ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଏବେ ଉପକୂଳ ଜିଲ୍ଲାର ଚାଷୀମାନଙ୍କ ଫସଲ ଅମଳ ଉପରେ ଦାଉ ସାଧୁଛି । ବିଶେଷକରି ବିରି, ମୁଗ ଭଳି ଡାଲିଜାତୀୟ ଶସ୍ୟ ଅମଳ ଏହାଦ୍ୱାରା ପ୍ରଭାବିତ ହେବାରେ ଲାଗିଛି ।
ରାଜ୍ୟର କେତେକ ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ଉପକୂଳ ଜିଲ୍ଲାରେ କାଳବୈଶାଖୀ ଜାରି ରହିଛି । ଯେଉଁଠାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି ସେଠାରେ ପବନ ସହିତ ବର୍ଷାର ପରିମାଣ ଢେର ଅଧିକ ରହୁଛି । ଏପରିକି ବିରି ମୁଗ ଜମିରେ ପାଣି ଜମାହୋଇ ଯାଉଛି ।
ବର୍ତ୍ତମାନ ଉପକୂଳ ଜିଲ୍ଲାରେ ବିରି, ମୁଗ ଆଦି ଫସଲର ଅମଳ ଋତୁ । ଚାଷୀମାନେ ବିଲରୁ ଏଗୁଡିକୁ ଓପାଡି ଘରକୁ ଆଣିଥାନ୍ତି । ତେବେ କାଳବୈଶାଖୀ ବର୍ଷା ଅନେକ ସ୍ଥାନରେ ଏହି ଫସଲକୁ ନଷ୍ଟଭ୍ରଷ୍ଟ କରିଦେଉଛି । କାରଣ ଚଳିତ କାଳବୈଶାଖୀ ପ୍ରଭାବରେ ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ କୁଆପଥର ମାଡ ବି ହେଉଛି । ଫଳରେ ବିଲରେ ଥିବା ଶୁଖିଲା ମୁଗ ଓ ବିରି ଛୁଇଁଗୁଡିକ ନଷ୍ଟ ହୋଇଯାଉଛି । ଯେଉଁଚାଷୀମାନେ ଏଗୁଡିକୁ ଘରକୁ ବୋହି ଆଣିଛନ୍ତି ସେମାନଙ୍କର ଫସଲ କିଛି ମାତ୍ରାରେ ରକ୍ଷା ପାଇଯାଇଥିବାବେଳେ ଟାଣ ଖରା ନବାଜିଲେ ଏହାକୁ ଅମଳ କରିବା ସହଜ ହେବନାହିଁ ବୋଲି ଚାଷୀମାନେ କହୁଛନ୍ତି ।
ଅନ୍ୟ ପକ୍ଷରେ ଚାଷୀମାନଙ୍କର ବିକଳିଆ ଅବସ୍ଥା ଦେଖି ଏବେ ବ୍ୟବସାୟୀମାନେ କମ୍ ଦରରେ ମୁଗ, ବିରି ଆଦି ସଂଗ୍ରହ ପାଇଁ ଗାଁ ଗଣ୍ଡାରେ ଡେରା ପକାଇଲେଣି । ଏପରିକି ସୁଯୋଗ ଦେଖି ବିରି ଓ ମୁଗ କିଲୋ ପ୍ରତି ୫୦ ରୁ ୫୫ ଟଙ୍କା ଦରରେ ଖରିଦ କରୁଛନ୍ତି । ଧାନ ଭଳି ଏହିସବୁ ଡାଲିଜାତୀୟ ଫସଲର ଦରଧାର୍ଯ୍ୟ କିମ୍ବା ଖରିଦ ବ୍ୟବସ୍ଥା ନଥିବାରୁ ଚାଷୀମାନେ ବାଧ୍ୟହୋଇ ବେପାରୀଙ୍କ ହାତରେ ଟେକି ଦେଉଛନ୍ତି । କାରଣ ବର୍ଷାମାଡିଖିଆ ମୁଗ, ବିରି ଆଦିରେ ପୋକ ଲାଗିବାର ଭୟ ରହୁଥିବା ଚାଷୀମାନେ କହୁଛନ୍ତି ।
କେବଳ ଡାଲି ଜାତୀୟ ଫସଲ ନୁହେଁ, କାଳବୈଶାଖୀ ପ୍ରଭାବରେ ଚାଷୀମାନଙ୍କ ଖରାଟିଆ ପନିପରିବା ବି ବହୁ ସ୍ଥାନରେ ନଷ୍ଟଭ୍ରଷ୍ଟ ହୋଇଯାଉଛି । ବିଶେଷକରି ପୋଟଳ, ଭେଣ୍ଡି, ଟମାଟୋ, ଝୁଡୁଙ୍ଗ ଆଦି ଫସଲ ପ୍ରବଳ ବର୍ଷାମାଡରେ ନଷ୍ଟହୋଇ ଯାଉଛି । ଅନେକ ସ୍ଥାନରେ କୁଆପଥର ମାଡରେ ନଷ୍ଟ ହୋଇଥିବା ପନିପରିବାକୁ ଚାଷୀମାନେ ବିଲରୁ ସଂଗ୍ରହ କରିବା କଷ୍ଟକର ହୋଇ ପଡୁଛି । ଚାଷୀମାନଙ୍କ କହିବାକଥା ଯେ ଚଳିତବର୍ଷ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଯେଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ କୁଆପଥର ମାଡ ଓ ପ୍ରବଳ ପବନ ବୋହୁଛି ତାହା ଆଉ କିଛିଦିନ ଜାରି ରହିଲେ ଖରାଦିନିଆ ଫସଲସବୁ ଉଜୁଡିଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।
ତେବେ ଡାଲି ଜାତୀୟ ଫସଲ କରିଥିବା ଚାଷୀମାନେ ଯେଭଳି ଉଚିତ୍ ମୂଲ୍ୟ ପାଇବେ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ଚାଷୀମାନେ ଅନୁରୋଧ କରୁଛନ୍ତି । (ତଥ୍ୟ)