ଭୁବନେଶ୍ୱର ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ଦୁଇଟି ବାର୍ଷିକ ରିପୋର୍ଟକୁ ଘେନି ଏବେ ବିଭିନ୍ନ ମହଲରେ ବ୍ୟାପକ ଚର୍ଚ୍ଚା । ଏଥିରୁ ଗୋଟିଏ ରିପୋର୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୧୨ଟି ରଙ୍ଗୀନ ଫଟୋ ସ୍ଥାନିତ ହୋଇଥିବାବେଳେ ଅନ୍ୟ ରିପୋର୍ଟରେ କେବଳ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଶାସନ ସଚିବଙ୍କ ସମେତ ଅନ୍ୟାନ୍ୟ ଫଟୋମାନ ରହିଛି ।
ରାଜ୍ୟ ସରକାର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରିବେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ ଉଚ୍ଚଶିକ୍ଷା ବିଭାଗର ରିପୋର୍ଟଟି ଇଂରାଜୀରେ ଛପାଯାଇଛି । ୧୬୮ ପୃଷ୍ଠାର ଏହି ରିପୋର୍ଟଟିରେ ବିଭାଗର ବହୁ ତଥ୍ୟ ରହିଛି । ଏଥିରେ ଶତାଧିକ ଫଟୋଚିତ୍ର ଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କର କୌଣସି ଫଟୋ ନାହିଁ । ତେବେ ଏହି ବିବରଣୀ ପୁସ୍ତିକାଟି ୨୦୨୩-୨୪ ବର୍ଷର ଥିବାବେଳେ ଏଥିରେ ନୂଆ ‘ଓ’ କାର୍ଯ୍ୟକ୍ରମ ଓ ତାହାର ଅର୍ନ୍ତଭୁକ୍ତ ଛାତ୍ରବୃତ୍ତି ସମ୍ପର୍କରେ ଉଲ୍ଲେଖ ଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରମୁଖ ବିନ୍ଧାଣୀ ତତ୍କାଳୀନ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କର କୌଣସି ଫଟୋଚିତ୍ର ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ସେତେବେଳେ ଶ୍ରୀ ପାଣ୍ଡିଆନ ୩୦ଟି ଯାକ ଜିଲ୍ଲା ଗସ୍ତକରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସଂଗେ ବହୁ ଫଟୋ ଉଠାଇଥିଲେ ।
ଏହାର ବିବରଣୀ ମୁତାବକ ଏବେ ରାଜ୍ୟରେ ୨୬ଟି ସରକାରୀ ବିଶ୍ୱବିଦ୍ୟାଳୟ ସମେତ ମୋଟ୍ ୪୨ଟି ବିଶ୍ୱବିଦ୍ୟାଳୟ ରହିଛି । ଯେଉଁଥିରେ ୧୩ଟି ଘରୋଇ ବିଶ୍ୱବିଦ୍ୟାଳୟ ଓ ତିନିଟି ଡିମ୍ଡ ବିଶ୍ୱବିଦ୍ୟାଳୟ ବୋଲି ଉଲ୍ଲେଖ ରହିଛି । ଏହାଛଡା ରାଜ୍ୟରେ ୪୮ଟି ସରକାରୀ କଲେଜ, ୩୦୪ଟି ୪୮୮ ବର୍ଗର କଲେଜ, ୩୪୧ଟି ଅଣଅନୁଦାନପ୍ରାପ୍ତ କଲେଜ ଓ ଆଉ ୩୪୧ଟି ୬୬୨ ବର୍ଗର କଲେଜ ଥିବା ଉଲ୍ଲେଖ ରହିଛି । ଏହାଛଡା ଓଡିଶାରେ ୧୬ଟି ଶିକ୍ଷକ ତାଲିମ କଲେଜ ଥିବା ମଧ୍ୟ ଏଥିରେ ଦର୍ଶାଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ୮୮ପୃଷ୍ଠାର କାର୍ଯ୍ୟାବଳୀ ବିବରଣୀ ପୁସ୍ତିକାରେ ୯୦ରୁ ଅଧିକ ରଙ୍ଗୀନ ଫଟୋଚିତ୍ର ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅନ୍ୟୁନ ୧୨ଟି ଫଟୋ ଏଥିରେ ସ୍ଥାନ ପାଇଛି । ଏହାଛଡା ଗତ ସରକାରର ଶିକ୍ଷାମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଡି ଓ ଅନ୍ୟକିଛି ପୂର୍ବତନ ମନ୍ତ୍ରୀଙ୍କର ଫଟୋ ସହିତ ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ଅନେକ ଫଟୋଚିତ୍ର ଏଥିରେ ସ୍ଥାନ ପାଇଛି । ବିଶେଷକରି ମାଧ୍ୟମିକ ବିଦ୍ୟାଳୟଗୁଡିକରେ ୫-ଟି ରୂପାନ୍ତରଣ ସଂକ୍ରାନ୍ତରେ ଏହି ପୁସ୍ତକରେ ଥିବା ତଥ୍ୟ ମୁତାବକ ୫-ଟି ରୂପାନ୍ତରଣ ହୋଇଥିବା ମାଧ୍ୟମିକ ବିଦ୍ୟାଳୟଗୁଡିକ ଯୋଗୁଁ ୧୦,୭୯,୪୯୧ ଜଣ ଛାତ୍ରଛାତ୍ରୀ ଏଥିରୁ ଲାଭ ପାଇଛନ୍ତି ।
ଏହାଛଡା ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରକୁ ନୂତନ ପରିଚୟ ପ୍ରଦାନ ସହିତ ୪୬୦୫ଟି ନୂତନ ଶ୍ରେଣୀଗୃହ ନିର୍ମାଣ, ୧୬,୯୨୦ଟି ସ୍ମାର୍ଟ ଶ୍ରେଣୀଗୃହ, ୭୮୬୩ଟି ଅତ୍ୟାଧୁନିକ ଲାବରୋଟାରୀ, ୭୯୨୦ଟି ଇ-ଲାଇବ୍ରେରୀ ଏବଂ ୧୪,୨୧୨ଟି ଶୌଚାଳୟ ସମେତ ବିଦ୍ୟାଳୟ ଖେଳପଡିଆ ଓ ପରିସରର ନବୀକରଣ ସଂଗେ ସଂଗେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରାଯାଇଥିବା ଏଥିରେ ଦର୍ଶାଯାଇଛି । ତେବେ ଏହି କାର୍ଯ୍ୟାବଳୀ ବିବରଣୀ ପୁସ୍ତକାରେ ମୁଖ୍ୟମନ୍ତ୍ରୀ କିମ୍ବା ବର୍ତ୍ତମାନର ମନ୍ତ୍ରୀଙ୍କର କୌଣସି ଫଟୋଚିତ୍ର କିମ୍ବା ବାର୍ତ୍ତା ରହିନାହିଁ । (ତଥ୍ୟ)