ଭୁବନେଶ୍ୱର : ଧର୍ମକୁ ନେଇ ରାଜନୀତି ସାଧାରଣ ଲୋକେ ଗ୍ରହଣ କରୁନାହାନ୍ତି । ସଦ୍ୟ ସମାପ୍ତ ନିର୍ବାଚନରେ ଏହାର ଝଲକ୍ ଦେଖାଦେଇଛି । ଜାତୀୟ ସ୍ତରରେ ଶ୍ରୀରାମ ମନ୍ଦିର ଓ ଆମ ରାଜ୍ୟରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯେଉଁମାନେ ପ୍ରସଙ୍ଗ କରି ନିର୍ବାଚନରେ ଅଧିକ ଆସନ ଦଖଲ କରିବେ ବୋଲି ଆଶା ବାନ୍ଧିଥିଲେ ସେମାନେ ନିରାଶ ହୋଇଛନ୍ତି ।
ଗୋଟିଏ ସମୟରେ ଶ୍ରୀରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ବିବାଦ ପ୍ରସଙ୍ଗରେ ବିଜେପି ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାର ପ୍ରଭାବ ଏବଂ ବାବ୍ରି ମସ୍ଜିଦ୍ ଭଙ୍ଗା ଓ ତତ୍ପରବର୍ତ୍ତୀ ଅବସ୍ଥାରୁ ବିଜେପି ବେଶ୍ ରାଜନୈତିକ ଫାଇଦା ଉଠାଇଥିଲା । ଏହି ପ୍ରସଙ୍ଗକୁ ଅଣବିଜେପି ଦଳମାନେ ସେତେବେଳେ ଠିକଣା ଭାବେ ଠଉରାଇ ନପାରି ବେଶ୍ କ୍ଷତିଗ୍ରସ୍ତ ହୋଇଥିଲେ । ଉତ୍ତର ଭାରତରେ ଏହି ପ୍ରସଙ୍ଗ ପ୍ରାୟ ତିନି ଦଶନ୍ଧି ଧରି ରାଜନୀତିକୁ ପ୍ରଭାବିତ କରିଆସୁଥିଲା । ୨୦୧୯ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ତାହାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା ଏବଂ ୨୦୨୪ର ନିର୍ବାଚନ ପୂର୍ବରୁ ଗତ ଜାନୁଆରୀ ମାସରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏବର୍ଷ ନିର୍ବାଚନରେ ରାମମନ୍ଦିରକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିଥିବାବେଳେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଥିବା ଫୈଜାବାଦ୍ ସଂସଦୀୟ କ୍ଷେତ୍ରରେ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କଠାରୁ ବିଜେପି ପରାସ୍ତ ହୋଇଛି । କେବଳ ସେତିକି ନୁହେଁ ଉତ୍ତରପ୍ରଦେଶରେ ଥିବା ୮୦ଟି ଲୋକସଭା ଆସନ ମଧ୍ୟରୁ ୨୦୧୯ରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୬୪ଟି ଆସନ ପାଇଥିବାବେଳେ ୨୦୨୪ରେ କିନ୍ତୁ ମାତ୍ର ୩୬ଟିରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି । ଅନ୍ୟପକ୍ଷରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମେଣ୍ଟ ଏଥର ଉତ୍ତରପ୍ରଦେଶରେ ୪୩ଟି ସଂସଦୀୟ କ୍ଷେତ୍ର ଅକ୍ତିଆର କରିଛି । କେବଳ ସେତିକି ନୁହେଁ ଏଠାରୁ ସ୍ମୃତି ଇରାନୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ପରାସ୍ତ ହୋଇଛନ୍ତି ଏବଂ ରାହୁଲ ଗାନ୍ଧୀ ରାଏବରେଲିରୁ ବିପୁଳ ଭୋଟ ବ୍ୟବଧାନରେ ଜିଣିଛନ୍ତି ।
