Home General କାରାମୁକ୍ତି ପ୍ରୟାସ ଜାରି

କାରାମୁକ୍ତି ପ୍ରୟାସ ଜାରି

ଭୁବନେଶ୍ୱର : ଗ୍ରାହାମ୍‍ ଷ୍ଟେନ୍‍ସ ଓ ତାଙ୍କ ଦୁଇ ନାବାଳକ ସନ୍ତାନଙ୍କୁ ଜୀଅନ୍ତା ପୋଡ଼ି ମାରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମୁଖ୍ୟ ଅପରାଧୀ ରବୀନ୍ଦ୍ର କୁମାର ପାଲ୍‍ ଓରଫ ଦାରା ସିଂର ମୁକ୍ତି ପାଇଁ ତାହାର ଅନ୍ୟ ଜଣେ ସହ ଅପରାଧୀ ଏବେ ଭାରତର ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦାରାଙ୍କୁ କ୍ଷମା ଦିଆଯାଇ କାରାମୁକ୍ତ କରିବା ପାଇଁ ଏହି ସହଅଭିଯୁକ୍ତ ତାଙ୍କ ଆବେଦନରେ ଦର୍ଶାଇଥିବା ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଆଇନ୍‍ ଅଦାଲତ ଦାରା ସିଂକୁ ଫାଶୀ ଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ୧୨ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଦାରା ସିଂଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡକୁ ବଦଳାଇଥିଲେ । ଏଥିସହ ଯେଉଁ ୧୨ଜଣ ଆସାମୀଙ୍କ ପ୍ରତି ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଖଲାସ କରିଦେବା ସହ ମହେନ୍ଦ୍ର ହେମ୍ବ୍ରମ୍‍ ନାମକ ସହଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୯୯ ଜାନୁଆରୀ ୨୧ ତାରିଖରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିକଟବର୍ତ୍ତୀ ମନୋହରପୁର ଠାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ୍‍ ଷ୍ଟେନ୍‍ସ ଓ ତାଙ୍କ ଦୁଇ ନାବାଳକ ପୁଅ କିମୋତି ଓ ଫିଲିଫ୍‍ ଗାଡ଼ି ଭିତରେ ଶୋଇଥିବା ବେଳେ ସେମାନଙ୍କୁ ଦାରା ସିଂ ଓ ତାଙ୍କର କିଛି ସମର୍ଥକ ଜୀଅନ୍ତା ପୋଡ଼ି ମାରିଥିବା ଘେନି ଅଭିଯୋଗ ହୋଇଥିଲା ।

ଦାରାଙ୍କୁ କାରାମୁକ୍ତ କରିବା ପାଇଁ ଅତୀତରେ ବହୁବାର ତାଙ୍କ ସମର୍ଥକ ଓ ପ୍ରଶଂସକମାନେ ବିଭିନ୍ନ ସ୍ଥାନରେ ଧାରଣା ଧର୍ମଘଟ ସହିତ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ଏମିତିକି ଜେଲ୍‍ ସମ୍ମୁଖରେ ବି କିଛି ରାଜନେତା ଦାରାଙ୍କ ମୁକ୍ତି ଦାବି କରି ଧାରଣାରେ ବସିବାର ନଜିର ରହିଛି । ଇତିମଧ୍ୟରେ କାରାମୁକ୍ତ ହେବା ପାଇଁ ଦାରା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏହି ମାମଲା ବିଚାରାଧୀନ ରହିଛି ।

