ଭୁବନେଶ୍ୱର : ରାଜ୍ୟ ଔଷଧୀୟ ଗୁଳ୍ମଲତା ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆଜି ପ୍ରଦର୍ଶନୀ ପଡ଼ିଆ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଲେ ଯେ, ଆମର ଜୀବନଶୈଳୀ କ୍ରମଶଃ ଅତ୍ୟାଧୁନିକ ହେବାରେ ଲାଗିଛି । ଆମେ ଯନ୍ତ୍ର ଉପରେ ଅଧିକରୁ ଅଧିକ ନିର୍ଭର କରୁଛୁ ।
ପ୍ରକୃତି ଓ ପ୍ରକୃତିଦତ୍ତ ସମ୍ପଦର ଉପଯୋଗରୁ ଆମେ ଧୀରେ ଧୀରେ ଦୂରେଇ ଯାଉଛୁ । ନାନାଦି ରୋଗବ୍ୟାଧିରେ ପୀଡ଼ିତ ହୋଇ ସିନ୍ଥେଟିକ୍ ଔଷଧ ନେବାକୁ ଆଗ୍ରହ ପ୍ରକାଶ କରୁଛୁ । ମାତ୍ର, ସେସବୁ ଔଷଧଗୁଡ଼ିକର ପାର୍ଶ୍ବ ପ୍ରତିକ୍ରିୟା ରୋଗକୁ ଅଧିକ ଜଟିଳ କରିଦେଉଛି ।
ଦିନ ଥିଲା, ଆମ ପୂର୍ବସୂରୀମାନେ କେବଳ ପ୍ରାକୃତିକ ଗୁଳ୍ମଲତା, ଚେରମୂଳିର ବ୍ୟବହାର କରି ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚୁଥିଲେ ଓ ଶେଷ ଜୀବନ ପର୍ଯ୍ୟନ୍ତ ନିରୋଗ ରହୁଥିଲେ । ଆଜି ବିଶ୍ୱର ଅଧିକାଂଶ ବିକଶିତ ଦେଶ ରୋଗବ୍ୟାଧିରୁ ମୁକ୍ତି ପାଇଁ ମୂଲ୍ୟବାନ ପ୍ରାକୃତିକ ଗୁଳ୍ମଲତାର ଉପଯୋଗ ଆରମ୍ଭ କଲେଣି । ଆୟୁର୍ବେଦର ଜନ୍ମମାଟି ଭାରତବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦେଶରୁ ଔଷଧ ଆମଦାନୀ କରିବା ପରିବର୍ତ୍ତେ ପ୍ରାକୃତିକ ବ୍ୟାଧି ନିରାକରଣ ପ୍ରକି୍ରୟାକୁ ଆପଣାଇ ନେବାର ଆବଶ୍ୟକତା ସମସ୍ତେ ଉପଲବ୍ଧି କରିବା ଉଚିତ୍ ।
ଔଷଧୀୟ ଗୁଳ୍ମଲତା କେବଳ ରୋଗ ଭଲ କରି ନଥାଏ, ଶରୀରକୁ ସୁସ୍ଥ ଓ ନିରୋଗ ରଖିବାରେ ମୁଖ୍ୟ ଭୂମିକା ନେଇଥାଏ । ସାଧାରଣ ରୋଗ କିମ୍ବା କୌଣସି ପୀଡ଼ା ପାଇଁ ତତ୍କ୍ଷଣାତ୍ ସିନ୍ଥେଟିକ୍ସ ଔଷଧ ବ୍ୟବହାର ନ କରି ପ୍ରକୃତିଦତ୍ତ ଔଷଧୀୟ ବୃକ୍ଷର ଚେରମୂଳି,ପତ୍ର ଇତ୍ୟାଦି ଉପଯୋଗ କରି ଯନ୍ତ୍ରଣାକୁ ଦୂରେଇ ପାରିଲେ ଆମେ ଆମ ଶରୀରକୁ ସୁସ୍ଥ ଓ ନିରୋଗ ରଖି ପାରିବା ।
ଆଜି ମଧ୍ୟ ବଣଜଙ୍ଗଲରେ ବସବାସ କରୁଥିବା ଅନେକ ଆଦିମ ଅଧିବାସୀ ଏହି ଉପାୟରେ ନିଜକୁ ସୁସ୍ଥ ରଖି ଅକ୍ଳାନ୍ତ ପରିଶ୍ରମ କରିବା ସତ୍ତେ୍ୱ ଶରୀରକୁ ରୋଗବ୍ୟାଧିରୁ ମୁକ୍ତ ରଖିପାରୁଛନ୍ତି । ଆଜି ଅନୁଷ୍ଠିତ ସପ୍ତାହବ୍ୟାପୀ ହର୍ବାଲ ମେଳା ଜନସାଧାରଣଙ୍କୁ ପ୍ରାକୃତିକ ଉପଚାର ସମ୍ପର୍କରେ ସଚେତନ କରିବାରେ ସହାୟକ ହେବ । ଅଧିକରୁ ଅଧିକ ଔଷଧୀୟ ବୃକ୍ଷରୋପଣ କରି, ଏହି ବୃକ୍ଷଲତାର ଔଷଧୀୟ ଗୁଣକୁ ବ୍ୟାଧି ନିରାକରଣରେ ବ୍ୟବହାର କରିବା ନିମନ୍ତେ ଆଜିର ଅବସର ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ମତ ପ୍ରକାଶ କରିଥିଲେ ।
ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ୨୦୦୮ ମସିହାରୁ ଆୟୋଜିତ ହେଉଥିବା କଳିଙ୍ଗ ହର୍ବାଲ ମେଳା ପାରମ୍ପରିକ ଚିକିତ୍ସକ, ଚାଷୀ, ଓ ବ୍ୟବସାୟୀଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିପାରିଛି । ମେଳା ମାଧ୍ୟମରେ ଚାଷୀଙ୍କୁ ସାହାଯ୍ୟ ଓ ଜନସାଧାରଣଙ୍କୁ ସ୍ୱଳ୍ପ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଆୟୁଷ ଯୁଗୋପଯୋଗୀ ବିଭିନ୍ନ ପ୍ରକାର ଚିକିତ୍ସା ପ୍ରଣାଳୀକୁ ସମର୍ଥନ ଏବଂ ବେଆଇନ କଞ୍ଚାମାଲ ଚାଲାଣ ରୋକ ଲଗାଯାଇପାରିଛି ।
ରାଜ୍ୟରେ ୪୧ ଔଷଧୀୟ ବୃକ୍ଷ ବିଲୁପ୍ତ ପ୍ରଜାତିରେ ପହଞ୍ଚି ଥିବାରୁ ସଂରକ୍ଷଣ ପ୍ରୟାସକୁ ଜୋରଦାର କରାଯାଇଛି । ବିରଳ ବିପନ୍ନ ବୃକ୍ଷ ସଂରକ୍ଷଣ ନିମନ୍ତେ ଓଡିଶାର ୬ଟି ଜଙ୍ଗଲକୁ ଔଷଧୀୟ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ମେଳାରେ ହୋଇଥିବା ୧୩୦ଟି ଷ୍ଟଲରେ ପାରମ୍ପରିକ ଚିକିତ୍ସକମାନେ ଦୁରାରୋଗ୍ୟ ବ୍ୟାଧିର ନିରାକରଣ କରୁଥିବା ପ୍ରଶଂସନୀୟ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ପାରମ୍ପରିକ ଚିକିତ୍ସାରେ ଚେରମୁଳିର ବ୍ୟବହାର ଏବେ ମଧ୍ୟ ଆଦିବାସୀ ମାନଙ୍କ ଜୀବନର ଅଂଶ । ବିଭାଗ ଦ୍ୱାରା ପାତ୍ରପଡାରେ ଔଷଧୀୟ ବୃକ୍ଷ କେନ୍ଦ୍ର ସ୍ଥାପନ
କରାଯାଇଛି । ପ୍ରାକୃତିକ ଔଷଧୀୟ ଉଦ୍ୟାନ ସୃଷ୍ଟି ଏବଂ ଜଡିବୁଟିର ଉପକାରିତା ସମ୍ପର୍କରେ ଜାଣିବାର ବ୍ୟବସ୍ଥା କରାଯାଇଛି । ଏହି ମେଳାରେ ନକ୍ଷତ୍ର ଅନୁସାରେ ଉପକାରୀ ଗୁଳ୍ମଲତାର ପ୍ରଦର୍ଶନ ବାସ୍ତବିକ ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ ।
ରାଜ୍ୟ ଔଷଧୀୟ ଗୁଳ୍ମଲତା ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ୍. ଯୋଗଜୟା ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ । ଏହି ମେଳା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଖୋଲା ରହିବ ।