Home General କିଏ ହଟାଇବ ଝୁଲନ୍ତା ତାର ?

କିଏ ହଟାଇବ ଝୁଲନ୍ତା ତାର ?

ଭୁବନେଶ୍ୱର : ବିଦ୍ୟୁତ୍‍ଖୁଣ୍ଟରେ ବିଭିନ୍ନ କମ୍ପାନୀର ମାଳ ମାଳ କେବୁଲ ତାର ଏବେ ଲୋକଙ୍କ ପାଇଁ କାଳ ହେଲାଣି । କେଉଁଠି ତାର ଛିଣ୍ଡି ରାସ୍ତାରେ ଲୋଟୁଛି ତ ଆଉ କେଉଁଠି ଲୋକଙ୍କ ମୁଣ୍ଡ ଉପରେ ଝୁଲୁଛି । କେବୁଲ ବିଛାଇଥିବା କମ୍ପାନୀ କିମ୍ବା ବିଜୁଳି ବିଭାଗ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଏ ଦାୟିତ୍ୱ କାହାର ତାହା ବି ସାଧାରଣ ଲୋକେ ଜାଣିପାରୁ ନାହାନ୍ତି ।

ରାଜଧାନୀର ବିଜୁଳି ଖୁଣ୍ଡରେ ହିତାଧିକାରୀଙ୍କୁ ବିଜୁଳି ଯୋଗାଣ ପାଇଁ ଗୋଟିଏ କିମ୍ବା ଦୁଇଟି ତାର ଟଣାଯାଉଥିବାବେଳେ ବିଭିନ୍ନ କମ୍ପାନୀର ଏକାଧିକ କେବୁଲ ତାର କିନ୍ତୁ ଟଣାହୋଇଛି । ଟେଲିଫୋନ୍‍, ଇଣ୍ଟରନେଟ୍‍, କେବୁଲ ଟିଭି ଆଦି ପାଇଁ ଏକାଧିକସଂସ୍ଥା ଏବେ ବିଜୁଳି ବିଭାଗର ଖୁଣ୍ଟ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ବିଜୁଳି ବିଭାଗ ଖୁଣ୍ଟ ପିଛା ଅର୍ଥ ଆଦାୟ କରୁଛି ।

ହେଲେ ଟଣାଯାଇଥିବା ଏହି ତାରର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ସେ ନେଇ କିଛି ସ୍ପଷ୍ଟତା ନାହିଁ । ତେଣୁ ଇଣ୍ଟରନେଟ୍‍ ଓ ଟେଲିଫୋନ୍‍ କମ୍ପାନୀଗୁଡିକ ଥରେ କେବୁଲ ଟାଣିଦେଲା ପରେ ଆଉ ଦେଖାଦର୍ଶନ ଦେଉ ନାହାନ୍ତି । ପବନ, ବର୍ଷା ଆଦି ହେଲେ ଏହି ତାରଗୁଡିକ ବିଭିନ୍ନ ସ୍ଥାନରେ ଝୁଲି ରହୁଛି । ଏହି ଝୁଲି ରହୁଥିବା ତାରରେ ଛନ୍ଦିହୋଇ ଯାନବାହାନ ଚାଳକମାନେ ବିଭିନ୍ନ ସମୟରେ ପଡୁଛନ୍ତି । ଏ ନେଇ ଲୋକେ କାହାକୁ ଅଭିଯୋଗ କରିବେ ତାହା ବି ଜାଣିପାରୁ ନାହାନ୍ତି ।

ଯେହେତୁ ତାରଗୁଡିକ ବିଜୁଳି ବିଭାଗ ଖୁଣ୍ଟରେ ଝୁଲୁଛି ତେଣୁ ଲୋକେ ସାଧାରଣତଃ ବିଦ୍ୟୁତ୍‍ ବଣ୍ଟନକାରୀ କମ୍ପାନୀର କର୍ମଚାରୀଙ୍କୁ କହୁଛନ୍ତି । କିନ୍ତୁ ସେମାନେ ଏହାକୁ ହଟାଇବା ତ ଦୂରରକଥା ଟିକେ ଉପରକୁ ଉଠାଇବାକୁ ବି ସଫା ସଫା ମନାକରି ଦେଉଛନ୍ତି । କେବୁଲ ଟାଣିଥିବା କମ୍ପାନୀକୁ ଅଭିଯୋଗ କରିବାକୁ କହୁଛନ୍ତି । ହେଲେ କେଉଁ କମ୍ପାନୀର ତାର ଝୁଲୁଛି ଓ କାହାକୁ ଅଭିଯୋଗ କରାଯିବ ସେ ସଂକ୍ରାନ୍ତରେ ସାଧାରଣ ଲୋକେ ଜାଣିପାରୁ ନାହାନ୍ତି । ବହୁ ସ୍ଥାନରେ ଏହି ତାରକୁ କାଟି ଫୋପାଡି ଦେବାପାଇଁ ବିଜୁଳି ବିଭାଗର କର୍ମଚାରୀମାନେ ପରାମର୍ଶ ଦେଉଛନ୍ତି ।

ଇଣ୍ଟରନେଟ୍‍ ସେବା ଯୋଗାଉଥିବା ବିଭିନ୍ନ କମ୍ପାନୀର କର୍ମଚାରୀମାନେ ନେଟ୍‍ ସଂଯୋଗ ଦେବାକୁ ତତ୍କାଳ ଆସି ହାଜର ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଝୁଲି ରହିଥିବା ତାରଗୁଡିକୁ ଉଠାଇବାକୁ କିନ୍ତୁ ଅମଙ୍ଗ । ସେମାନେ କହୁଛନ୍ତି ଯେ ଏ କାମ ତାଙ୍କର ନୁହେଁ । ତେବେ ସହରର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ବିପଜନକ ଭାବେ ଝୁଲି ରହିଥିବା ଏହି ତାରଗୁଡିକୁ କିଏ ଉଠାଇବ ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି । ବିଜୁଳି ବିଭାଗ ଖୁଣ୍ଟ ପିଛା ଅର୍ଥ ଆଦାୟ କରି ହାତ ଟେକିଦେଉଥିବାବେଳେ ସାଧାରଣ ଲୋକେ ବିପଦରେ ପଡୁଛନ୍ତି । କେତେକ ସ୍ଥାନରେ ଲୋକେ ବାଧ୍ୟହୋଇ ତଳେ ପଡିଥିବା ତାରକୁ ବାଉଁଶ ଢିରା ଦେଉଛନ୍ତି ଆଉ କେତେକ ସ୍ଥାନରେ କାଟିବାକୁ ବାଧ୍ୟ ହେଉଛନ୍ତି । ତେବେ ଯଦି କୌଣସି ସ୍ଥାନରେ ଏହା ବିଦ୍ୟୁତ ତାର ସହିତ ଯୋଡି ହୋଇଯିବ ତେବେ ଧନଜୀବନ ହାନି ନିଶ୍ଚିତ ବୋଲି ଖୋଦ ବିଜୁଳି ବିଭାଗ କର୍ମଚାରୀ ମତ ଦେଉଛନ୍ତି । (ତଥ୍ୟ)