେ କମ୍‍ ଦରରେ ଧାନ ବିକୁଛନ୍ତି । ଏ ପ୍ରସଙ୍ଗରେ କୃଷକ ସଂଗଠନଗୁଡିକ ପକ୍ଷରୁ ଆପତ୍ତି ଉଠୁଥିବାବେଳେ ଉଭୟ ଶାସକ ଓ ବିରୋଧିଦଳର କୃଷକ ଶାଖାଗୁଡିକ କିନ୍ତୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ ଲାଗି ସେଭଳି କିଛି ପଦକ୍ଷେପ ନେଉନାହାନ୍ତି ବୋଲି ଦଳ ମତ ନିର୍ବିଶେଷରେ ଚାଷୀମାନେ ଅଭିଯୋଗ କରୁଛନ୍ତି । (ତଥ୍ୟ)