ଭୁବନେଶ୍ୱର : ରାଜ୍ୟରେ ଅଠର ବର୍ଷ ବୟସ ମଧ୍ୟରେ ନିଖୋଜ ହେଉଥିବା ପିଲାଙ୍କ ମଧ୍ୟରେ ସର୍ବାଧିକ ହେଉଛନ୍ତି ୧୪ ରୁ ୧୮ବର୍ଷ ବୟସର । ଆଇନ୍ଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାପାଇଁ ଏମାନେ ଲୁଚି ରହିଥାନ୍ତି ।
ନିଖୋଜ ପିଲାଙ୍କ ସଂକ୍ରାନ୍ତରେ ମିଳିଥିବା ସରକାରୀ ସୂଚନା ଅନୁଯାୟୀ ୧୮ବର୍ଷ ବୟସ ପୂର୍ବରୁ ପ୍ରେମ ସମ୍ପର୍କ ଯୋଗୁଁ ଯୁବକ ଯୁବତୀମାନେ ଲୁଚି ପଳାଥାନ୍ତି । ଏମାନେ ଫେରାର ହେବାପରେ ଅଭିଭାବକମାନେ ଆଇନ୍ର ଆଶ୍ରୟ ନେଇଥାନ୍ତି । ଏମାନଙ୍କ ବିରୁଦ୍ଧରେ ପୋକ୍ସୋ, ବାଲ୍ୟ ବିବାହ ନିରାକରଣ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଏହି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାପାଇଁ ଯୁବକମାନେ ସାଧାରଣତଃ ଆତ୍ମଗୋପନ କରିଥାନ୍ତି ।
ସେହିଭଳି ଏହି ବୟସରେ ପିତାମାତାଙ୍କ ସହିତ ବିବାଦ ଯୋଗୁଁ ବହୁ ପିଲା ଘର ଛାଡି ଚାଲିଯାଇଥାନ୍ତି । ଏ କ୍ଷେତ୍ରରେ ଶିକ୍ଷାଗତ ଚାପ ପ୍ରମୁଖ କାରଣ ହୋଇଥାଏ । ପିଲାମାନଙ୍କ ଉପରେ ଅଭିଭାବକମାନେ ପାଠପଢା ପାଇଁ ଚାପ ବଢାଉଥିବାବେଳେ ଚାପ ସହିପାରୁନଥିବା ପିଲା ଘର ଛାଡି ଦେଇଥାନ୍ତି । ଏଭଳି କ୍ଷେତ୍ରରେ ପିଲାମାନେ ଘରଠାରୁ ଦୂରକୁ ଚାଲିଯାଉଥିବାରୁ ସେମାନଙ୍କୁ ସହଜରେ ଠାବ କରାଯାଇନଥାଏ ଏବଂ ଏ କ୍ଷେତ୍ରରେ ନିଖୋଜ ମାମଲାକୁ ଦୃଷ୍ଟିରେ ରଖି ପୁଲିସ୍କୁ ହିଁ ଟାର୍ଗେଟ କରାଯାଇଥାଏ ।
ଏହି ସୂଚନା ଅନୁଯାୟୀ ଚଳିତ ବର୍ଷ ନିଖୋଜ ପିଲାଙ୍କୁ ଖୋଜି ଆଣିବାପାଇଁ ୪ଟି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ଏବଂ ଏଥିରେ ୧୨୦୯ ଜଣ ପିଲାଙ୍କୁ ଖୋଜି ଅଣାଯାଇ ପାରିଛି । ଏହି ପିଲାଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୧୦୭୮ ଥିବାବେଳେ ପୁଅଙ୍କ ସଂଖ୍ୟା ୧୩୧ ରହିଛି । ସେହିଭଳି ଏହି ଅଭିଯାନରେ ୬୬୬୭ ଜଣ ମହିଳାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।
ନିଖୋଜ ମହିଳା ଓ ପିଲାମାନଙ୍କ ଉଦ୍ଧାର ଓ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପରାମର୍ଶ, ସମାଧାନ ଏବଂ ପୁର୍ନବାସ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର କାର୍ଯ୍ୟ ସହଜ କରିବାପାଇଁ ସେମାନଙ୍କର ବିସ୍ତୃତ ବିବରଣୀ ‘ମିଶନ ବାତ୍ସଲ୍ୟ’ ପୋର୍ଟାଲରେ ଅପଲୋଡ କରାଯାଉଛି । ଏହା ସହିତ ରାଜ୍ୟରେ ସମ୍ପର୍କ ସହାୟତା ଡେସ୍କ କାର୍ଯ୍ୟ କରୁଛି ଯାହାଦ୍ୱାରା ପୀଡିତାଙ୍କୁ ମାନସିକ, ସାମାଜିକ ଓ ଚିକିତ୍ସା କ୍ଷେତ୍ରରେ ସହାୟତା ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ଟେଲି ପରାମର୍ଶ ଯୋଗାଇ ଦିଆଯାଉଛି ।
ଶିଶୁଙ୍କ ବିରୁଦ୍ଧରେ ଯୌନ ଅପରାଧର ବିଚାରକୁ ଦ୍ରୁତ ଗତିରେ ପରିଚାଳନା ପାଇଁ ୨୪ଟି ଜିଲ୍ଲାରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ କାର୍ଯ୍ୟକାରୀ ହେଉଥିବାବେଳେ ଗୋଷ୍ଠି ପୋଲିସିଂ ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସେମାନଙ୍କର ସମସ୍ୟାମୁକ୍ତ ଓ ନିର୍ଭିକ ଭାବରେ ପୁଲିସ୍ ଜଣାଇବାପାଇଁ ଉତ୍ସାହିତ କରାଯାଉଛି । (ତଥ୍ୟ)

