Home General କୁଟୁମ୍ବ ପେନ୍‍ସନ୍‍ ତୁରନ୍ତ ଦେବାକୁ ଦାବି

କୁଟୁମ୍ବ ପେନ୍‍ସନ୍‍ ତୁରନ୍ତ ଦେବାକୁ ଦାବି

ଭୁବନେଶ୍ୱର : ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉତ୍ତରାଧିକାରୀମାନଙ୍କୁ କୁଟୁମ୍ବ ପେନ୍‍ସନ୍‍ ଯୋଜନାରେ ସାମିଲ କରାଯିବ ବୋଲି ଗତବର୍ଷ କ୍ରାନ୍ତି ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଘୋଷଣା କରିଥିଲେ ତାହା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆଜି ଏଠାରେ ଅନୁଷ୍ଠିତ ଅଗଷ୍ଟ କ୍ରାନ୍ତି ସମାବେଶରେ ମତ ପ୍ରକାଶ ପାଇଛି ।

ସ୍ୱାଧୀନତା ସଂଗ୍ରାମ ସମିତି ପକ୍ଷରୁ ୨୦୨୪ ଅଗଷ୍ଟ ୯ରେ ଆୟୋଜିତ ଅଗଷ୍ଟ କ୍ରାନ୍ତି ଉତ୍ସବରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ବ୍ୟକ୍ତ କରିବା ସହିତ ଓଡ଼ିଶାରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟଦମାନଙ୍କ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର କୁଟୁମ୍ବ ପେନ୍‍ସନ୍‍ ଯୋଜନା ଲାଗୁ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଇତିମଧ୍ୟରେ ସ୍ୱାଧନୀତା ସଂଗ୍ରାମୀ ଉତ୍ତର ଦାୟଦ ସଂଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଏ ପ୍ରସଂଗରେ ସ୍ମାରକପତ୍ର ପ୍ରଦାନ କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କ ସହିତ ବି ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ବର୍ଷେ ପୂରିବା ପରେ ବି ସରକାରୀ କଳ ଏ ଦିଗରେ ଏଯାବତ୍‍ ଚୂଡ଼ାନ୍ତ ପଦକ୍ଷେପ ନେଇନାହିଁ ।

ଏ ପରିପ୍ରେକ୍ଷୀରେ ଚଳିତବର୍ଷର ଅଗଷ୍ଟ କ୍ରାନ୍ତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଅନ୍ୟତମ ଅତିଥି ଥିବା ଏକାମ୍ର ବିଧାୟକ ବାବୁ ସିଂହ କୁଟୁମ୍ବ ପେନ୍‍ସନ୍‍ ଯୋଜନାର ସଫଳ କାର୍ଯ୍ୟକାରିତା ଘେନି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ କେତେକ ବକ୍ତା ମତ ପ୍ରକାଶ କରିଛନ୍ତି । ଏହାଛଡ଼ା ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଅବସରରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ରାଜ୍ୟ ସରକାର ବର୍ଷେ ବ୍ୟାପି ପାଳନ କରିବେ ବୋଲି ଘୋଷଣା କରିଥିଲେ । ଚଳିତବର୍ଷ ବି ଅମର ଶହୀଦ ଲକ୍ଷ୍ମଣ ନାଏକ ଓ ଅନ୍ୟତମ ଶହୀଦ ଉଦ୍ଧାମ ସିଂଙ୍କ ୧୨୫ତମ ଜନ୍ମ ବାର୍ଷିକୀ । ବିଳମ୍ବରେ ହେଲେ ମଧ୍ୟ ଏମାନଙ୍କ ୧୨୫ତମ ଜନ୍ମ ବାର୍ଷିକୀ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ବିଶେଷକରି ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରତିପାଳନ କରିବା ଲାଗି କେତେକ ବକ୍ତା ମଧ୍ୟ ମତବ୍ୟକ୍ତ କରିଛନ୍ତି ।

ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଅନବଦ୍ୟ ଅବଦାନ ଏବଂ ଦେଶମୁକ୍ତି ଯଜ୍ଞରେ ଯେଉଁମାନେ କାରା ଓ ନିର୍ଯାତନା ବରଣ କରିଥିଲେ ତାହାର ସ୍ମୃତିଚାରଣ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ୱାବଲମ୍ବନଶୀଳ, ସମୃଦ୍ଧ ଓ ସଂସ୍କୃତି ସଂପନ୍ନ ଭାରତ ପୁନର୍ଗଠନ ଲାଗି ସାଧାରଣ ଲୋକେ ସକାରାତ୍ମକ ଭାବେ ଶୃଙ୍ଖଳାର ସହ କାର୍ଯ୍ୟ କରିବା ପାଇଁ କ୍ରାନ୍ତି ଦିବସରେ ଶପଥ ନେବାକୁ ଆହ୍ୱାନ ଦେଇଛନ୍ତି । କଷ୍ଟଲବ୍ଧ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ଲାଗି ବର୍ତ୍ତମାନର ପିଢ଼ି କଠୋର ପରିଶ୍ରମ କରିବା ପାଇଁ ବିଧାୟକ ବାବୁ ସିଂହ ନିବେଦନ କରିବା ସହିତ ମହାତ୍ମା ଗାନ୍ଧୀଙ୍କ ସମେତ ସ୍ୱାଧୀନତା ଆନ୍ଦୋଳନର ସମସ୍ତ ସଂଗ୍ରାମୀମାନଙ୍କ ନିକଟରେ ଜାତି ଚିର କୃତଜ୍ଞ ବୋଲି ଉଲ୍ଲେଖ କରିଥିଲେ ।

ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ନରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଦେବୀ ମିଶ୍ର, ଅମର ଶତପଥୀଙ୍କ ସମେତ ବିଭିନ୍ନ ଦଳର ବହୁ ରାଜନୈତିକ ନେତା କଷ୍ଟଲବ୍ଧ ସ୍ୱାଧୀନତାର ସୁରକ୍ଷା ଲାଗି ଜାତି, ଧର୍ମ, ବର୍ଣ୍ଣ ଓ ଦଳମତ ନିର୍ବିଶେଷରେ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ନିବେଦନ କରିଥିଲେ । ବିରୁପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଶତାୟୁ ପୁରୁଷ ମକରନ୍ଦ ମୁଦୁଲି ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ ତ୍ରିପାଠୀ, ପ୍ରହଲ୍ଲାଦ ସିଂହ, ପ୍ରଦ୍ୟୁମ୍ନ ଶତପଥୀ, କୃଷ୍ଣଚନ୍ଦ୍ର ଜଗଦେବ, ଅରୁନ୍ଧତୀ ଦେବୀ, ଅଭୟ ବଡ଼ଜେନା, ମଧୁସୂଦନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭା ପୂର୍ବରୁ ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଏହି ଅବସରରେ ପତାକା ସ୍ତମ୍ଭରେ ଶତାଧିକ ରାଖୀ ବନ୍ଧା ଯାଇଥିଲା । ୧୯୪୨ର ରାଖୀ ପୂର୍ଣ୍ଣିମା ଦିନ ବରୀ ନିକଟବର୍ତ୍ତୀ କାଇପଡ଼ା ଠାରେ ପୁଲିସ ଗୁଳିରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁମାନେ ଶହୀଦ ହୋଇଥିଲେ ସେମାନଙ୍କର ମଧ୍ୟ ଏହି ଅବସରରେ ସ୍ମୃତିଚାରଣ କରାଯାଇଥିଲା । ଏହାଛଡ଼ା ବାଚସ୍ପତି ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତରାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । (ତଥ୍ୟ)