Home Industry କାର୍ଯ୍ୟକ୍ଷମ ହୋଇନି ଅଧା ବୃହତ୍‍ ଶିଳ୍ପ

କାର୍ଯ୍ୟକ୍ଷମ ହୋଇନି ଅଧା ବୃହତ୍‍ ଶିଳ୍ପ

ଭୁବନେଶ୍ୱର : ରାଜ୍ୟରେ ବୃହତ୍‍ ଶିଳ୍ପ ପ୍ରତିଷ୍ଠା ପାଇଁ ଯେତିକି ଶିଳ୍ପସଂସ୍ଥା ଆଗେଇ ଆସୁଛନ୍ତି ସେମାନଙ୍କ ମଧ୍ୟରୁ କିଛି ସଂସ୍ଥା ପ୍ରକଳ୍ପରୁ ଓହରି ଯାଉଥିବାବେଳେ ଆଉ କିଛି ସଂସ୍ଥା ଆଇନ୍‍ ଅଦାଲତ ମାମଲାରେ ଛନ୍ଦି ହେଉଛନ୍ତି । ତେବେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ଠାରୁ ଜମି ନେଇ ଯେଉଁମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାରଖାନା କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

ସୂଚନା ଅନୁଯାୟୀ ୨୦୦୪ ରୁ ୨୦୧୧ ମଧ୍ୟରେ ୯୨ଟି ବୃହତ୍‍ ଶିଳ୍ପ ଓଡିଶାକୁ ଆସିଥିଲେ । ଏମାନେ ରାଜ୍ୟ ସରକାରଙ୍କ ସହିତ କାରଖାନା ବସାଇବାପାଇଁ ଚୁକ୍ତି କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଏମାନଙ୍କ ମଧ୍ୟରୁ ୩୧ଟି କମ୍ପାନୀ ଆଂଶିକ ଓ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହୋଇପାରିଛି ।

କେନ୍ଦୁଝର ଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଆସିଥିବା ଆର୍ସେଲର ମିତ୍ତଲ ସେହି ପ୍ରକଳ୍ପରୁ ଓହରି ଯାଇଥିବାବେଳେ ଯାଜପୁରର ଡୁବୁରିକୁ ଆସିଥିବା ମହାରାଷ୍ଟ୍ର ସିମଲେସ୍‍ ଲିମିଟେଡ୍‍ ମଧ୍ୟ ପ୍ରକଳ୍ପରୁ ହଟିଯାଇଛି । ସେହିଭଳି ପାରାଦୀପ୍‍କୁ ଆସିଥିବା ପୋସ୍କା, ଅନୁଗୁଳକୁ ଆସିଥିବା ଜେ ଆର ପାୱାରଜେନ୍‍ ଲିମିଟେଡ୍‍, କଟକର ନରାଜ ଠାରେ ଟାଟା କମ୍ପାନୀର ପ୍ରସ୍ତାବିତ ତାପଜ ପ୍ରକଳ୍ପ, ଢେଙ୍କାନାଳର ନେଉଳପୋଇକୁ ଆସିଥିବା ସିଇଏସସି ଲିମିଟେଡ, ସେହି ଜିଲ୍ଲାର ହିନ୍ଦୋଳକୁ ଆସିଥିବା ଚମ୍ବଲ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଭେଞ୍ଚର୍ସ, ଝାରସୁଗୁଡାକୁ ଆସିଥିବା କଳିଙ୍ଗ ଏନର୍ଜି, ନୟାଗଡକୁ ଆସିଥିବା ବିଜିଆର ଏନର୍ଜି ଆଦି ସେମାନଙ୍କ ପ୍ରକଳ୍ପରୁ ଓହରି ଯାଇଛନ୍ତି । ତେବେ ଇତି ମଧ୍ୟରେ ପେସ୍କୋ କମ୍ପାନୀ ପୁଣିଥରେ ଓଡିଶା ମୁହାଁ ହେବା ସହିତ ମିଳିତ ଉଦ୍ୟୋଗରେ କେନ୍ଦୁଝରରେ ଇସ୍ପାତ କାରଖାନା ଲାଗି ଆଗ୍ରହ ପ୍ରକାଶ କରିଥିବାବେଳେ ଆର୍ସେଲର ମିତ୍ତଲ କେନ୍ଦ୍ରାପଡା ଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ଆଗକୁ ବଢିବାରେ ଲାଗିଛି ।

