ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭାଗୀୟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍ ସକ୍ସେନା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ଜାରି ଖରିଫ ଧାନକିଣା ଋତୁରେ ଏ ପର୍ଯ୍ୟନ୍ତ ପ୍ରାୟ ୧୫ ଲକ୍ଷ ୬୫ ହଜାର ଚାଷୀଙ୍କ ଠାରୁ ୭୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପାଖାପାଖି ୧୫ ହଜାର ୬୧୩ କୋଟି ଟଙ୍କା ଓ ଇନପୁଟ ସହାୟତା ଭାବେ ୫୪୩୦ କୋଟି ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି ।
ଏଥି ସହ ଆସନ୍ତା ରବି ଋତୁରେ ଧାନକିଣା ପ୍ରକ୍ରିୟା ଶୃଙ୍ଖଳିତ ହୋଇପାରିବ ଏ ନେଇ ବିଷଦ ଭାବେ ଆଲୋଚନା ହୋଇଛି । ରବି ଋତୁ ପାଇଁ ଆସନ୍ତା ମଇ ପହିଲାରୁ ଏହି ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚଳିତ ମାସରୁ ଚାଷୀମାନଙ୍କର ପଞ୍ଜିକରଣ ଆରମ୍ଭ କରାଯିବା ନେଇ ଶ୍ରୀ ସିଂହ ସୂଚନା ଦେଇଥିଲେ । ସେହିଭଳି ଧାନକିଣାରୁ ଉତ୍ପାଦିତ ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରିବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
ସେହିଭଳି ରାଜ୍ୟରେ ଇ-କେୱାସି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ଏ ପର୍ଯ୍ୟନ୍ତ ପ୍ରାୟ ୯୨ ପ୍ରତିଶତ ହିତାଧିକାରୀମାନଙ୍କ ଇ-କେୱାସି ପ୍ରକ୍ରିୟା ଶେଷ ହୋଇଛି । ଦୁର୍ବଳ ଇଣ୍ଟରନେଟ୍ ଥିବା ଅଞ୍ଚଳଗୁଡ଼ିକର ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଇଣ୍ଟରନେଟ୍ର ସୁବନ୍ଦୋବସ୍ତ କରାଯାଇ ଇ-କେୱାସି ପ୍ରକ୍ରିୟା ଜାରି ରହିଛି । ସେଗୁଡ଼ିକ ମଧ୍ୟରୁ ୧୧୧ଟି ସୁଲଭ ମୂଲ୍ୟ ଦୋକାନରେ ଆବଶ୍ୟକୀୟ ଆଣ୍ଟିନା ଯୋଗାଇ ଦେଇ ଇ-କେୱାସି ପ୍ରକ୍ରିୟା ଜାରି ରହିଛି । ଏ ପର୍ଯ୍ୟନ୍ତ ପ୍ରକ୍ରିୟାରେ ସାମିଲ ହୋଇ ନଥିବା ପ୍ରାୟ ୩୦ ଲକ୍ଷ ୮୪ ହଜାର ହିତାଧିକାରୀଙ୍କ ସଂପର୍କରେ ତଥ୍ୟ ହାସଲ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀମାନେ ଘର ଘର ବୁଲି ସେମାନଙ୍କର ତଥ୍ୟ ହାସଲ କରିବେ ।
ଅନ୍ୟ ପକ୍ଷରେ ରାଜ୍ୟରେ ନିର୍ଦ୍ଦିଷ୍ଟ ୩୦ଟି ସରକାରୀ ସୁଲଭ ମୂଲ୍ୟ ଦୋକାନକୁ ଜନପୋଷଣ କେନ୍ଦ୍ର ଭାବେ ପରୀକ୍ଷାମୂଳକ ଭାବେ ରୂପାନ୍ତରିତ କରାଯାଇ ଏଠାରେ ରାସନ ସାମଗ୍ରୀ ସହ ପୁଷ୍ଟିଯୁକ୍ତ ଉତ୍ପାଦ ପ୍ରଦାନ କରିବାକୁ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଛି । ଉକ୍ତ କେନ୍ଦ୍ରଗୁଡ଼ିକରେ ଭାରତ ଉତ୍ପାଦ ବ୍ୟତୀତ ଆମ ରାଜ୍ୟର ମିଲେଟ୍ (ମାଣ୍ଡିଆ) ଭଳି ପୁଷ୍ଟିଶସ୍ୟ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏଥି ନିମନ୍ତେ ଏକ ଟିମ୍ ଦେଶର ବିଭିନ୍ନ ରାଜ୍ୟର ଜନପୋଷଣ କେନ୍ଦ୍ରକୁ ପରିଦର୍ଶନରେ ଯାଇ ସେଗୁଡ଼ିକର କାର୍ଯ୍ୟପ୍ରଣାଳୀ ସଂପର୍କରେ ଅବଗତ ହେବେ । ସେହିଭଳି ରାଜ୍ୟରେ ଧାନକିଣା, ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଠିକଣା ସମୟରେ ରାସନ ପ୍ରଦାନ ଉପରେ ଆଲୋଚନା ହୋଇଥିଲା ।