Home General କାମ ପାଇଛନ୍ତି ୩୩ଲକ୍ଷରୁ ଅଧିକ

କାମ ପାଇଛନ୍ତି ୩୩ଲକ୍ଷରୁ ଅଧିକ

ଭୁବନେଶ୍ୱର : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗତ ଆର୍ଥିକ ବର୍ଷରେ ରାଜ୍ୟରେ ୩୩.୭୭ ଲକ୍ଷ ଶ୍ରମିକ କାମ ପାଇଥିବାବେଳେ ମୟୁରଭଞ୍ଜ ଜିଲ୍ଲା ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି । ଏହା ପଛକୁ ଗଞ୍ଜାମ, ସୁନ୍ଦରଗଡ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲା ରହିଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାଶୱାନ ।

ବିଜେଡି ସାଂସଦ ମୁନ୍ନା ଖାନ୍‍ଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାରେ ୩୩ଲକ୍ଷ ୭୭ହଜାର ଶ୍ରମିକ ଏମଜିଏନ୍‍ଆରଇଜିଏସ୍‍ରେ କାମ ପାଇଛନ୍ତି । ଏହି ଯୋଜନାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିୟମିତ ଭାବେ ଅର୍ଥ ପ୍ରଦାନ କରାଯାଇଥାଏ । ଶ୍ରମିକମାନେ ଡିବିଟି ଜରିଆରେ ପାରିଶ୍ରମକ ପାଇଥାନ୍ତି । ଚଳିତ ଆର୍ଥିକବର୍ଷର ଅଗଷ୍ଟ ୪ତାରିଖ ସୁଦ୍ଧା ଓଡିଶାକୁ ଏ ବାବଦରେ ୧୬୪୮ କୋଟି ୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏଥିରେ ୨୦୨୪-୨୫ ବର୍ଷର ଶତ ପ୍ରତିଶତ ବାକିଆ ଅର୍ଥ ପ୍ରଦାନ କରାଯାଇଛି । ଏହାବାଦ୍‍ ଏଥିରେ ସାଜ ସରଞ୍ଜାମ ପାଇଁ ୨୩୬କୋଟି ୪୧ ଲକ୍ଷ ଟଙ୍କା ଏବଂ ପ୍ରଶାସନିକ ବ୍ୟୟ ବାବଦକୁ ୪୩ କୋଟି ୮୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ମଷ୍ଟରରୋଲ୍‍ ବନ୍ଦ ହେବାର ୧୫ ଦିନ ମଧ୍ୟରେ ୯୯.୮୮ ପ୍ରତିଶତ ଅର୍ଥ ରାଜ୍ୟକୁ ପ୍ରଦାନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏମଜିଏନଆରଇଜିଏସ୍‍ ଯୋଜନାରେ ମଜୁରୀ ଓ ପ୍ରଶାସନିକ ବ୍ୟୟ ବାବଦରେ ୧୦୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରୁଥିବାବେଳେ ମେଟେରିଆଲ କମ୍ପୋନେଣ୍ଟ ବାବଦରେ ୭୫ ପ୍ରତିଶତ ଅର୍ଥ ପ୍ରଦାନ କରିଥାନ୍ତି । ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଅବଶିଷ୍ଟ ୨୫ ପ୍ରତିଶତ ଅର୍ଥ ବହନ କରିଥାନ୍ତି । ତେବେ ମୋଟ୍‍ ବ୍ୟୟର ୪୦ ପ୍ରତିଶତ ମେଟେରିଆଲ କମ୍ପେନେଣ୍ଟ ବାବଦରେ ବ୍ୟୟ ହୋଇଥାଏ ଏବଂ ଜିଲ୍ଲା ସ୍ତରରେ ଏହାର ସୀମା ନିର୍ଦ୍ଧାରିତ ହୋଇଥାଏ ।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି କେନ୍ଦ୍ରୀୟ ଯୋଜନାରେ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷାପାଇଁ ସେମାନଙ୍କ ହାତକୁ କାମ ଯୋଗାଇଦେବା ସକାଶେ ବର୍ଷକୁ ଅତି କମ୍‍ରେ ୧୦୦ ଦିନର ନିଶ୍ଚିତ କାମ ମିଳିଥାଏ । ପରିବାରର ପ୍ରତ୍ୟେକ ସଦସ୍ୟ ବର୍ଷକୁ ଏହି ୧୦୦ ଦିନର ଅଣକୁଶଳୀ କାର୍ଯ୍ୟ କରିଥାନ୍ତି । ଏମଜିଏନଆରଇଜିଏସ୍‍ ଯୋଜନାରେ ଗୁଣାତ୍ମକ କର୍ମଯୋଗାଣ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ମଧ୍ୟରେ ସବୁଠାରୁ ଆଗରେ ଡିବିଟି ରହିଛି । ଏହା ଜରିଆରେ ଶ୍ରମିକମାନଙ୍କର ବ୍ୟାଙ୍କ୍‍ କିମ୍ବା ପୋଷ୍ଟ ଅଫିସ୍‍ ଖାତାକୁ ସିଧାସଳଖ ମଜୁରୀ ପଠାଯାଇଥାଏ ।

ସେହିଭଳି ନେସନାଲ ମୋବାଇଲ୍‍ ମନିଟରିଂ ସେବା ଦ୍ୱାରା ଶ୍ରମିକମାନଙ୍କ କାର୍ଯ୍ୟର ଜିଓ ଟ୍ୟାଗିଂ ସହିତ ଦିନକୁ ଦୁଇଥର ଫଟୋ ଉଠାଯାଇଥାଏ । ଯୋଜନାରେ ସ୍ୱଚ୍ଛତା ଆଣିବାରେ ଏହି ଆପ୍‍ ବେଶ୍‍ ସହାୟକ ହୋଇଛି । ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟ କିଭଳି ହେଉଛି ଉପଗ୍ରହ ଜରିଆରେ ତାହାର ସୂଚନା ସଂଗ୍ରହ କରାଯାଉଛି । ଶ୍ରମିକମାନେ କେତେ କାମ କରି କେଉଁ ହାରରେ ପାରିଶ୍ରମିକ ପାଉଛନ୍ତି ତାହାର ତଦାରଖ ପାଇଁ ‘ସିକ୍ୟୁଅର’ ନାମ ସଫ୍ଟୱର ବ୍ୟବହାର କରାଯାଉଛି । ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ସହିତ ଏହାର ସଫଳତା ପାଇଁ ‘ଜନ୍ମନରେଗା’ ଆପ୍‍ କାର୍ଯ୍ୟକାରୀ ହେଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)