ଭୁବନେଶ୍ୱର : ରାଜଧାନୀରେ କୁକୁରମାନଙ୍କ ଗଣତି ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସେମାନଙ୍କର ସଂଖ୍ୟା ଜଣାଇ ତୁନି ହୋଇ ବସିଥିବାବେଳେ କୁକୁରମାନଙ୍କ ଉତ୍ପାତରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି । ଶୀତୁଆ ରାତିରେ ଦଳ ଦଳ କୁକୁର ଯାହାକୁ ଦେଖୁଛନ୍ତି ତାକୁ କାମୁଡିବାକୁ ଗୋଡାଇବାରେ ଲାଗିଛନ୍ତି ।
କୁକୁରମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ସର୍ବୋଚ୍ଚ ନ୍ୟାୟାଳୟ କଡା ଆଭିମୁଖ୍ୟ ଗ୍ରହଣ କରିବାରେ ବିଏମ୍ସି ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିଲା । ସହରରେ କେତେ କୁକୁର ରହିଛନ୍ତି ତାହାର ଗଣତି ଆରମ୍ଭ ହୋଇଥିଲା । ଦଳ ଦଳ ହୋଇ ବିଏମସି କର୍ମଚାରୀ କୁକୁର ଗଣିବାରେ ଲାଗିଥିଲେ । ବହୁ କସରତ ପରେ ସହରରେ ୪୭ହଜାର କୁକୁର ରହିଥିବା କୁହାଯାଇଥିଲା ।
ହେଲେ ଏହାପରେ ସମସ୍ତେ ଚୁପ୍ । ସହରରେ କୁକୁରଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ବର୍ତ୍ତମାନ କୁକୁରମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ ବିଭିନ୍ନ ସ୍ଥାନରେ କୁକୁର ଛୁଆମାନେ ରାସ୍ତାଘାଟରେ ବୁଲିଲେଣି । ଏମାନଙ୍କ ନିକଟକୁ ଲୋକେ ଗଲେ ମା’ କୁକୁରମାନେ କାମୁଡିବାକୁ ଗୋଡାଉଛନ୍ତି । ଏହାବାଦ୍ ସହରରେ ଦଳ ଦଳ ହୋଇ ବୁଲୁଥିବା କୁକୁରମାନେ ବି ଶୀତୁଆ ରାତିରେ ଦୁଇ ଚକିଆ ଆରୋହୀଙ୍କ ସମେତ ପାଦଚଲା ଲୋକଙ୍କୁ ବି କାମୁଡି ଗୋଡାଉଛନ୍ତି । ଏପରିକି କେତେ ସ୍ଥାନରେ ରାଗରେ କୁକୁରମାନେ ଚାରିଚକିଆ ଯାନକୁ ବି ଗୋଡାଉଥିବା ପରିଲକ୍ଷିତ ହେଉଛି ।
ସହରର ଗଳି କନ୍ଦିରେ ଏବେ ମାଳ ମାଳ କୁକୁର । କେତେକ ସ୍ଥାନରେ ଲୋକେ ଏମାନଙ୍କୁ ଖାଇବାକୁ ନିଜ ତରଫରୁ ଖାଇବାକୁ ଦେଉଥିବାବେଳେ ବହୁ ସ୍ଥାନରେ କୁକୁରମାନେ ଭୋକିଲା ରହୁଛନ୍ତି । ଭୋକ ରାଗରେ ଲୋକଙ୍କୁ କାମୁଡି ଗୋଡାଉଛନ୍ତି । ପୂର୍ବରୁ ଲୋକେ ଫିଙ୍ଗୁଥିବା ଖାଦ୍ୟ ସାମଗ୍ରୀକୁ କୁକୁରମାନେ ଖାଉଥିବାବେଳେ ଏବେ ବିଏମ୍ସିର କର୍ମଚାରୀମାନେ ଘରକୁ ଘର ବୁଲି ଏହି ବର୍ଜ୍ୟ ଖାଦ୍ୟ ସାମଗ୍ରୀକୁ ସଂଗ୍ରହ କରି ନେଇଯାଉଛନ୍ତି । ଫଳରେ କୁକୁରମାନେ ଭୋକିଲା ରହିବା ସହିତ ପାଣି ଟୋପାଏ ବି ପିଇବାକୁ ପାଉନାହାନ୍ତି ।
କେତେକ ସ୍ଥାନରେ କୁକୁରମାନଙ୍କୁ ଧରିବାପାଇଁ ଗାଡି ବୁଲୁଥିବାବେଳେ ଧରୁଥିବା କୁକୁରମାନଙ୍କୁ ନେଇ ବିଏମସି କର୍ମଚାରୀମାନେ କେଉଁଠାରେ ଛାଡୁଛନ୍ତି ତାହା କେହିହେଲେ ଜାଣିପାରୁନାହାନ୍ତି । ସହରରେ ଚାଲିଥିବା କୁକୁର ବନ୍ଧ୍ୟାକରଣ ଏକ ପ୍ରକାର ବିଫଳ ହୋଇଥିବାବେଳେ ଏବେ ବିଏମସି ପାଇଁ କୁକୁର ଚିନ୍ତା ବଢିବାରେ ଲାଗିଛି ।
ସହରରେ କୁକୁରମାନଙ୍କ ସଂଖ୍ୟା ଏଭଳି ଭାବେ ବୃଦ୍ଧି ପାଉଛି ଯେ ସେମାନେ ଗଳି କନ୍ଦି ଠାରୁ ଆରମ୍ଭକରି ଡାକ୍ତରଖାନା, ରେଳଷ୍ଟେସନ ଆଦିରେ ଯାଇ ବେଧଡକ ଭାବେ ବୁଲୁଛନ୍ତି । ଏମାନଙ୍କ ଯୋଗୁଁ ରୋଗୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆତଙ୍କିତ ହୋଇପଡୁଛନ୍ତି । ବିଏମସି ଯେଉଁ ଭଳି ଭାବେ କୁକୁର ଗଣନା ପାଇଁ ପଦକ୍ଷେପ ଗ୍ରହଣ କଲା ଅନୁରୂପ ଭାବେ ସେମାନଙ୍କୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)

