ଭୁବନେଶ୍ୱର : ରାଜ୍ୟର କୁକୁଡା ରପ୍ତାନି କ୍ଷେତ୍ରରେ ଏବେ ନିୟନ୍ତ୍ରିତ ବଜାର କମିଟି କଣ୍ଟା ସାଜିଛନ୍ତି । ଓଡିଶାରୁ ବାହାରକୁ ଯାଉଥିବା କୁକୁଡା ବୋଝେଇ ଗାଡିକୁ ରାଜପଥ ଉପରେ ଅଟକାଇ ହଲାପଟା କରୁଛନ୍ତି । ଏ ନେଇ ରାଜ୍ୟ କୁକୁଡାଚାଷୀ ମହାସଂଘ ସରକାରଙ୍କ ନିକଟରେ ବାରମ୍ବାର ଫେରାଦ ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ରାଜ୍ୟରେ ଏବେ ୪୦ହଜାରରୁ ଅଧିକ କୁକୁଡା ଫାର୍ମ ରହିଥିବାବେଳେ କୁକୁଡା ଚାଷପ୍ରତି ଆଗ୍ରହ ବଢିବାରେ ଲାଗିଛି । ଫଳରେ ଓଡିଶାର କୁକୁଡାଚାଷୀମାନେ ଏବେ ପଡୋଶୀ ରାଜ୍ୟକୁ କୁକୁଡା ରପ୍ତାନି କରିବାରେ ଲାଗିଛନ୍ତି । ଓଡିଶାରେ ଚାଷ ହେଉଥିବା କୁକୁଡାର ୪୦ପ୍ରତିଶତ ଏବେ ରପ୍ତାନି ହେଉଥିବା ସୂଚନା ମିଳିଛି ।
ତେବେ ରପ୍ତାନି ହେଉଥିବା କୁକୁଡା ସମେତ ରାଜ୍ୟ ଭିତରେ ଯାଉଥିବା କୁକୁଡାଚାଷୀ ଗୁଡିକ ସାଧାରଣତଃ ରାଜପଥରେ ଯା ଆସ କରିଥାନ୍ତି । କୁକୁଡା ଗାଡି ଉପରୁ ରାଜପଥରେ ଟିକସ ଆଦାୟର କୌଣସି ନିୟମ ନଥିବାବେଳେ ନିୟନ୍ତ୍ରିତ ବଜାର କମିଟି (ଆରଏମ୍ସି) କର୍ତ୍ତୃପକ୍ଷ କିନ୍ତୁ ବିଭିନ୍ନ ସ୍ଥାନରେ କୁକୁଡା ବୋଝେଇ ଗାଡିର ବାଟ ଓଗାଳୁଛନ୍ତି । ଜବରଦସ୍ତ ଅର୍ଥ ଆଦାୟ କରିବା ସହିତ କୁକୁଡା ଗାଡିଗୁଡିକୁ ଘଣ୍ଟା ଘଣ୍ଟା ଛିଡା କରୁଛନ୍ତି । ଯେଉଁଠାରେ ଗାଡିଚାଳକମାନେ ଆଇନ୍ କାନୁନ୍ର ପାଠ ପଢାଉଛନ୍ତି ସେଠାରେ ସ୍ଥାନୀୟ ପୁଲିସ୍ର ନାଲିଆଖି ଦେଖାଇ ଅର୍ଥ ଆଦାୟ କରାଯାଉଛି ।
ଏଥିଯୋଗୁଁ ଏବେ ରାଜ୍ୟରୁ କୁକୁଡା ରପ୍ତାନି କରୁଥିବା ବ୍ୟବସାୟୀମାନେ ମୁଣ୍ଡରେ ହାତଦେଇ ବସିଗଲେଣି । ଅନ୍ୟ ରାଜ୍ୟକୁ ଯାଉଥିବା କୁକୁଡା ଠିକଣା ସମୟରେ ନପହଞ୍ଚିଲେ ସେଠାକାର ବ୍ୟବସାୟୀମାନେ ଦର କମାଇ ଦେଉଛନ୍ତି । କେତେକ ସ୍ଥଳରେ କୁକୁଡା ଗାଡିକୁ ଫେରାଇ ଦେବାକୁ ଧମକାଉଛନ୍ତି । ଯାହା ଫଳରେ କୁକୁଡା ରପ୍ତାନିକାରୀମାନେ ବ୍ୟାପକ କ୍ଷତି ସହିବାରେ ଲାଗିଛନ୍ତି । ରାସ୍ତାଘାଟରେ ଏଭଳି ସମସ୍ୟାର ସମ୍ମୁଖୀନ ହେବାପରେ କୁକୁଡା ରପ୍ତାନିକାରୀ ଓ ଚାଷୀମାନେ ଏ ସଂକ୍ରାନ୍ତରେ ରାଜ୍ୟ ଓସମାବୋର୍ଡ ଠାରୁ ଆରମ୍ଭକରି ପଶୁ ସମ୍ପଦ ବିଭାଗ ପର୍ଯ୍ୟନ୍ତ ସବୁ ସ୍ତରରେ ଅଭିଯୋଗ କରିବାରେ ଲାଗିଛନ୍ତି ।
ହେଲେ ସେମାନଙ୍କ କଥା ପ୍ରତି କେହି କର୍ଣର୍ପାତ କରୁନଥିବା ଅଭିଯୋଗ ହେଉଛି । କେତେକ ସ୍ଥାନରେ ପୁଲିସ୍ ପକ୍ଷରୁ ରାଜପଥରେ କୁକୁଡା ଗାଡି ଅଟକା ଯାଉଥିବାରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟିବାପାଇଁ କୁକୁଡାଚାଷୀ ମହାସଂଘ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।
ଗୋଟିଏ ପଟେ ବାର୍ଡ ଫ୍ଲୁ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ବାହାରି ପାରିନଥିବା ଉପକୂଳ ଓଡିଶାର କୁକୁଡାଚାଷୀମାନେ ରପ୍ତାନିରୁ ଦୁଇ ପଇସା ଆଶାରେ କୁକୁଡା ଚାଷ ପ୍ରତି ଆଗ୍ରହପ୍ରକାଶ କରୁଥିବାବେଳେ ଆରଏମ୍ସି ସମେତ ପୁଲିସ୍ କର୍ତ୍ତୃପକ୍ଷ ଏବେ ସେମାନଙ୍କ ପାଇଁ କଣ୍ଟା ସାଜିଛନ୍ତି । ସରକାର ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ନଦେଲେ କେବଳ କୁକୁଡା ରପ୍ତାନି ବନ୍ଦ ହେବନାହିଁ ଅନେକ କୁକୁଡା ଫାର୍ମ ସେମାନଙ୍କ ଉତ୍ପାଦନ କମାଇବା ଯୋଗୁଁ ବହୁ ଲୋକେ କାମଧନ୍ଦା ହରାଇବେ । ଏହାର ପ୍ରଭାବ ସିଧାସଳଖ ଭାବେ ଗାଁ ଗହଳର ଅର୍ଥନୀତି ଉପରେ ପଡିବ ବୋଲି କୁକୁଡାଚାଷୀ ମହାସଂଘ ପକ୍ଷରୁ କୁହାଯାଇଛି । (ତଥ୍ୟ)