ଅନ୍ୟପକ୍ଷରେ ଦାରାଙ୍କ ସହ ଅପରାଧୀ ମହେନ୍ଦ୍ର ହେମ୍ବ୍ରମ୍‍ ଆଜୀବନ କାରା ଦଣ୍ଡାଦେଶ ଭୋଗୁଥିବା ବେଳେ ଗତ ଏପ୍ରିଲ ମାସରେ ତାଙ୍କୁ ଓଡ଼ିଶା ସରକାର କାରାମୁକ୍ତ କରିଛନ୍ତି । ଜେଲ୍‍ରେ ତାଙ୍କ ଆଚରଣର ସମୀକ୍ଷା କରିବା ସହିତ ଏଥିଲାଗି ଥିବା ରାଜ୍ୟସ୍ତରୀୟ କମିଟିର ସୁପାରିସ ଆଧାରରେ ମହେନ୍ଦ୍ର ହେମ୍ବ୍ରମ୍‍ଙ୍କୁ ସରକାର ଛାଡ଼ିଛନ୍ତି । ତେଣେ ସୁପ୍ରିମକୋର୍ଟରେ ଦାରା ରୁଜୁ କରିଥିବା ମାମଲା ଫଇସଲା ହେବାକୁ ବିଳମ୍ବ ଘଟୁଥିବା ପରିପ୍ରେକ୍ଷୀରେ ଏହି ହତ୍ୟାକାଣ୍ଡରେ ଦାରାଙ୍କ ସହ କାରାଦଣ୍ଡ ଭୋଗି ମୁକ୍ତ ହୋଇଥିବା ମହେନ୍ଦ୍ର ହେମ୍ବ୍ରମ୍‍ ଦାରାଙ୍କ ମୁକ୍ତି ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛନ୍ତି ।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରପତିଙ୍କ ରାଜକ୍ଷମା ପ୍ରଦାନ କରିବା ଅଧିକାର ରହିଛି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଜଣେ ଅପରାଧୀଙ୍କୁ ରାଜ୍ୟ ସରକାର ମୁକ୍ତ କରିଥିବାବେଳେ ଅନ୍ୟ ଜଣେ ଅପରାଧୀଙ୍କୁ ରାଷ୍ଟ୍ରପତି ରାଜକ୍ଷମା ଦେବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । ତେବେ ଏ ପ୍ରସଂଗ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଏହା ଉପରେ ହୁଏତ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେଇନପାରନ୍ତି । ବିଧିବିଶେଷଜ୍ଞମାନେ କହୁଛନ୍ତି ଯେ ଦାରା ମୁକ୍ତି ପ୍ରସଂଗରେ ରାଷ୍ଟ୍ରପତି ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମତ ଲୋଡ଼ିପାରନ୍ତି ।

ଆଇନ୍‍ଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ଆମେରିକା ତାହାର ଅଧିବାସୀମାନଙ୍କୁ ଯେଉଁ ସତର୍କତା ମୂଳକ ମାର୍ଗ ନିର୍ଦ୍ଦେଶିକା ଜାରି କରିଛି ସେଥିରେ ଦେଶର ଯେଉଁ କେତେକ ରାଜ୍ୟକୁ ଅପରାଧପ୍ରବଣ ବୋଲି ସୂଚନା ଦିଆଯାଇଛି ତାହା ମଧ୍ୟରେ ଓଡ଼ିଶାର ନାମ ରହିଛି । ଏଭଳି ସ୍ଥିତିରେ ଜଣେ ଅଷ୍ଟ୍ରେଲୀୟ ମିଶନାରୀ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜୀଅନ୍ତା ପୋଡ଼ି ମାରିଥିବା ଅଭିଯୋଗ ଆଇନ୍‍ ଅଦାଲତରେ ପ୍ରମାଣିତ ହେବା ପରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ମୁଖ୍ୟ ଅଭିଯୁକ୍ତ ଦାରା ମୁକ୍ତ ହେବେ କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ । ଏହି ହତ୍ୟାକାଣ୍ଡର ବର୍ଷକ ପରେ ଫେରାର ଆସାମୀ ଦାରାଙ୍କୁ ୨୦୦୦ ମସିହା ଜାନୁଆରୀ ମାସରେ ଗିରଫ କରାଯାଇଥିଲା । ଇତିମଧ୍ୟରେ ସେ ୨୫ବର୍ଷରୁ ଅଧିକ ସମୟ କାରାଗାରରେ କଟାଇ ସାରିଲେଣି ।(ତଥ୍ୟ)