ତେବେ ଓଡିଶା ଆସିଥିବା କେତେ ବୃହତ୍‍ ଶିଳ୍ପସଂସ୍ଥା ବର୍ତ୍ତମାନ ସୁଦ୍ଧା ଆଦୌ କାର୍ଯ୍ୟ ଆରମ୍ଭ କରିନାହାନ୍ତି । ସେହି ତାଲିକାରେ ଆମଟେକ୍‍ ମେଟାଲ, ଆଥା ମାଇନ୍ସ, ଦେଓ ମାଇନ୍ସ ଆଣ୍ଡ ମିନେରାଲ୍ସ, କୋଣାର୍କ ଇସ୍ପାତ, ପ୍ରଧାନ ଷ୍ଟିଲ ଆଣ୍ଡ ପାୱାର, ଏସଏସଏଲ୍‍ ଏନର୍ଜି, ଟେକଟନ୍‍ ଇସ୍ପାତ, ୱେଲସ୍ପୁନ୍‍ ପାୱାର, ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର,ଏନଏସଏଲ୍‍ ଓଡିଶା ପାୱାର ଇନଫ୍ରା, ନବ ଭାରତ ପାୱାର, ଜେଏସଏଲ୍‍ ଏନର୍ଜି, ଏସପିଏଲ୍‍ ପୋର୍ଟସ, ଅସ୍ତରଙ୍ଗ ପାୱାର, କେୟୁ ପ୍ରୋଜେକ୍ଟ, ଟିଟାନିୟମ ପ୍ରଡକ୍ଟସ ଓ ଆଧୁନିକ ମେଟାଲିକ୍ସ ଆଦି ରହିଛନ୍ତି ।

ଏଥି ସହିତ ଆଉ କିଛି ବୃହତ୍‍ ଶିଳ୍ପ ପୁନରୁଦ୍ଧାର ଯୋଜନାରେ ଥିବାବେଳେ କିଛି ବୃହତ୍‍ ଶିଳ୍ପସଂସ୍ଥା ମାମଲାରେ ଛନ୍ଦିହୋଇ ଯାଇଛନ୍ତି । କଟକ ଠାରେ ଭିସା ପାୱାରର ପ୍ରସ୍ତାବିତ ପ୍ରକଳ୍ପରେ କୌଣସି ଅଗ୍ରଗତି ନହେବାରୁ ଇଡ୍‍କୋ ପକ୍ଷରୁ ଯୋଗାଯାଇଥିବା ଜମି ବାତିଲ ହୋଇଥିବାବେଳେ ଟିଟିଲାଗଡର ଘଣ୍ଟବାହାଲି ଠାରେ ସାହାରା ପାୱାର କ୍ଷେତ୍ରରେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ଯେଉଁକେତେ ବୃହତ୍‍ ଶିଳ୍ପସଂସ୍ଥା ଓଡିଶାରେ ଏବେ ବି ରହିଛନ୍ତି ସେମାନଙ୍କର ଅଗ୍ରଗତି ସେଭଳି ହେଉନାହିଁ । କିଏ ପାଚେରୀ ନିର୍ମାଣରେ ସୀମିତ ରହିଛି ତ ଆଉ କିଏ ଖଣି ନପାଇବାରୁ ଓଡିଶା ଛାଡିଛି । ତେବେ ଜମି ପାଇବା ଓ ପରିବେଶଗତ ମଞ୍ଜୁରୀରେ ପୂର୍ବରୁ ବିଳମ୍ବ ଯୋଗୁଁ କେତେ ଶିଳ୍ପସଂସ୍ଥା ଆଗେଇ ପାରୁନଥିବାବେଳେ ବର୍ତ୍ତମାନ ଓଡିଶା ମୁହାଁ ହୋଇଥିବା ଶିଳ୍ପସଂସ୍ଥାଗୁଡିକ କିଭଳି ପ୍ରଦର୍ଶନ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)