ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ କ୍ରସ ଭୋଟିଂ କରିଥିବା କଂଗ୍ରେସର ୩ ବିଧାୟକଙ୍କ ବିରୁଦ୍ଧରେ ଆଜି କଂଗ୍ରେସ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତିନି ଜଣ ବିଧାୟକ ସୋଫିଆ ଫିରଦୋସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗଙ୍କୁ ଦଳ ନିଲମ୍ବିତ କରିଛି ।
ଉଲ୍ଲେଖନୀୟ ଯେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଜେଡି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଏ ସଂକ୍ରାନ୍ତରେ ଦଳୀୟ ବିଧାୟକମାନଙ୍କୁ ଅବଗତ କରାଯିବା ସହିତ ହୁଇପ୍ ଜାରି ହୋଇଥିଲା । ଏଥି ସହିତ କିଛି ବିଧାୟକଙ୍କୁ ବାଙ୍ଗାଲୋର ପଠାଇ ଦିଆଯାଇଥିଲା ।
ତେବେ ପ୍ରଥମରୁ ହିଁ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ପତ୍ତା ମିଳିନଥିଲା । ଦଳୀୟ କର୍ତ୍ତୃପକ୍ଷ ତାଙ୍କୁ ନପାଇ ହାଜର ପାଇଁ ନୋଟିସ୍ ଜାରି କରିଥିଲେ । ତଥାପି ଦାଶରଥୀ କୌଣସି ସୂଚନା ନଦେଇ ସିଧାସଳଖ ଆସି ରାଜ୍ୟସଭାରେ ଭୋଟ ଦେଇଥିଲେ ଓ ଦିଲ୍ଲୀପ ରାୟଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିଲେ । ରମେଶ ଜେନା ଓ ସୋଫିଆ ଯଦିଓ ଦଳୀୟ ନିର୍ଦ୍ଦେଶ ଅନୁଯାୟୀ ଭୋଟ ଦେବେ ବୋଲି କହି ଆସୁଥିଲେ ସେମାନେ ବି ଦିଲ୍ଲୀପ ରାୟଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିଲେ ।
କଂଗ୍ରେସ ଦଳ ପକ୍ଷରୁ ଆଜି ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଏହି ତିନି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଏଥି ସହିତ କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କୁ ମଧ୍ୟ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି ।
ଦଳ ନିଲମ୍ବନ କରିବା ପରେ ତିନି ବିଧାୟକଙ୍କର ବିଧାନସଭାରେ ଆସନ ବଦଳ ପାଇଁ କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ପତ୍ର ଲେଖିଛନ୍ତି ।

