ଭୁବନେଶ୍ୱର : କାଠ ଚୋରଙ୍କ ସଂକ୍ରାନ୍ତରେ ବନ ବିଭାଗକୁ ଖବର ଦେବାକୁ ଲୋକେ ରାଜି ନୁହନ୍ତି । ଗତ ତିନିବର୍ଷ ମଧ୍ୟରେ ଏଭଳି ଖବରଦାତାଙ୍କ ସଂଖ୍ୟା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି ।
ବିଭିନ୍ନ ଜଙ୍ଗଲରୁ ଚୋରମାନେ ନିୟମିତ ଭାବେ କାଠ ଚୋରିଥାନ୍ତି । ଏମାନଙ୍କ ଜଗିବା ଦାୟିତ୍ୱ ହେଉଛି ବନ ବିଭାଗର । ମାତ୍ର ବିଭାଗ ନିକଟରେ ଆବଶ୍ୟକ ମାନବ ସମ୍ବଳ, ସାଧନ ଆଦି ନଥିବାରୁ ସେମାନେ ମୁଖ୍ୟତଃ ସ୍ଥାନୀୟ ଖବରୀଙ୍କ ଉପରେ ନିର୍ଭର କରିଥାନ୍ତି । ଏଥିପାଇଁ ବିଭାଗ ପକ୍ଷରୁ ପୁରସ୍କାର ରାଶି ମଧ୍ୟ ରହିଛି ।
ତେବେ ଦେଖିବାକୁ ମିଳିଛି ଯେ ୨୦୨୩ ବର୍ଷରେ ୨୪୦ ଜଣ ବ୍ୟକ୍ତି କାଠ ଚୋରି ସଂକ୍ରାନ୍ତରେ ବନ ବିଭାଗକୁ ସୂଚନା ଦେଇ ପୁରସ୍କାର ପାଇଥିବାବେଳେ ୨୦୨୪ରେ ଏଭଳି ଖବରଦାତାଙ୍କ ସଂଖ୍ୟା ୮୦ ଓ ଚଳିତ ବର୍ଷ ଏହା ୬୫କୁ ହ୍ରାସ ପାଇଛି । ଯଦିଓ ୨୦୨୩ ତୁଳନାରେ ଏଭଳି ଗୁପ୍ତ ଖବରଦାତାଙ୍କୁ ମିଳୁଥିବା ପୁରସ୍କାର ରାଶି ୨୦୨୫ରେ ଅଧିକ ରହିଛି ତଥାପି ଖବରଦାତାଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଅନ୍ୟ ପକ୍ଷରେ ଖବର ଦାତାଙ୍କ ସୂଚନା ସହିତ ବିଭାଗ ପକ୍ଷରୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଫଳରେ କାଠଚୋରଙ୍କ ଗିରଫଦାରୀ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ୨୦୨୩ ମସିହାରେ ରାଜ୍ୟର ବିଭିନ୍ନ ବନଖଣ୍ଡ ଅଞ୍ଚଳରେ କାଠ ଓ ଅନ୍ୟାନ୍ୟ ବନଜାତ ସାମଗ୍ରୀ ଚୋରି ଅଭିଯୋଗରେ ୭୮୧୭ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୭୮୦୫ ଓ ୨୦୨୫ରେ ୫୫୪୪କୁ ହ୍ରାସ ପାଇଛି । ଏମାନଙ୍କ ଠାରୁ ଆଦାୟ ଜୋରିମାନା ରାଶି କିନ୍ତୁ ବୃଦ୍ଧି ପାଇଛି । ୨୦୨୩ ମସିହାରେ ପାଖାପାଖି ୨କୋଟି୬୦ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଥିବାବେଳେ ୨୦୨୪ରେ ଏହା ୨କୋଟି୯୫ଲକ୍ଷ ଟଙ୍କାକୁ ଟପିଯାଇଥିଲା ।
ଚଳିତବର୍ଷ କାଠ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଚୋରି କରି ୫୫୪ ଜଣ ଗିରଫ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ସର୍ବାଧିକ ୧୫୮୫ ଜଣ ସୁନ୍ଦରଗଡ ବନଖଣ୍ଡର ଥିବାବେଳେ ୧୫୧୨ ଜଣ ଖରିଆର ବନଖଣ୍ଡର ରହିଛନ୍ତି । ରାଉରକେଲା ବନଖଣ୍ଡର ୬୧୩ ଜଣ ଥିବାବେଳେ ବୌଦ୍ଧ ବନଖଣ୍ଡରେ ୫୩୮, ବାରିପଦା ବନଖଣ୍ଡରେ ୩୯୯, ଦେବଗଡରେ ୨୬୧ ଜଣ ଗିରଫ ହୋଇଛନ୍ତି । ତେବେ ଆଠଗଡ, ଚନ୍ଦକା, ଚିଲିକା, କଟକ, ହୀରାକୁଦ, କେନ୍ଦୁଝର ବନ୍ୟାପ୍ରାଣୀ, ରେଢାଖୋଲ ଆଦି ବନଖଣ୍ଡରେ ଜଣେ ହେଲେ କେହି ଗିରଫ ହୋଇନାହାନ୍ତି ।
ତେବେ ବନ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ କହିଛନ୍ତି ଯେ କାଠ ଓ ଅନ୍ୟାନ୍ୟ ବନଜାତ ସାମଗ୍ରୀ ଚୋରି ସଂକ୍ରାନ୍ତରେ ବନ ବିଭାଗକୁ ଗୁପ୍ତରେ ଖବର ଦେବାକୁ ଲୋକେ ପଛଘୁଞ୍ଚା ଦେଉଛନ୍ତି । ଗୋଟିଏ ପଟେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ଅନ୍ୟ ପଟେ ପୁରସ୍କାର ରାଶି ଢେର କମ୍ ରହିଛି । ଜବତ ସାମଗ୍ରୀ ମୂଲ୍ୟର ଅଧା ଯଦି ଖବରଦାତାଙ୍କୁ ମିଳନ୍ତା ତେବେ ସେମାନେ ଅଧିକ ସକ୍ରିୟ ହୋଇ ଚୋରି ଖବର ସରକାରଙ୍କ ନିକଟରେ ପହଞ୍ଚାଇପାରନ୍ତେ । କିନ୍ତୁ ଏଭଳି ବ୍ୟବସ୍ଥା ନଥିବାରୁ ଚଳିତବର୍ଷ ଅନୁଗୁଳ ବନଖଣ୍ଡରେ ୪୨ଜଣ ଓ ଆଠମଲ୍ଲିକ ବନଖଣ୍ଡରେ ୨୩ଜଣଙ୍କୁ ବାଦ୍ ଦେଲେ ଅନ୍ୟକୌଣସି ବନଖଣ୍ଡରେ ଚୋରି ଖବର ଦେବାକୁ ଜଣେ ହେଲେ କେହି ଆଗ୍ରହ ପ୍ରକାଶ କରିନାହାନ୍ତି । (ତଥ୍ୟ)

