Home General କିଏ ଏହି କାମିୟା ଯାନୀ ?

କିଏ ଏହି କାମିୟା ଯାନୀ ?

ଭୁବନେଶ୍ୱର : ଓଡିଶାରେ ଗଣମାଧ୍ୟମରେ ଏବେ ସବୁଠାରୁ ଚର୍ଚ୍ଚିତ ଚେହେରା ହେଉଛନ୍ତି କାମିୟା ଯାନୀ । ଏହି କାମିୟା ଯାନୀ କିଏ, ସେ କ’ଣ କରନ୍ତି ଏବଂ ତାଙ୍କ ସମ୍ପର୍କରେ ଓଡିଶାର ଗଣମାଧ୍ୟମରେ କାହିଁକି ବିବୃତ୍ତି ଯୁଦ୍ଧ ଚାଲିଛି ସେ ସଂକ୍ରାନ୍ତରେ ଜାଣିବାପାଇଁ ସାଧାରଣ ଲୋକେ ବେଶ୍‍ ଆଗ୍ରହୀ ।

୩୫ ବର୍ଷିଆ ଯୁବତୀ କାମିୟାଙ୍କ ଘର ମୁମ୍ବାଇରେ ଏକ ନୈଷ୍ଠିକ ହିନ୍ଦୁ ପରିବାରରେ । ସେ ବି ଅନ୍ୟଏକ ହିନ୍ଦୁ ପରିବାରରେ ବିବାହ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ତଥ୍ୟ ମୁତାବକ କାମିୟା ଯାନୀଙ୍କ ଜେଜେ ବାପା ନାରାୟଣଦାସ ଯାନୀ ଓ ତାଙ୍କ ପୂର୍ବ ପୁରୁଷ ଦେଶ ବିଭାଜନ ପୂର୍ବରୁ ବର୍ତ୍ତମାନର ପାକିସ୍ତାନ ଅଞ୍ଚଳରେ ବସବାସ କରୁଥିଲେ । ଦେଶ ବିଭାଜନ ଜନିତ ଦଙ୍ଗା ସମୟରେ ନାରାୟଣ ଦାସ ଯାନୀଙ୍କ ପରିବାର ବମ୍ବେ ଚାଲିଆସିଥିଲେ । କାମିୟାଙ୍କ ବାପା ମୋହନ ଯାନୀ ଜଣେ ବ୍ୟବସାୟୀ ।

କାମିୟା ପରବର୍ତ୍ତୀ ସମୟରେ ସମର ବର୍ମାଙ୍କୁ ବିବାହ କରିଛନ୍ତି । ସମର ବି ଜଣେ ହିନ୍ଦୁ । କାମିୟା ଗଣ ଯୋଗାଯୋଗ ଓ ଆଇନ୍‍ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ୧୯୮୮ରେ ଜନ୍ମିତ କାମିୟା ୨୦୦୬ରୁ ସାମ୍ବାଦିକତା କ୍ଷେତ୍ରରେ କାମ କରୁଛନ୍ତି । ଟାଇମ୍ସ ଅଫ୍‍ ଇଣ୍ଡିଆରେ ତାଙ୍କ ସାମ୍ବାଦିକତା ଜୀବନ ଆରମ୍ଭ କରିବାପରେ ସେ ବିଭିନ୍ନ ଟିଭି ଚ୍ୟାନେଲରେ ସାମ୍ବାଦିକ, ଆଙ୍କର ଓ ପ୍ରଯୋଜକ ଭାବେ ମଧ୍ୟ କାମ କରିଛନ୍ତି ।

