Home News in Odia କିଏ ହେବେ ମୁଖ୍ୟମନ୍ତ୍ରୀ ?

କିଏ ହେବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର : କେନ୍ଦ୍ରରେ ଓଡ଼ିଶାରୁ କିଏ ମନ୍ତ୍ରୀ ହେବ, ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ରହିବେ ଏବଂ ବିରୋଧୀଦଳ ନେତାଙ୍କ ଦାୟିତ୍ୱ କିଏ ତୁଲାଇବେ ସେଥିଘେନି ଏବେ ରାଜ୍ୟସାରା ଚର୍ଚ୍ଚା ।

ଏଥର କେନ୍ଦ୍ରରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ ମଧ୍ୟ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ମେଣ୍ଟ ଲୋକସଭାର ୫୪୩ରୁ ୨୯୩ ଆସନ ପାଇ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୨୩୩ ରହିଥିବାରୁ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ମନ୍ତ୍ରୀ ମଣ୍ଡଳରେ ମେଣ୍ଟଭୁକ୍ତ ଦଳଗୁଡିକୁ ସନ୍ତୁଷ୍ଟ କରିବା ପାଇଁ ଅଧିକ ସ୍ଥାନ ସହ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପଦବୀମାନ ଦିଆଯାଇପାରେ । ମୋଦୀଙ୍କ ବର୍ତ୍ତମାନର ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାର ଲୋକସଭା ସଦସ୍ୟ ବିଶେଶ୍ୱର ଟୁଡୁ ଥିବାବେଳେ ସେ ଏଥର ନିର୍ବାଚନ ଲଢିନାହାନ୍ତି ।

ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ମହିଳା, ଆଦିବାସୀ, ଅନୁସୂଚିତ ଜାତି, ପଛୁଆବର୍ଗ ଆଦିର ଅଧିକ ପ୍ରତିନିଧିତ୍ୱ ରହିବ ବୋଲି କୁହାଯାଉଥିବା ପରିପ୍ରେକ୍ଷୀରେ ଓଡ଼ିଶାରୁ କେଉଁମାନେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ତାହା ସ୍ପଷ୍ଟ ଜଣାପଡୁନାହିଁ । ଆସନ୍ତା ୮ ତାରିଖରେ ନୂଆ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗଢାଯାଉଥିବାରୁ ବିଶେଷ କରି ବିଜେପି ଶିବିରରେ ଅନେକଙ୍କ ନାମ ଚର୍ଚ୍ଚାରେ ରହୁଛି ।

ସେହିଭଳି ଓଡ଼ିଶା ବିଧାନସଭା ନିର୍ବାଚନରେ ଏଥର ବିଜେପି ୭୮ଟି ଆସନ ହାସଲ କରି ପୂର୍ଣ୍ଣ ବହୁମତ ପାଇଥିବାରୁ ଅନ୍ୟକାହାର ସାହାଯ୍ୟ ନନେଇ ରାଜ୍ୟରେ ସରକାର ଗଢି ପାରିବ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ବହୁ କେନ୍ଦ୍ରୀୟ ନେତା ଘୋଷଣା କରିଛନ୍ତି ଯେ ଚଳିତମାସ ୬ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ଏବଂ ନୂଆ ମନ୍ତ୍ରୀମଣ୍ଡଳ ୧୦ ତାରିଖରେ ଶପଥ ନେବ ।

ଲୋକସଭାରେ ବିଜେପି ଏବେ ଯେଉଁ ସ୍ଥିତିରେ ରହିଛି ସେଥିରୁ କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା କ୍ଷୀଣ । ସେହିଭଳି ବିଧାୟକ ନଥିବା ଅନ୍ୟକୌଣସି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଉପନିର୍ବାଚନର ସମ୍ଭାବନା ବି ଅଛି । ଏ ପରିସ୍ଥିତିରେ ନିର୍ବାଚିତ ୭୮ଜଣ ବିଧାୟକଙ୍କ ମଧ୍ୟରୁ ସହମତି ଭିତ୍ତିରେ କେହିଜଣେ ମୁଖ୍ୟମନ୍ତ୍ରୀ ହେବେ ଏବଂ ସବୁବର୍ଗ ଓ ଅଞ୍ଚଳକୁ ପ୍ରତିନିଧିତ୍ୱ କରିବା ଭଳି ମନ୍ତ୍ରୀମଣ୍ଡଳ ମଧ୍ୟ ଗଢାଯାଇପାରେ ବୋଲି ବିଜେପି ନେତାମାନେ କହୁଛନ୍ତି ।

ତେବେ ଏ ସଂକ୍ରାନ୍ତରେ ସଂସଦୀୟ ଦଳ ନିଷ୍ପତ୍ତି ନେବବୋଲି ଦଳର ରାଜ୍ୟ ଶାଖା ସଭାପତି ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର ବେଳେ ବହୁ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ବାରମ୍ବାର କହିଛନ୍ତି ଯେ ଏଥର ଜଣେ ଓଡ଼ିଆ ଯୁବକ ବା ଯୁବତୀଙ୍କୁ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ କରିବ । ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ କିଏ ନେବେ ଏବଂ କେଉଁମାନେ ମନ୍ତ୍ରୀ ହେବେ ସେ ନେଇ ପ୍ରଥମେ କେନ୍ଦ୍ର ନେତୃତ୍ୱ ବିଚାରବିମର୍ଷ କରିବେ ଏବଂ ପରବର୍ତ୍ତୀ ସମୟରେ ସହମତି ଭିତ୍ତିରେ ବିଧାୟକ ଦଳ ନେତା ନିର୍ବାଚନ କରାଯିବ । ନବଗଠିତ ବିଧାନସଭା ପାଇଁ ଜଣେ ବର୍ଷିଆନ ବିଧାୟକ ପ୍ରୋଟେନ୍‍ ସ୍ପିକର ଭାବେ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ହୋଇ ବିଧାୟକମାନଙ୍କୁ ଶପଥପାଠ କରାଇବେ । ପରବର୍ତ୍ତୀ ସମୟରେ ନିୟମିତ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ କରାଯିବ ।

୨୪ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ଗୋଟିଏ ହେଲେ ଲୋକସଭା ଆସନ ଜିଣି ପାରିନଥିବାବେଳେ ରାଜ୍ୟ ବିଧାନସଭାରେ ୫୧ଟି ଆସନ ପାଇଛି । ଏ ପରିପ୍ରେକ୍ଷୀରେ ବିଜେଡି ବିଧାୟକ ଦଳ ବୈଠକରେ ମାନ୍ୟତାପ୍ରାପ୍ତ ବିରୋଧୀ ଦଳ ନେତା ପଦବୀ ପାଇଁ ଚୟନ କରାଯିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ବିରୋଧୀଦଳର ନେତା ରହିବେ ନା ଏ ଦାୟିତ୍ୱ ଆଉ କାହା ଉପରେ ନ୍ୟସ୍ତ କରିବେ ସେଥିଘେନି ମଧ୍ୟ ଚର୍ଚ୍ଚା ଆଲୋଚନା ଚାଲିଛି । (ତଥ୍ୟ)