ଭୁବନେଶ୍ୱର : ପାରାଦ୍ୱୀପ ବନ୍ଦର ଜରିଆରେ କାର୍ଗୋ ରପ୍ତାନୀ ଓ ଆମଦାନୀ ପାଇଁ ବିଶ୍ୱର ବୃହତ୍ତମ କଣ୍ଟେନର୍ ସିପିଂ କମ୍ପାନୀ ଏମ୍.ଏସ୍.ସି. ସହ ଓଡ଼ିଶା ସରକାରଙ୍କ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଚୁକ୍ତି ଅନୁସାରେ କମ୍ପାନୀ ଗୋଟିଏ ଭେସ୍ଲସ୍ରେ ୨୫୦ ଟନ୍ ୟୁନିଟ୍ ସାମଗ୍ରୀ ରପ୍ତାନୀ-ଆମଦାନୀ କରିପାରିବ । ବିଶେଷତଃ ନାଲ୍କୋ, ବେଦାନ୍ତ, ଜେଏସ୍ଡବ୍ଲୁ (ଜିନ୍ଦଲଷ୍ଟିଲ୍), କୋଇଲା, ଖଣିଜ ପଦାର୍ଥ, ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଧାତବ ପଦାର୍ଥ ସହ ଅନ୍ୟାନ୍ୟ କମ୍ପାନୀ, କୃଷି ଓ ଉଦ୍ୟାନ କୃଷି ଭିତ୍ତିକ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟ, ମସଲା ବିଦେଶକୁ ରପ୍ତାନୀକରିବ । ସେହିପରି ବିଦେଶରୁ ମଧ୍ୟ ଆବଶ୍ୟକ ପଦାର୍ଥ ନିର୍ଦ୍ଦିଷ୍ଟ ଓଜନ ପରିମାଣରେ ଆମଦାନୀ କରାଯିବ ।
ଏହି ଅବସରରେ ଏକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ପକ୍ଷରୁଏମ୍.ଏସ୍.ଏମ୍.ଇ ସଚିବ ଶାଶ୍ବତ ମିଶ୍ର ଏବଂ ମେଡିଟେରିଆନ୍ ସିପିଂ କମ୍ପାନୀ ଏମ୍.ଏସ୍.ସିର ଅଧ୍ୟକ୍ଷ କ୍ୟାପ୍ଟେନ୍ ଦୀପକ ତିୱାରୀଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଶ୍ରୀ ଦୀପକ ତିୱାରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହା ଭାରତର କୌଣସି ରାଜ୍ୟରେ ଏପରି ରାଜିନାମା ପୂର୍ବରୁ ହୋଇନଥିଲା । ଏହା ଓଡ଼ିଶାରେ ପ୍ରଥମ କରିସମ୍ଭବ ହୋଇଛି ।
ଓଡ଼ିଶାର କାର୍ଗୋ ଓଡ଼ିଶା ବନ୍ଦର ମଧ୍ୟ ଦେଇ ରପ୍ତାନୀ ହେଉ ବୋଲିମୁଁ ଦୃଢ଼ୋକ୍ତି ପ୍ରକାଶକରୁଛି । ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଭିତ୍ତିକ ରପ୍ତାନୀ ଆମଦାନୀ ପାଇଁ କଣ୍ଟେନର ମାଧ୍ୟମରେ ସିପିଂ ହେବା ଆମର ଲକ୍ଷ୍ୟ । ଏମ୍.ଏସ୍.ସିର ଭେସ୍ଲସ୍ ପାରାଦ୍ୱୀପ ଠାରୁ ଖୁବ୍ଶୀଘ୍ର ଆରମ୍ଭ ହେବ । ଏହି ଚୁକ୍ତିସ୍ୱାକ୍ଷର ଅନୁଯାୟୀ ପ୍ରଥମ ଥର ପାରାଦ୍ୱୀପରୁ ଶ୍ରୀଲଙ୍କାର କଲମ୍ବୋ ପର୍ଯ୍ୟନ୍ତ ରପ୍ତାନୀ ଆରମ୍ଭ କରାଯିବ ।
ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଯଦିଓ ଭାଇଜାକ୍ ଓ ହଳଦିଆ ମଧ୍ୟ ଦେଇ ଓଡ଼ିଶା ଦ୍ରବ୍ୟ ରପ୍ତାନୀ ହେଉଥିଲା, ବର୍ତ୍ତମାନ ଛତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗର କିଛି ଅଂଶ ଓ ବାଙ୍ଗଲାଦେଶ ପରାଦ୍ୱୀପ ପୋର୍ଟ ଜରିଆରେ ଆମଦାନୀ-ରପ୍ତାନୀ ପାଇଁ ଆଗ୍ରହ ପ୍ରକାଶକରୁଛନ୍ତି ।
ପାରାଦ୍ୱୀପ ପୋର୍ଟର ଉପାଧ୍ୟକ୍ଷ ଶ୍ରୀନିଳାମ୍ବର ଦାସ୍ଗୁପ୍ତା ଏହି ଅବସରରେ କହିଥିଲେ ଯେ ବହୁ ଶତାବ୍ଦୀ ପରେ ପୁଣି ସାମୁଦ୍ରିକ ବାଣିଜ୍ୟ ଆରମ୍ଭ ହେବାରଏକନୂଆ ଯୁଗ ସୃଷ୍ଟି ହୋଇଛି । ପାରାଦ୍ୱୀପ ପୋର୍ଟର ଇକୋସିଷ୍ଟମ୍, ଆଧୁନିକ କଣ୍ଟେନର, ଆଧୁନିକ କାର୍ଗୋ କଣ୍ଟେନର ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟିକ ଅର୍ଥନୀତିକୁ ସୁଦୃଢ଼ କରିପାରିଛି । ପାରାଦ୍ୱୀପ ପୋର୍ଟ ୧୦୦ ମିଲିୟନ୍ ମେଟ୍ରିକ ଟନ୍ କାର୍ଗୋ ରପ୍ତାନୀ-ଆମଦାନୀରେ ପହଞ୍ଚିସାରିଛି । ଏହି ଅବସରରେ ଶ୍ରୀ ଦାସ୍ଗୁପ୍ତା କହିଥିଲେ ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବହନ କ୍ଷେତ୍ରରେ ୭୫% ରିହାତି ପ୍ରଦାନ କରାଯିବ । ଓଡ଼ିଶାରୁ ଓଡ଼ିଶାର କାର୍ଗୋ ଓ ଓଡ଼ିଶାକୁ ଓଡ଼ିଶା କାର୍ଗୋ ପାରାଦ୍ୱୀପ ପୋର୍ଟର ଲକ୍ଷ୍ୟ ଅଟେ ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କଷ୍ଟମ୍ କମିଶନର ଶ୍ରୀ ମାଧବ ଚନ୍ଦ୍ର ମିଶ୍ର କଷ୍ଟମ୍ ନିୟମ ଅନୁସାରେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମୁଖ୍ୟ ଅତିଥି ଭାବରେ ଯୋଗଦେଇଏମ୍.ଏସ୍.ଏମ୍.ଇ ଓ ଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଏମ୍.ଏସ୍.ଏମ୍.ଇ କ୍ଷେତ୍ରରେ ୧୨୭,୦୦୦ କୋଟି ଟଙ୍କାର କାରବାର ହୋଇଥିଲା । ମେଡିଟେରିଆନ୍ ସିପିଂ କମ୍ପାନୀ ଏମ୍.ଏସ୍.ସି ପ୍ରାଇଭେଟ୍ ଲିମିଟେଡ୍ର ପାରାଦ୍ୱୀପ ପୋର୍ଟ ଜରିଆରେ ନିୟମିତ କଣ୍ଟେନର କାର୍ଗୋ ରପ୍ତାନୀ-ଆମଦାନୀ ଦ୍ୱାରା ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ସାମାଜିକ ଓ ଅର୍ଥନୈତିକ ବିକାଶରେଏହା ଯଥେଷ୍ଟ ସହାୟକ ହେବ । ସମସ୍ତ ଷ୍ଟେକ୍ ହୋଲଡର୍, ଏମ୍.ଏସ୍.ସି ଏବଂ ରାଜ୍ୟ ସରକାର ଉପକୃତ ହେବେ ।
ଶେଷରେଏମ୍.ଏସ୍.ଏମ୍.ଇ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଭୂତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।