ଭୁବନେଶ୍ୱର : ଓଡିଶାରେ ଉଡାନ ଯୋଜନାରେ ଉନ୍ନତିକରଣ କରାଯାଇ ୫ଟି ବିମାନବନ୍ଦର କାର୍ଯ୍ୟରତ ଅଛନ୍ତି । ଏହିସବୁ ବିମାନବନ୍ଦର ଗୁଡିକ ହେଲା ଭୁବନେଶ୍ୱର, ଝାରସୁଗୁଡା ରାଉରକଲୋ, ଜୟପୁର ଓ ଉତ୍କେଲା ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ଅଧିନରେ ରାଜ୍ୟ ସରକାରଙ୍କର ମୟୁରଭଞ୍ଜର ରାସଗୋବିନ୍ଦପୁର, ଗଞ୍ଜାମର ରଙ୍ଗେଇଲୁଣ୍ଡା, ମୟୁରଭଞ୍ଜର ଦାଣ୍ଡବୋଷଠାରେ ନୂଆ ବିମାନମନ୍ଦର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ରହିଛି । ଏହାଛଡା ପୁରୀଠାରେ ରାଜ୍ୟର ପ୍ରଥମ ଗ୍ରିନ୍ଫିଲ୍ଡ ବିମାନ ବନ୍ଦର ଶ୍ରୀଜଗନ୍ନାଥ ଆର୍ନ୍ତଜାତୀୟ ବିମାନବନ୍ଦରର ନିର୍ମାଣ ନିମନ୍ତେ ପ୍ରସ୍ତାବ ଅଛି । ଏହା ବ୍ୟତିତ ରାଜ୍ୟରେ ରାଜ୍ୟ ସରାକରଙ୍କ ଅଧିନରେ ୯ଟି ବ୍ୟବହାର ଯୋଗ୍ୟ ବିମାନପଟ୍ଟୀ ଓ ଅନ୍ୟ ବେସରକାରୀ ସଂସ୍ଥାଙ୍କ ଅଧିନରେ ୫ଟି ବିମାନପଟ୍ଟୀ ରହିଛି ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭୁବନେଶ୍ୱର ଆର୍ନ୍ତଜାତୀୟ ବିମାନବନ୍ଦରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍, କୁଆଲାମପୁର ଭଳି ବିଦେଶ ସ୍ଥାନକୁ ବିମାନ ଚଳାଚଳ କରୁଥିବାବେଳେ ଦେଶ ଭିତରେ ଦୀଲ୍ଲୀ, ମୁମ୍ବାଇ, କୋଲକତା, ବାଙ୍ଗାଲୋର, ଚେନ୍ନାଇ ଭଳି ବହୁ ସହରକୁ ବିମାନ ଉଡାଣ କରୁଛି । ସେହଭଳି ଝାରସୁଗୁଡାରୁ ଭୁବନେଶ୍ୱର, ଦିଲ୍ଲୀ, କୋଲକତା ଓ ବାଙ୍ଗାଲୋରକୁ ବିମାନସେବା ଥିବାବେଳେ ରାଉରକେଲାରୁ ଭୁବନେଶ୍ୱର ଓ କୋଲକତା, ଜୟପୁର ବିମାନବନ୍ଦରରୁ ଭୁବନେଶ୍ୱର ଓ ବିଶାଖାପାଟଣା ଏବଂ ଉତକେଲା ବିମାନବନ୍ଦରରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସେବା ରହିଛି ।