Home General କୁକୁଡା ପରିବହନ ଯାନ ଠାରୁ ଅର୍ଥ ଆଦାୟର ନିୟମ ନାହିଁ

କୁକୁଡା ପରିବହନ ଯାନ ଠାରୁ ଅର୍ଥ ଆଦାୟର ନିୟମ ନାହିଁ

ଭୁବନେଶ୍ୱର : ରାଜ୍ୟରେ କୁକୁଡା ପରିବହନ କରୁଥିବା ଯାନ ଠାରୁ ନିୟନ୍ତ୍ରିତ ବଜାର କମିଟିମାନଙ୍କ ଦ୍ୱାରା କୌଣସି ଟିକସ ଆଦାୟ କରିବାର ନିୟମ ନାହିଁ । ରାଜ୍ୟରେ ମଧ୍ୟ କୌଣସି କୁକୁଡା ପରିବହନ ଗାଡିରୁ ଟିକସ ।ଦାୟ କରିବା ବିଷୟରେ ସୂଚନା ଓଡିଶାରାଜ୍ୟ କୃଷି ବିପଣନ ପରିଷଦ ନଜରକୁ ଆସିନଥିବା କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନିୟନ୍ତ୍ରିତ ବଜାର କମିଟିର ବଜାର ଅଞ୍ଚଳ କାର୍ଯ୍ୟକାରୀ ପରିସୀମା ସରକାରଙ୍କ ବିଜ୍ଞପ୍ତିଦ୍ୱାରା ଧାର୍ଯ୍ୟ କରାଯାଇଛି । ସେହି ସୀମାମଧ୍ୟରେ କିମ୍ବା କମିଟିର ବଜାର ପ୍ରାଙ୍ଗଣରେ ଯଦି କୌଣସି ବିଜ୍ଞାପିତ କୃଷିଜାତ ପଦାର୍ଥର କିଣା ବିକା ହୁଏ ତାହେଲେ ସେହି କିଣା ମୂଲ୍ୟ ଉପରେ କ୍ରେତାଙ୍କ ଠାରୁ ୧ ପ୍ରତିଶତ ବଜାର ଦେୟ ହିସାବରେ ସମ୍ପୃକ୍ତ ନିୟନ୍ତ୍ରିତ ବଜାର କମିଟି ଆଦାୟ କରିଥାନ୍ତି । ସେହିଭଳି ନିୟନ୍ତ୍ରିତ ବଜାର କମିଟିମାନେ କୌଣସି ଟିକସ ଆଦାୟ କରନ୍ତି ନାହିଁ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ସମବାୟ ମନ୍ତ୍ରୀ କହିଛନ୍ତି ଯେ ବିଗତ ୨୦୨୩-୨୪ ଆର୍ଥିକ ବର୍ଷରେ ୧୬ଟି ନିୟନ୍ତ୍ରିତ ବଜାର କମିଟିମାନଙ୍କ ଦ୍ୱାରା କେବଳ ସମ୍ପୃକ୍ତ ନିୟନ୍ତ୍ରିତ ବଜାର କମିଟିର କାର୍ଯ୍ୟକାରୀ ପରିସୀମା ଭିତରେ କୁକୁଡାର ବିକ୍ରିବଟା କାରବାର ବାବଦରେ ୬୫ଲକ୍ଷ ୭୧ହଜାର ଟଙ୍କା ଆଦାୟ କରାଯାଇଛି ।