Home News in Odia କାର୍ଯ୍ୟାଳୟ ସୁରକ୍ଷା ବଢାଉଛନ୍ତି

କାର୍ଯ୍ୟାଳୟ ସୁରକ୍ଷା ବଢାଉଛନ୍ତି

ଭୁବନେଶ୍ୱର : ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରୁନଥିବାବେଳେ ବିଦ୍ରୋହ କିନ୍ତୁ ବଢିବାରେ ଲାଗିଛି । ବିଦ୍ରୋହୀ ପ୍ରାର୍ଥୀମାନେ ରାଜଧାନୀ ମୁହାଁ ହେବା ସହିତ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା ଓ ବିକ୍ଷୋଭ କରୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବଢିବାରେ ଲାଗିଛି ।

ରାଜ୍ୟରେ ବିଜେପି ଆଉ ୩୫ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଥିବାବେଳେ ବିଜେଡି ୩୦ଟିି ବିଧାନସଭା ଏବଂ କଂଗ୍ରେସ ୧୩ଟି ଲୋକସଭା ସହିତ ୯୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ବାକି ଅଛି । ତେବେ ଯେଉଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହୋଇଛି ସେମାନଙ୍କ ବିରୋଧି ବିଶେଷକରି ସେହି ଆସନରୁ ଆଶାୟୀ ପ୍ରାର୍ଥୀମାନେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପ୍ରତିବାଦ କରିବାରେ ଲାଗିଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏଭଳି ଏକାଧିକ ବିଦ୍ରୋହ ପରିଲକ୍ଷିତ ହେଲାଣି । କଟକ-ଚୌଦ୍ୱାର ଆସନରୁ ବିଜେପି ନୟନ ମହାନ୍ତିଙ୍କ ନାମ ଘୋଷଣା କରିବାରେ ସେଠାରୁ ବିଜେପିର ଆଉ ଗୋଟିଏ ଗୋଷ୍ଠି ଆସି ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ସେହିଭଳି ଖୋରଧାରୁ ବିଜେପିର ଗୋଟିଏ ଗୋଷ୍ଠି ଆସି ଦଳୀୟ କାର୍ଯ୍ୟାଳୟରେ ପାଟିତୁଣ୍ଡ କରିଥିବାବେଳେ ଜଗତ୍‍ସିଂହପୁରରେ ଅମରେନ୍ଦ୍ର ଦାସ ବିଜେପିରେ ମିଶିବା ପରେ ବିଜେପି ଜିଲ୍ଲା ସଭାପତି ଦଳ ବଳ ସହିତ ଆସି ରାଜଧାନୀରେ ଦଳୀୟ କାର୍ଯ୍ୟାଳୟରେ ପ୍ରତିବାଦ କରିଛନ୍ତି ।

କେବଳ ବିଜେପି କାର୍ଯ୍ୟାଳୟରେ ଏହି ପ୍ରତିବାଦ ହେଉନାହିଁ, ମିଶ୍ରଣପର୍ବକୁ ବିରୋଧ କରି ଜଟଣୀର କଂଗ୍ରେସ କର୍ମୀମାନେ ଆସି କଂଗ୍ରେସ ଭବନରେ ହଟଗୋଳ କରିଛନ୍ତି । ଏହା ପୂର୍ବରୁ ଚିଲିକାରେ ବିଜେଡି ଟିକଟ ଆଶାୟୀ ରଘୁ ସାହୁଙ୍କ ସମର୍ଥକମାନେ ଆସି ଶଙ୍ଖଭବନ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଏହାଛଡା ବିଜେଡି ଟିକଟ ଆଶାୟୀମାନେ ଦୈନିକ ଆସି ନବୀନ ନିବାସ ସମ୍ମୁଖରେ ଭିଡ କରୁଛନ୍ତି ।

ଟିକଟ କଟୁଥିବା ନେତା ଓ ଟିକଟ କଟିବା ଆଶଙ୍କାରେ ଥିବା ନେତାମାନେ ଯେଭଳି ଦଳବଳ ସହିତ ରାଜଧାନୀ ମୁହାଁ ହେଉଛନ୍ତି ଓ ଦଳୀୟ କାର୍ଯ୍ୟାଳୟରେ ଲଙ୍କାକାଣ୍ଡ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜନୈତିକଦଳଗୁଡିକ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି । ପୁଲିସ୍‍ ସୁରକ୍ଷା ସହିତ ନିଜସ୍ୱ ସୁରକ୍ଷାକର୍ମୀ ବି ମୁତୟନ କରୁଛନ୍ତି ।

ଆଶଙ୍କା କରାଯାଉଛି ଯେ ତିନି ଦଳର ଟିକଟ ଘୋଷଣା ସମ୍ପୂର୍ଣ୍ଣ ହେଲାପରେ ବିଦ୍ରୋହ ଆହୁରି ବଢିବ । ବିଶେଷକରି ଯେଉଁ ଆଶାୟୀମାନେ ଦଳୀୟ ଟିକଟରୁ ଶେଷ ମୂହୂର୍ତ୍ତରେ ବଞ୍ଚିତ ହେବେ ସେମାନେ ଦଳୀୟ କାର୍ଯ୍ୟାଳୟରେ ଆସି ଅଘଟଣ ଘଟାଇବାର ସମ୍ଭାବନା ରହିଛି । ଏହାଛଡା ଏଭଳି ଦଳୀୟ ଟିକଟ ହାତେଇଥିବା କିଛି ନେତା ମଧ୍ୟ ଶେଷ ମୂହୂର୍ତ୍ତରେ ଟିକଟ କଟିବା ଆଶଙ୍କାରେ ରାଜଧାନୀ ଛାଡୁ ନାହାନ୍ତି । କାଳେ ବିରୋଧିମାନେ ଆସି ଚାପ ପ୍ରୟୋଗ କରି ଟିକଟ ହାତେଇ ନେବେ ସେହି ଡରରେ ଦଳ ବଳ ସହିତ ରାଜଧାନୀରେ ଡେରା ପକାଇଛନ୍ତି । ତେଣୁ ସେମାନଙ୍କୁ କିଭଳି ମୁକାବିଲା କରାଯାଇ ପାରିବ ସେଥିପାଇଁ ଦଳୀୟ ସ୍ତରରେ ଏବେ ରଣନୀତି ପ୍ରସ୍ତୁତ ଚାଲିଛି ।

ଏମାନେ ରାଜ୍ୟ କାର୍ଯ୍ୟାଳୟକୁ ଆସି ହଟ୍ଟଗୋଳ କରିବା ପରେ ସମଗ୍ର ରାଜ୍ୟରେ ଏହାର ପ୍ରଭାବ ପଡୁଛି । ତେଣୁ ସେମାନଙ୍କୁ କିଭଳି ନିର୍ବାଚନମଣ୍ଡଳୀ ସ୍ତରରେ ରୋକାଯାଇ ପାରିବ କିମ୍ବା ଯେଉଁମାନେ ରାଜଧାନୀରେ ଆସି ପହଞ୍ଚୁଛନ୍ତି ସେମାନଙ୍କୁ କିଭଳି ବୁଝାସୁଝା କରି ଫେରାଇ ଦିଆଯିବ ସେ ଦିଗରେ ଏବେ ତିନି ପ୍ରମୁଖଦଳର ଛାମୁଆ ନେତାମାନେ ତତ୍ପର ହୋଇ ଉଠିଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)