ଏବେ ସେ ଜଣେ ଜଣାଶୁଣା ବ୍ଲଗର । ୟୁଟ୍ୟୁବ୍‍ ସମେତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରଯୋଜିତ ଅନେକ ତଥ୍ୟ ପ୍ରସାରିତ ହେଉଛି । ‘କର୍ଲି ଟେଲ୍ସ’ ର ସେ ହେଉଛନ୍ତି ମୁଖ୍ୟ ସମ୍ପାଦିକା । ବିଶେଷକରି ଆଧ୍ୟାତ୍ମିକ ପୀଠ, ପର୍ଯ୍ୟଟନସ୍ଥଳୀ, ବିଭିନ୍ନ ଅଞ୍ଚଳର ଖାଦ୍ୟ ପଦାର୍ଥ, ଲୋକଙ୍କ ଚାଲି ଚଳଣି ଆଦି ପ୍ରସଙ୍ଗରେ ସେ ସାମାଜିକ ଗଣମାଧ୍ୟମରେ ତଥ୍ୟ ପରିବେଷଣ କରିଆସୁଛନ୍ତି ।

ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ ସହିତ ଅନ୍ୟଏକ ସ୍ଥାନରେ ମହାପ୍ରସାଦ ସେବନ ଓ ପରିକ୍ରମା ପ୍ରକଳ୍ପର ଭିଡିଓ ତାଙ୍କ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ତେବେ ପରବର୍ତ୍ତୀ ସମୟରେ କେରଳର ପରମ୍ପପୁରି ହୋଟେଲରେ ସେ କୁଆଡେ ଗୋମାଂସ ଭକ୍ଷଣ କରିଥିଲେ ବୋଲି ଅଭିଯୋଗ ଆସିଛି । କିନ୍ତୁ କାମିୟା ତାହାର ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ ପରମ୍ପପୁରି ହୋଟେଲରେ ସେ ଗୋମାଂସ ନଖାଇ କଡେଲା କରୀ ଓ ଅପମ୍‍ ଖାଇଥିଲେ ଯାହା କି ସମ୍ପୂର୍ଣ୍ଣ ନିରାମିଷ । ବିଭିନ୍ନ ଅଞ୍ଚଳର ଖାଦ୍ୟ ସଂକ୍ରାନ୍ତରେ ସେ ଏକାଧିକ ତଥ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରିଆସୁଛନ୍ତି ।

ଜଣେ ୟୁଟ୍ୟୁବର ଭାବେ ସେ ଅନେକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ସାଂସ୍କୃତି ବ୍ରାଣ୍ଡ୍‍ ଆମ୍ବାସଡର ପୁରସ୍କାର ପାଇଛନ୍ତି । ଏମିତିକି ଦେଶର ପ୍ରମୁଖ ବ୍ୟକ୍ତି ତାଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାମିୟାଙ୍କର ଧରୋହର ଭାରତ କି ଡକ୍ୟୁମେଣ୍ଟାରୀ ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା କୁହାଯାଉଛି ।

ବିଜେଡି ନେତାମାନେ କହୁଛନ୍ତି ଯେ ଅଯୋଧ୍ୟାରେ ରାମମନ୍ଦିର ପ୍ରକଳ୍ପର ପ୍ରଚାର ପ୍ରସାର କୁଆଡେ କାମିୟା ତାଙ୍କ ଆକାଉଣ୍ଟରେ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ନିୟୋଜନ କରାଯାଇଥିଲା । ଅନ୍ୟ ପକ୍ଷରେ ବିଜେପି କାମିୟାଙ୍କ ମହାପ୍ରସାଦ ସେବନ, ଶ୍ରୀମନ୍ଦିର ପ୍ରବେଶ ଓ ଗୋମାଂସ ପ୍ରସଙ୍ଗ ଘେନି ଆପତ୍ତି ଉଠାଇ ତୀବ୍ର ସମାଲୋଚନା କରୁଛି । କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ଆପତ୍ତି ଉଠାଇଛି । ତେବେ ବାସ୍ତବ ସତ୍ୟ ଓ ତଥ୍ୟ କ’ଣ ତାହା କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜଣା ବୋଲି ଅନେକ ଶ୍ରଦ୍ଧାଳୁ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)