Home General କାହା ସ୍ୱାର୍ଥରେ ଟାଇଲ ବିଛା ?

କାହା ସ୍ୱାର୍ଥରେ ଟାଇଲ ବିଛା ?

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ରାସ୍ତାଘାଟରେ ଏବେ ସିମେଣ୍ଟ ଟାଇଲ୍‍ ବା ଫେବର ବ୍ଲକ ବିଛାଯାଉଛି । ହେଲେ ଏଥିରୁ ସାଧାରଣ ଲୋକେ ଲାଭ ପାଇବା ବଦଳରେ ହୀନସ୍ତା ହେଉଛନ୍ତି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖାରବେଳନଗର ଅଞ୍ଚଳରେ । ଶ୍ରୀୟା ସିନେମାହଲ ପଛ ପଟେ ଥିବା ରାସ୍ତାରେ ନିକଟରେ ବିଏମ୍‍ସି ପକ୍ଷରୁ ଏଭଳି ଫେବର ବ୍ଲକ ବିଛାଯାଇଥିଲା । ଫଳରେ ରାସ୍ତା ଅବସ୍ଥା ସୁଧୁରିଥିଲା । ହେଲେ ଏବେ ସେହି ରାସ୍ତାରେ ଗାଡିମୋଟର ଯିବା ତ ଦୂରରକଥା, ସାଧାରଣ ଲୋକେ ଚାଲି ଚାଲି ଯିବା ବି ସମ୍ଭବପର ହେଉନାହିଁ । କାରଣ ରାସ୍ତା ଚକାଚକ ହେବାପରେ କବାଡିଆମାନେ ସେଠାରେ ଶହ ଶହ ଟ୍ରଲି ଓ ଅନ୍ୟାନ୍ୟ ଗାଡି ରଖି ଦେଇଛନ୍ତି ।

ଏହି ଅଞ୍ଚଳରେ ଶହ ଶହ ସଂଖ୍ୟାରେ କବାଡିଆ ରହୁଥିବାରୁ ପୁଲିସ୍‍ ଚୋରି ଜିନିଷ ସନ୍ଧାନରେ ଏଠାରେ ବାରମ୍ବାର ଚଢଉ କରିଥାଏ । ପୁଲିସ୍‍ ଗାଡି ସେହି ଅଞ୍ଚଳରେ ବି ସୁରକ୍ଷା ଦୃଷ୍ଟିରୁ ଏକାଧିକ ସମୟ ପହରା ଦେଇଥାଏ । ତେବେ କର୍ତ୍ତୃପକ୍ଷ ଏହି ଅଞ୍ଚଳରେ ରାସ୍ତାରେ ଫେବର ବ୍ଲକ ବିଛାଇବା ପରେ ପୁଲିସ୍‍ ଗାଡି ଯା ଆସ ସହଜ ହେବ ବୋଲି ସ୍ଥାନୀୟ ଲୋକେ ଆଶା କରିଥିଲେ । ହେଲେ କବାଡି ବ୍ୟବସାୟୀମାନେ ପୁଲିସି ଗାଡି ଯେଭଳି ଯା ଆସ କରିନପାରିବ ସେଥିପାଇଁ ରାସ୍ତା ଉପରେ ଟ୍ରଲି ଓ ଅନ୍ୟାନ୍ୟ ଯାନ ରଖିବା ସହିତ କୁଢ କୁଢ ଅଳିଆ ଆବର୍ଜନା ଗଦାକରିଥିବା ଦେଖିବାକୁ ମିଳିଛି ।

କର୍ତ୍ତୃପକ୍ଷ ରାସ୍ତାକୁ ଚକାଚକ କରିବାପରେ ସ୍ଥିତି ଆହୁରି ଦୟନୀୟ ହୋଇଛି । ଶହ ଶହ ଟ୍ରଲି ରଖିବା ସହିତ ବିଭିନ୍ନ କବାଡିଆ ସାମଗ୍ରୀକୁ ରାତି ବେଳା ରାସ୍ତାଉପରେ ନିଆଁ ଲଗାଉଥିବାରୁ ସ୍ଥାନୀୟଲୋକେ ରସାୟନିକ ଗନ୍ଧ ଓ କଳା ଧୂଆଁରେ ଅତିଷ୍ଠ ହୋଇପଡିଲେଣି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ଅଞ୍ଚଳରେ ସ୍ଥିତି ଦିନକୁ ଦିନ ଗୁରୁତର ହେଉଥିବାବେଳେ ପୁଲିସ୍‍ କିମ୍ବା ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି ।

ଖାଲି ଖାରବେଳ ଅଞ୍ଚଳରେ ନୁହେଁ ସହରର ଏବେ ଯେଉଁସବୁ ରାସ୍ତାପାଶ୍ୱର୍ରେ କର୍ତ୍ତୃପକ୍ଷ ରଙ୍ଗ ବେରଳଙ୍ଗର ଟାଇଲ ବିଛାଉଛନ୍ତି ତାହା ତତ୍‍କ୍ଷଣାତ୍‍ ଚାରିଚକିଆ ପାର୍କିସ୍ଥଳ ପାଲଟି ଯାଉଛି । ଆଖପାଖର ଲୋକେ ବି ପରିଷ୍କାର ସ୍ଥାନ ଦେଖି ନିଜ ଘରେ ଗାଡିମୋଟର ରଖିବା ବଦଳରେ ରାସ୍ତାଉପରେ ଆଣି ଥୋଇ ଦେଉଛନ୍ତି । ରାସ୍ତାକୁ ଚଉଡା କରି ଲୋକଙ୍କ ଗମନାଗମନକୁ ସହଜ କରିବାପାଇଁ କର୍ତ୍ତୃପକ୍ଷଙ୍କ ଯୋଜନା ଏବେ ଏକ ପ୍ରକାର ଫେଲ ମାରିଲାଣି ।

ସହରରେ ରାସ୍ତାଘାଟରେ ବିଛା ଯାଇଥିବା ଟାଇଲରୁ ଲୋକେ କିଭଳି ସୁଫଳ ପାଉଛନ୍ତି ତାହାର କେହି ଥରୁଟିଏ ହେଲେ ଅନୁଧ୍ୟାନ କରୁନାହାନ୍ତି । କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏବେ ବିଭିନ୍ନ ସ୍ଥାନରେ ଡ୍ରେନ ସଫା ପାଇଁ ଶ୍ରମିକମାନେ ବିଛା ଯାଇଥିବା ଟାଇଲ୍‍କୁ ଭାଙ୍ଗିବାରେ ଲାଗିଛନ୍ତି । ଡ୍ରେନରେ ଲାଗିଥିବା ଢାଙ୍କୁଣି ଉପରେ କିଭଳି ରଙ୍ଗୀନ ଟାଇଲ୍‍ ବିଛାଇବାକୁ ନିର୍ଦ୍ଦେଶ ଦେଇଥିଲା ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)