ଓଡ଼ିଶାରେ ବିଜେଡି ନେତୃତ୍ୱାଧିନ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ବି ନିର୍ବାଚନୀ ଏଜେଣ୍ଡା କରିଥିଲା । ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପୁରୀରେ ପ୍ରାୟ ୪ହଜାର ୨ଶହ କୋଟି ଟଙ୍କା ବ୍ୟୟ କରାଯାଇଥିବା କୁହାଯାଉଛି । ଏହି ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ଓ ପ୍ରତିଷ୍ଠା ଅବସରରେ ସାରା ରାଜ୍ୟରେ ଛୋଟ ଛୋଟ ଗାଡିରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖାଯାଇ ପରିକ୍ରମା କରାଯାଇଥିଲା ଏବଂ ଲୋକେ ଶ୍ରଦ୍ଧା ଓ ଭକ୍ତିରେ ଏହି କାର୍ଯ୍ୟ ପାଇଁ ଟନ୍ ଟନ୍ ଚାଉଳ ସହିତ କୋଟି କୋଟି ଟଙ୍କା ଏବଂ ଗୁଆ, ନଡିଆ ଓ ଲୁଗା ଆଦି ବହୁ ସାମଗ୍ରୀ ବି ସମର୍ପଣ କରିଥିଲେ ।
ସଦ୍ୟସମାପ୍ତ ନିର୍ବାଚନରେ ବିଜେଡି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରମୁଖ ପ୍ରସଙ୍ଗ କରିବା ସହ ବିରୋଧୀଙ୍କୁ କଡା ସମାଲୋଚନା କରିଥିଲା । ଏସବୁ ସତ୍ତ୍ୱେ ପୁରୀ ସଂସଦୀୟ କ୍ଷେତ୍ରଟି ବିଜେଡି ହାତରୁ ଏଥର ବିଜେପି ଛଡାଇ ନେଇଛି । ସେହିଭଳି ସମ୍ବଲପୁରରେ ମା’ ସମଲେଇ ପ୍ରକଳ୍ପ ଘେନି ଜୋରଦାର୍ ରାଜନୀତି ହୋଇଥିଲେ ବି ସେହି କ୍ଷେତ୍ରକୁ ମଧ୍ୟ ବିଜେପି ପୁନର୍ବାର ଦଖଲ କରିଛି । ରାଜ୍ୟର ବହୁ ଧର୍ମାନୁଷ୍ଠାନ ପାଇଁ ନିର୍ବାଚନ ପୂର୍ବରୁ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରାଯାଇଥିଲା । ତେବେ ସଂସଦୀୟ ନିର୍ବାଚନରେ ଧର୍ମପୀଠ ନାମରେ ରାଜନୀତି କିନ୍ତୁ ଲୋକଙ୍କୁ ହୃଦୟକୁ ବିଶେଷ ଛୁଇଁ ପାରିଲା ନାହିଁ । ଏମିତିକି ନିର୍ବାଚନୀ ସଭାରେ ଏଥର ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ ଓ ଅନ୍ୟାନ୍ୟ ଦେବଦେବୀଙ୍କ ଜୟଗାନ କରାଯାଇଥିଲେ ବି ତାହାର ପ୍ରତିକୂଳ ପ୍ରଭାବ ପଡିଛି ।
ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି ଯେ ରାଜନୈତିକ ନେତାମାନେ ଧର୍ମପ୍ରାଣ ହେବା ଭଲ, କିନ୍ତୁ ଧର୍ମକୁ ନେଇ ରାଜନୀତି କଲେ ତାହାର କିଭଳି ପ୍ରତିକୂଳ ଫଳାଫଳ ମିଳେ ସେକଥା ୨୦୨୪ର ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରୁ ଓଡ଼ିଶା ପର୍ଯ୍ୟନ୍ତ ଦେଶର ପ୍ରାୟ ସବୁ ରାଜ୍ୟରେ ବାରି ହୋଇଯାଉଛି । ଦେଶ ଓ ରାଜ୍ୟ ଏବଂ ବ୍ୟକ୍ତିଙ୍କ ସମସ୍ୟକୁ ଗୁରୁତ୍ୱ ଦେଇ ବିକାଶ କରିବା ପରିବର୍ତ୍ତେ ଧର୍ମ ନାମରେ ରାଜନୈତିକ ବିଭେଦ ସୃଷ୍ଟି କରାଯିବା ଫଳରେ ଅଶେଷ କ୍ଷତି ଘଟୁଛି । ରାଜନୈତିକ ଦଳ ଓ ତାହାର କର୍ମୀମାନେ ଯଦି ଏକଥା ୨୦୨୪ ନିର୍ବାଚନ ବିଶ୍ଳେଷଣରୁ ନ ଶିଖନ୍ତି ତେବେ ସେମାନଙ୍କୁ ବହୁମୂଲ୍ୟ ଭବିଷ୍ୟତରେ ଦେବାକୁ ପଡିବାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)