ଭୁବନେଶ୍ୱର : ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ଚଳାଇବାପାଇଁ ଓ ଓଡିଆ ଭାଷାରେ ନିଜ ନିଜ ବ୍ୟବସାୟର ଫଳକ ଲେଖିବାପାଇଁ ସରକାର ବାରମ୍ବାର ତାଗିଦା କରୁଥିବାବେଳେ ତାହାକୁ ପ୍ରାୟତଃ କେହି ଖାତିର କରୁନାହାନ୍ତି । ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି ପଛେ ସରକାରଙ୍କ କଥା ମାନୁନଥିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି ।
ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡିଆ ଭାଷାରେ ଫଳକ ଲେଖିବାପାଇଁ ରାଜ୍ୟ ସରକାର ୨୦୧୮ ମସିହାରୁ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି । ଆଇନ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ପ୍ରଥମ ଥର ୫୦୦୦ ଟଙ୍କା ଓ ଦ୍ୱିତୀୟ ଥର ଖିଲାପ ପରେ ୨୫ ହଜାର ଟଙ୍କାର ଜୋରିମାନା ଆଦାୟର ବ୍ୟବସ୍ଥା ରହିଛି । ଦୋକାନୀମାନେ ନିୟମ ମାନୁଛନ୍ତି କି ନାହିଁ ତାହାର ତଦାରଖ କରିବାକୁ ରାଜ୍ୟ ଶ୍ରମ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ଏତେସବୁ ସତ୍ୱେ ବହୁ ବ୍ୟବସାୟୀ କିନ୍ତୁ ଓଡିଆ ଭାଷାରେ ଫଳକ ଲେଖିବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । କିଏ ଆଦୌ ଓଡିଆ ଭାଷାରେ ଲେଖୁନାହିଁ ତ ଆଉ କିଏ ଇଂରାଜୀ କିମ୍ବା ହିନ୍ଦୀ ଅକ୍ଷର ତଳେ ଛୋଟ ଛୋଟ ଓଡିଆ ଅକ୍ଷର ଲେଖି କାମ ଚଳାଇ ଦେଉଛନ୍ତି । ତେବେ ଖିଲାପକାରୀଙ୍କୁ ଧରି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ସହିତ କାର୍ଯ୍ୟାନୁଷ୍ଠାନ ବି ରୁଜୁ ହେଉଛି ।
ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ରାଜ୍ୟରେ ପାଖପାଖି ୨ହଜାର ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବାବେଳେ ୧୩୦ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାରଣ ଦର୍ଶାଅ ନୋଟିସ୍ ଜାରି ତାଲିକାରେ ୨୫୦ ସଂଖ୍ୟା ସହିତ ବାଲେଶ୍ୱର ଜିଲ୍ଲା ସବୁଠାରୁ ଆଗରେ ରହିଥିବାବେଳେ ସାକ୍ଷରତା କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ଥିବା ଖୋରଧା ଜିଲ୍ଲା ୨୧୪ ସଂଖ୍ୟା ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ସୁବର୍ଣ୍ଣପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଅନୁଗୁଳ, ବଲାଙ୍ଗିର, ବୌଦ୍ଧ ଭଳି କେତେକ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ପ୍ରାୟ ସମସ୍ତ ଜିଲ୍ଲାରେ ବ୍ୟବସାୟୀମାନେ କାରଣ ଦର୍ଶାଅ ନୋଟିସ୍ର ସମ୍ମୁଖୀନ ହୋଇଛନ୍ତି ।
ସେହିଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ୧୩୦ଟି ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟରେ ଯାଜପୁର ଜିଲ୍ଲାରେ ସର୍ବାଧିକ ୪୬ଟି ରହିଥିବାବେଳେ ଖୋର୍ଦ୍ଧା ଜିଳ୍ଲାରେ ୩୮ଟି ପ୍ରତିଷ୍ଠାନ ରହିଛି । ସୁନ୍ଦରଗଡ ଜିଲ୍ଲାରେ ୧୫ଟି ପ୍ରତିଷ୍ଠାନ ଥିବାବେଳେ ଭଦ୍ରକ ଓ ନୟାଗଡରେ ୯ଟି କରି, ମୟୁରଭଞ୍ଜ ଓ ରାୟଗଡାରେ ୫ଟି କରି ଥିବାବେଳେ ଦୁଇଟି ପ୍ରତିଷ୍ଠାନ ଗଞ୍ଜାମ ଜିଲ୍ଲାରେ ରହିଛି । ଅନ୍ୟ ସମସ୍ତ ଜିଲ୍ଲାରେ କାର୍ଯ୍ୟାନୁଷ୍ଠାନ ଶୂନ ରହିଥିବା ଜଣାଯାଇଛି ।
ଗୋଟିଏ ପଟେ ଓଡିଆ ଭାଷା ପ୍ରତି ଅସୂୟା ମନୋଭାବ ଓ ଅନ୍ୟ ପଟେ ସରକାରଙ୍କର କୋହଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବାରମ୍ବାର ତାଗିଦାକୁ ଦୋକାନୀମାନେ ଖାତିର କରୁନାହାନ୍ତି । ଅନୁରୂପ ଅବସ୍ଥା ମଧ୍ୟ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର କ୍ଷେତ୍ରରେ ପରିଲକ୍ଷିତ ହୋଇଛି । ରାଜ୍ୟରେ ଅଧିକାଂଶ ଓଡିଆ ଅଧିକାରୀ ଓ କର୍ମଚାରୀ ରହିଥିବାବେଳେ ସେମାନେ କ’ଣ ପାଇଁ ନିଜ ମାତୃଭାଷାକୁ ଏତେ ହତାଦର କରୁଛନ୍ତି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଥିବାବେଳେ ବାରମ୍ବାର ତାଗିଦା କରି ସରକାର ବି ଏକ ପ୍ରକାର ଲୋକହସାର ପାତ୍ର ହେଲେଣି । (ତଥ୍ୟ)

