Home General କୁଟୁମ୍ବ ଯୋଜନାକୁ ନେଇ ମିଶ୍ର ପ୍ରତିକ୍ରିୟା

କୁଟୁମ୍ବ ଯୋଜନାକୁ ନେଇ ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତରଦାୟଦମାନଙ୍କୁ ପେନ୍‍ସନ ଦେବାଲାଗି ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହା ଉପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ରାଜ୍ୟ ସରକାର ‘କୁଟୁମ୍ବ’ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସାମିଲ କରି ଏଭଳି ପେନ୍‍ସନ ପ୍ରଦାନ କରିବାକୁ ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି କହିବାପରେ ଏହି ଯୋଜନାର ରୂପରେଖ ଘେନି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।

ତେବେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ପେନ୍‍ସନ ଦେବାଲାଗି ଅର୍ଥ ବିଭାଗ ଓ ଗୃହ ବିଭାଗ ସମେତ ଅନ୍ୟ ବିଭାଗ ପକ୍ଷରୁ ଏଯାବତ୍‍ କୌଣସି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଅନ୍ୟ ପକ୍ଷରେ ଏହି ଯୋଜନା ବିଚାରାଧିନ ରହିଛି ଏବଂ ତାହା ଚୂଡାନ୍ତ ହେବାପରେ ତାହାର ରୂପରେଖ ଜଣାପଡିବ ବୋଲି କୁହାଯାଉଛି ।

ସ୍ୱାଧୀନତା ସଂଗ୍ରାମୀମାନଙ୍କ ଲାଗି କେନ୍ଦ୍ରୀୟ ପେନ୍‍ସନ ଓ ରାଜ୍ୟ ପେନ୍‍ସନର ବ୍ୟବସ୍ଥା ରହିଛି । ଏହାଛଡା ଅଣବନ୍ଦୀ ସଂଗ୍ରାମୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି । ଏହାକୁ ରାଜ୍ୟ ସରକାର ପେନ୍‍ସନ ନକହି ସମ୍ମାନ ବୋଲି କହୁଛନ୍ତି । ଇନ୍ଦିରାଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏହି ପେନ୍‍ସନ ବା ସମ୍ମାନ ରାଶି କେନ୍ଦ୍ର ସରକାର ବ୍ୟବସ୍ଥା କରିବାପରେ ରାଜ୍ୟ ସରକାର ମଧ୍ୟ ବଞ୍ଚିତ ସଂଗ୍ରାମୀମାନଙ୍କ ଲାଗି ପେନ୍‍ସନ ଦେଉଥିଲେ । ପରବର୍ତ୍ତୀ ସମୟରେ ଓଡିଶା ସରକାର ଏହି ପେନ୍‍ସନରାଶି ବୃଦ୍ଧି କରିବା ସହ କେନ୍ଦ୍ରୀୟ ପେନ୍‍ସନ ପାଉଥିବା ସଂଗ୍ରାମୀଙ୍କ ଲାଗି ରାଜ୍ୟ ସରକାରଙ୍କ ପେନ୍‍ସନ ବି ଲାଗୁ ହେବ ବୋଲି କହିଥିଲେ ।

ପୂର୍ବ ବ୍ୟବସ୍ଥା ମୁତାବକ ସଂଗ୍ରାମୀଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀ କିମ୍ବା ପତିଙ୍କୁ ପେନ୍‍ସନ ଦିଆଯିବାର ବ୍ୟବସ୍ଥା ରହିଛି । ଏବେ କିନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ମୁତାବକ କୁଟୁମ୍ବ ଯୋଜନାରେ ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ସାମିଲ କରାଯିବ । ମୃତ୍ୟୁବରଣ କରିଥିବା ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅ, ଝିଅ ମରିଗଲେଣି । କେତେକ ସ୍ଥଳରେ ସେମାନଙ୍କର ଏବେ ତୃତୀୟ ଓ ଚତୁର୍ଥପୀଢି ଅଛନ୍ତି । କେତେକ ସଂଗ୍ରାମୀଙ୍କ ପିଲାମାନେ ସରକାରୀ ଚାକିରିରୁ ଅବସର ନେଇ ପେନ୍‍ସନ ପାଉଛନ୍ତି ।

ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତରଦାୟାଦମାନଙ୍କୁ ପେନ୍‍ସନ ଦିଆଗଲେ ବହୁ କ୍ଷେତ୍ରରେ ତୃତୀୟ ଓ ଚତୁର୍ଥ ପୀଢିକୁ ଏଥିରେ ଅର୍ନ୍ତଭୁକ୍ତ କରିବାକୁ ପଡିବ । ଏମିତିକି ବିବାହିତା ଝିଅ ଓ ସେମାନଙ୍କ ପୁଅ, ଝିଅ, ନାତି ନାତୁଣି ମଧ୍ୟ ଏଥିରେ ଯୋଡିହେବେ । ତେଣୁ ଜଣେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ସର୍ବାଧିକ କେତେଜଣ ଉତ୍ତରଦାୟାଦଙ୍କୁ ପେନ୍‍ସନ ଦିଆଯିବ ଏବଂ ଏହା ଆଉ କେତେ ପୀଢି ପର୍ଯ୍ୟନ୍ତ ଚାଲିବ ସେଥିଘେନି ସ୍ପଷ୍ଟ ସୂଚନା ଯୋଜନା ଚୂଡାନ୍ତ ହେବାପରେ ଜଣାପଡିବ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ କେତେକ ମୃତ ସ୍ୱାଧୀନତା ସଂଗ୍ରାମୀଙ୍କ ନାତି, ଅଣନାତି, ପଣନାନତି ଆଦି ସ୍ୱାଗତ କରିବା ସହ ଏହା ପରିବାରକୁ ସମ୍ମାନ ସଂଗେ ସଂଗେ ଆର୍ଥିକ ପ୍ରଗତି ଆଣିଦେବ ବୋଲି କୁହାଯାଉଛି । ତେଣୁ କେତେକ ମହଲରେ ଏହି ଆର୍ଥିକ ପ୍ରୋତ୍ସାହନକୁ ସ୍ୱାଗତ କରାଯିବା ସହ ଉତ୍ତରପୀଢିମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର, ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନମାନଙ୍କରେ ଅଗ୍ରାଧିକାର ଏମିତିକି ଚାକିରି କ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗି ବି କେତେକ ମତପ୍ରକାଶ କରୁଛନ୍ତି ।

ଅନ୍ୟ ପକ୍ଷରେ ଆଉ କେତେକ ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅ, ଝିଅ, ନାତି, ନାତୁଣିମାନେ ଏଭଳି ପେନ୍‍ସନ ଯୋଜନାକୁ ନାପସନ୍ଦ କରୁଛନ୍ତି । ଏହାଦ୍ୱାରା ରାଜକୋଷ ଉପରେ ଚାପ ବଢିବ ଏବଂ ବହୁ କ୍ଷେତ୍ରରେ ଉତ୍ତରଦାୟଦ ପେନ୍‍ସନକୁ ନେଇ ବିବାଦ ବି ସୃଷ୍ଟି ହୋଇପାରେ । ପୂର୍ବରୁ ମା’ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣାଙ୍କ ଭଳି ବହୁ ସ୍ୱାଧୀନତା ସଂଗ୍ରାମୀ ପେନସନ ନେଉନଥିଲେ । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସେମାନଙ୍କ ପୂର୍ବପୁରୁଷ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ତାହା ପୂରଣ ଦିଗରେ ସରକାର ବ୍ୟବସ୍ଥା କରିବାକୁ ଏମାନେ ଦାବି କରୁଛନ୍ତି । (ତଥ୍ୟ)