ଭୁବନେଶ୍ୱର : ଆଉ ଦୁଇ ଦିନ ପରେ କାର୍ତ୍ତିକମାସ ସରିବାକୁ ଯାଉଥିବାବେଳେ ରାଜ୍ୟରୁ ଶୀତ ଏକ ପ୍ରକାର ଉଭାନ ହୋଇଯାଇଛି । ବାତ୍ୟା ମନ୍ଥା ଯିବା ପରେ ପରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଉଥିବାବେଳେ ତାହା ବି ଲୋକେ ତାହା ଅନୁଭୂବ କରିପାରୁ ନାହାନ୍ତି । ଏଥିଯୋଗୁଁ ଏବେ ରାଜଧାନୀ ସମେତ ସାରା ରାଜ୍ୟରେ ଶୀତବସ୍ତ୍ର ବ୍ୟବସାୟୀମାନେ ଏକ ପ୍ରକାର ନିରାଶ ହେବାରେ ଲାଗିଛନ୍ତି ।
ଓଡିଶାରେ ସାଧାରଣତଃ କାର୍ତ୍ତିକ ମାସରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ଲୋକେ ଶୀତବସ୍ତ୍ର ବାହାର କରିବା ସହିତ ନୂଆ ଶୀତବସ୍ତ୍ର ଖରିଦ କରିଥାନ୍ତି । କିନ୍ତୁ ଚଳିତବର୍ଷ କାର୍ତ୍ତିକ ମାସ ସରିବାକୁ ଯାଉଥିବାବେଳେ ରାଜ୍ୟରେ ଶୀତ ଅନୁଭୂତ ହେଉନାହିଁ । ରାଜଧାନୀରେ ରାତ୍ରୀର ତାପମାତ୍ରା ୨୪ ଡିଗ୍ରୀ ଉପରେ ରହୁଥିବାବେଳେ ଦିନର ତାପମାତ୍ର ୩୦ଡିଗ୍ରୀ ଉପରେ ରହୁଛି । ଶୀତବସ୍ତ୍ର ବ୍ୟବହାର କରିବା ବଦଳରେ ବହୁ ସ୍ଥାନରେ ଲୋକେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବ୍ୟବହାର କରୁଛନ୍ତି । ବିନା ଫ୍ୟାନ ପବନରେ ଝାଳ ବୋହି ଯାଉଛି ।
ଏଥିଯୋଗୁଁ ଚଳିତବର୍ଷର ଶୀତବସ୍ତ୍ର ବେପାର ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇପାରି ନାହିଁ । ଯେଉଁ ବ୍ୟବସାୟୀମାନେ ଚଳିତବର୍ଷର ବେପାର ପାଇଁ ଭଳିକି ଭଳି ଶୀତ ପୋଷାକ ମଗାଇଥିଲେ ସେମାନେ ତାହାକୁ ବାହାର କରୁ ନାହାନ୍ତି । ସେହିଭଳି ରାସ୍ତାକଡରେ ମଧ୍ୟ ଶୀତପୋଷାକ ଓ କମ୍ବଳ ଆଦି ଦେଖିବାକୁ ମିଳୁନାହିଁ । ଶୀତ ପୋଷାକ ବିକ୍ରି କରୁଥିବା ବଡ ବଡ କମ୍ପାନୀମାନେ ଲୋକଙ୍କୁ ଆକର୍ଷିତ କରିବାପାଇଁ ଯେଭଳି ବିଜ୍ଞାପନ ପ୍ରକାଶ କରିଥାନ୍ତି ତାହା ବି ହେଉନାହିଁ ।
କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଓଡିଶାରେ ପ୍ରବଳ ଶୀତଳ ଅନୁଭୁତ ହୋଇଥାଏ । ଲୋକେ ଶୀତରେ ଥରି ଥରି ପାହାନ୍ତା ପ୍ରହରରୁ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି । ହେଲେ ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନକ ପରେ ପଡୁଥିବାବେଳେ ଲୋକେ ଗରମରେ ଆଉଟୁ ପାଉଟୁ ହେଉଛନ୍ତି । ଜଳବାୟୁରେ ଏଭଳି ପରିବର୍ତ୍ତନ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମନ୍ଥା ଆନ୍ଧ୍ରପ୍ରଦେଶ ମୁହାଁ ହୋଇଥିଲେ ମଧ୍ୟ ତାହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ହୋଇଥିଲା । ବାତ୍ୟା ଯିବା ପରେ ପରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗବିଜ୍ଞାନୀମାନେ ପୂର୍ବାନୁମାନ କରିଥିଲେ । ହେଲେ ବାତ୍ୟା ଯିବାପରେ ସେଭଳି କିଛି ଅନୁଭୂତ ହେଉନାହିଁ ।
ପାଣିପାଗରେ ଏଭଳି ପରିବର୍ତ୍ତନ ଯୋଗୁଁ କେବଳ ଶୀତବସ୍ତ୍ର କାରବାର ପ୍ରଭାବିତ ହୋଇନାହିଁ, ବଜାରରେ ଶୀତଦିନିଆ ପନି ପରିବାର ଦର ବି ଆକାଶଛୁଆଁ ହୋଇଛି । ବନ୍ଧାକୋବି ଏପର୍ଯ୍ୟନ୍ତ ଆବଶ୍ୟକ ଅନୁଯାୟୀ ବଜାରକୁ ଆସିନଥିବାବେଳେ ଫୁଲକୋବି ଗୋଟିକର ଦର ୪୦ ରୁ ୫୦ ଟଙ୍କା ରହିଛି । ସେଭଳି ବିନ୍ କିଲୋ ୧୦୦ ଟଙ୍କା ଉପରେ ରହୁଛି । ବ୍ୟବସାୟୀମାନେ ଏଥିପାଇଁ ଶୀତ ଉଭାନକୁ ଦାୟୀ କରୁଥିବାବେଳେ ବାତ୍ୟା ମନ୍ଥା ପ୍ରଭାବରେ ହୋଇଥିବା ବର୍ଷା ପନିପରିବା ଦରକୁ ଆହୁରି ମହଙ୍ଗା କରିବ ବୋଲି ଚେତାବନୀ ଦେଲେଣି । (ତଥ୍ୟ)
            
