ଭୁବନେଶ୍ୱର : ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ପରିବହନ ବ୍ୟବସ୍ଥା ଅଧିକାଂଶ ଭାବେ ଅଟୋରିକ୍ସା ଉପରେ ନିର୍ଭର କରୁଥିବାବେଳେ ମିଟର ଅନୁଯାୟୀ ଭଡା ଆଦାୟ ବ୍ୟବସ୍ଥା ହୋଇପାରିଲା ନାହିଁ । ଫଳରେ ଅଟୋଚାଳକମାନେ ମନଇଚ୍ଛା ଲୋକଙ୍କ ଠାରୁ ଭଡା ଆଦା କରୁଛନ୍ତି ।
ଅଟୋରିକ୍ସାରେ ମିଟର ଲଗାଇବା ବାଧ୍ୟତାମୂଳକ । ଯାତ୍ରୀମାନେ ଯେତିକି ସମୟ ଯାତ୍ରା କରିବେ ମିଟରରେ ଉଠୁଥିବା ଭଡା ଅନୁଯାୟୀ ଟଙ୍କା ଦେବେ । ତେଣୁ ନୂତନ ଅଟୋ ପଞ୍ଜିକରଣ ସମୟରେ ମିଟର ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ନୂଆ ଅଟୋ ପଞ୍ଜିକରଣ ସମୟରେ ମିଟର ଲଗାଯାଉଛି । ହେଲେ ପଞ୍ଜିକରଣ ସରିଲା ମାତ୍ରେ ଚାଳକମାନେ ତାହାକୁ କାଢି ଘରେ ରଖି ଦେଉଛନ୍ତି ।
ଅବସ୍ଥା ଏଭଳି ହୋଇଛି ଯେ ସହରବାସୀ ମିଟର ଅନୁଯାୟୀ ଭଡା ପଇଠ ସଂକ୍ରାନ୍ତରେ ଭୁଲି ଗଲେଣି । ଅଟୋ ଚାଳକମାନେ ଯେତିକି ଦାବି କରୁଛନ୍ତି ସେତିକି ଗଣିବାକୁ ଲୋକେ ବାଧ୍ୟ ହେଉଛନ୍ତି । ଯଦିଓ ଓଲା, ଉବେର ଆଦିରେ ପଞ୍ଜିକୃତ ହୋଇଥିବା ଅଟୋଗୁଡିକ ସ୍ଥିରୀକୃତ ଦର ଆଦାୟ କରୁଛନ୍ତି, ତଥାପି ମିଟର ଭଡା ସଂକ୍ରାନ୍ତରେ ଲୋକେ ଅନଭିଜ୍ଞ ଥିବାରୁ ବାଧ୍ୟହୋଇ ତାହା ବି ଗଣୁଛନ୍ତି ।
ଅଟୋରିକ୍ସାରେ ମିଟର ବ୍ୟବସ୍ଥା ନଥିବାରୁ ଯାତ୍ରୀ ଓ ସମୟ ଦେଖି ଅଟୋଚାଳକମାନେ ଭଡା ଅସୁଲ କରୁଛନ୍ତି । ସାମାନ୍ୟ ବିଳମ୍ବିତ ରାତ୍ରୀରେ ରେଳଷ୍ଟେସନରୁ କିମ୍ବା ବସ୍ଷ୍ଟାଣ୍ଡ ଆଦି ବିଭିନ୍ନ ସ୍ଥାନରୁ ବାହାରୁଥିବା ଯାତ୍ରୀଙ୍କ ଠାରୁ ତିନି ଚାରିଗୁଣା ଭଡା ଆଦାୟ କରୁଛନ୍ତି । ଏହାକୁ ନେଇ ଅନେକ ସମୟରେ ଯାତ୍ରୀ ଓ ଅଟୋଚାଳକମାନଙ୍କ ମଧ୍ୟରେ ହାତାହାତି ଭଳି ପରିସ୍ଥିତି ଉପୁଜୁଛି ।
ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇବାପରେ ଏଠାରେ ମିଟର ଅନୁଯାୟୀ ଭଡା ଆଦାୟ ଓ ପ୍ରିପେଡ୍ ଟ୍ୟାକ୍ସି ଏବଂ ଅଟୋ ବ୍ୟବସ୍ଥା ପ୍ରଚଳନର ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ କୌଣସି କାରଣରୁ କର୍ତ୍ତୃପକ୍ଷ ସେଥିରେ ସଫଳ ହୋଇପାରିଲେ ନାହିଁ । ଦେଶର ଅଧିକାଂଶ ସହରେ ରେଳଷ୍ଟେସନ ଓ ବସ୍ଷ୍ଟାଣ୍ଡ ଆଦିରେ ପ୍ରିପେଡ୍ ସେବା ଉପଲବ୍ଧ ଥିବାବେଳେ ରାଜ୍ୟ ରାଜଧାନୀରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିଲାନାହିଁ । ଫଳରେ ସ୍ମାର୍ଟସିଟିରେ ଲୋକେ ବାଧ୍ୟହୋଇ ଅଟୋଚାଳକମାନେ ମନଇଚ୍ଛା କହୁଥିବା ଭଡା ଗଣୁଛନ୍ତି ।
ତେବେ ଅଟୋ ପଞ୍ଜିକରଣ ସମୟରେ ସଚଳ ମିଟର ଦେଖି ସାର୍ଟିଫିକେଟ ଦେଉଥିବା ପରିବହନ ବିଭାଗ କିନ୍ତୁ ପରବର୍ତ୍ତୀ ସମୟରେ ଏହି ମିଟର କାର୍ଯ୍ୟକରୁଛି କି ନାହିଁ ତାହାର ଯାଞ୍ଚ କରୁନାହିଁ । ପୁଲିସ୍ କର୍ତ୍ତୃପକ୍ଷ ମଧ୍ୟ ଏ କ୍ଷେତ୍ରରେ ନିରବତା ଅବଲମ୍ବନ କରୁଛନ୍ତି । ଫଳରେ ଦୁଇ ରୁ ତିନି ହଜାର ଟଙ୍କାରେ ଖରିଦ ହେଉଥିବା ମିଟର ଗୁଡିକ ଖତ ହେଉଥିବାବେଳେ ସହରବାସୀ କିନ୍ତୁ ଧାର୍ଯ୍ୟ ଠାରୁ ଢେର ଅଧିକ ଭଡା ଦେଇ ଯାତାୟତ କରୁଛନ୍ତି । (ତଥ୍ୟ)