Home Excise କାମ ଦେଉନି ନିଶା ନିବାରଣ ସଚେତନତା

କାମ ଦେଉନି ନିଶା ନିବାରଣ ସଚେତନତା

ଭୁବନେଶ୍ୱର : ମଦ ବ୍ୟବହାର ହ୍ରାସ ଓ ମଦ ପିଇବାର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଗତ ୧୦ବର୍ଷ ମଧ୍ୟରେ ଓଡିଶା ରାଜ୍ୟ ମଦ ନିଗମ ୪.୬୯କୋଟିରୁ ଅଧିକ ଟଙ୍କ ଖର୍ଚ୍ଚ ସରିଲାଣି । ଏହି ଅର୍ଥ ଓଡିଶା ରାଜ୍ୟ ମଦ ନିଗମ ତାହାର ସିଏସଆର ପାଣ୍ଠିରୁ ବ୍ୟୟ କରିଥିବାବେଳେ ମଦ ବିକ୍ରି କମିବା ବଦଳରେ ବଢି ବଢି ଚାଲିଛି ।

ଲୋକେ କିଭଳି ମଦ ଠାରୁ ଦୂରେଇ ରହିବେ ସେଥିପାଇଁ ରାଜ୍ୟରେ ମଦ ବ୍ୟବସାୟ କରୁଥିବା ସରକାରୀ ସଂସ୍ଥା ଓଡିଶା ରାଜ୍ୟ ମଦ ନିଗମ ଅର୍ଥ ବ୍ୟୟ କରୁଛି । ନିଗମ ତାହାର ସିଏସଆର ପାଣ୍ଠିରୁ ଗତ ୧୦ବର୍ଷ ମଧ୍ୟରେ ୪.୬୯ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଥିବାବେଳେ ଏଥିରେ ଗଣଦୌଡ, ତର୍କ, ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରହିଛି ।

ତେବେ କୋଟି କୋଟି ଟଙ୍କା ବ୍ୟୟ ସତ୍ୱେ ଲୋକେ କିନ୍ତୁ ସେଭଳି ସଚେତନ ହେଉନାହାନ୍ତି । କାରଣ ଏହି ସମୟରେ ଅବକାରୀ ରାଜସ୍ୱ ପରିମାଣ ହୁ ହୁ ହୋଇ ବଢିବାରେ ଲାଗିଛି । ଅବକାରୀ ରାଜସ୍ୱର ସିଂହ ଭାଗ ଆସୁଛି ମଦ କାରବାରରୁ । ଅନ୍ୟ ଯେଉଁସବୁ ଅବକାରୀ ସାମଗ୍ରୀ ଉପରୁ ଟିକସ ଆଦାୟ ହେଉଛି ତାହା ଅତ୍ୟନ୍ତ ନଗଣ୍ୟ । ମଦ ଦୋକାନ ଲାଇସେନ୍ସରୁ ହିଁ ଅଧିକ ଅବକାରୀ ରାଜସ୍ୱ ମିଳୁଛି ।

ଗୋଟିଏ ପଟେ ସଚେତନତା ପାଇଁ ଓଡିଶା ରାଜ୍ୟ ମଦ ନିଗମ କୋଟି କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନ୍ୟପଟେ କିନ୍ତୁ ଲାଇସେନ୍ସଧାରୀ ମଦ ଦୋକାନୀମାନଙ୍କ ପାଇଁ ମଦ ଉଠାଇବାର କୋଟା ଧାର୍ଯ୍ୟ କରୁଛି । ଯେଉଁମାନେ କୋଟା ପୂରଣ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉଛି । ଯେଉଁଥିପାଇଁ ରାଜ୍ୟରେ ଅବକାରୀ ରାଜସ୍ୱ ପରିମାଣ ପ୍ରତିବର୍ଷ ବଢିବାରେ ଲାଗିଛି ।

୨୦୧୨-୧୩ ରେ ରାଜ୍ୟରୁ ପ୍ରାୟ ୧୫୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଥିବାବେଳେ ୨୦୧୭-୧୮ରେ ଏହା ତିନି ହଜାର କୋଟି ଟଙ୍କାକୁ ଅତିକ୍ରମ କରିଯାଇଥିଲା । ୨୦୧୯-୨୦ ବର୍ଷରେ ରାଜ୍ୟରୁ ୪୪୯୫ କୋଟିରୁ ଅଧିକ ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୫୫୨୮ କୋଟି ଏବଂ ୨୦୨୨-୨୩ ବର୍ଷରେ ୬୪୫୫ କୋଟି ଟଙ୍କାକୁ ଟପିଯାଇଛି ।

କେବଳ ଲାଇସେନ୍ସପ୍ରାପ୍ତ ଦୋକାନରେ ମଦ ବେପାର ବଢୁନାହିଁ, ରାଜ୍ୟରେ ଚୋରା ମଦ କାରବାର ମଧ୍ୟ ବଢିବାରେ ଲାଗିଛି । ଅବକାରୀ ବିଭାଗର ଧରପଗଡରେ ବର୍ଷକୁ ବର୍ଷ ଅଧିକ ପରିମାଣରେ ମାଦକଦ୍ରବ୍ୟ ଧରାପଡୁଛି । ୨୦୧୮-୧୯ ରେ ରାଜ୍ୟରେ ୯୩୯୬ ଏଲପିଏଲ୍‍ ବିଦେଶୀ ମଦ ଧରାପଡିଥିବାବେଳେ ୨୦୨୨-୨୩ ରେ ତାହା ୨୩,୫୫୪ ଏଲ୍‍ପିଏଲ୍‍ରେ ପହଞ୍ଚିଛି । ସେହିଭଳି ୨୦୧୮-୧୯ ରେ ରାଜ୍ୟରେ ୧୨,୦୭୧ ଲିଟର ବିୟର ଧରାପଡିଥିବାବେଳେ ୨୦୨୨-୨୩ ରେ ତାହା ୨୦ହଜାର ଲିଟରକୁ ଅତିକ୍ରମ କରିଯାଇଛି ।

ଗୋଟିଏ ପଟେ ରାଜ୍ୟ ସରକାର ତାଙ୍କ ଯୁବ ନୀତିରେ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଇଥିବାବେଳେ ଅନ୍ୟପଟେ ମଦ ଭଳି ନିଶା ଠାରୁ ଦୂରେଇ ରହିବାପାଇଁ ମଦ ନିଗମ କୋଟି କୋଟି ଟଙ୍କା ବ୍ୟୟ କରୁଛି । ବେଆଇନ୍‍ ନିଶା କାରବାରକୁ ପ୍ରତିହତ କରିବାପାଇଁ ଅବକାରୀ ଓ ପୁଲିସ୍‍ ବିଭାଗ ମିଳିତ ଭାବେ ଚଢାଉ ଚଳାଇଛନ୍ତି । ଏହା ବାଦ୍‍ ବି ରାଜ୍ୟରେ ମଦ ସମେତ ଅନ୍ୟାନ୍ୟ ନିଶା କାରବାର ବଢିବାରେ ଲାଗିଥିବାରୁ ନିଶାନିବାରଣ ସଚେତନତାର ପ୍ରଭାବ ସେଭଳି ଭାବେ ଯୁବବର୍ଗଙ୍କ ଉପରେ ପଡୁନଥିବା କୁହାଯାଉଛି । (ତଥ୍ୟ)